Unknown

 

 

 

 

 

 

 

 

 

ଅତୀତର ପ୍ରେତ

(ଡିଟେକ୍‍ଟିଭ୍ ଉପନ୍ୟାସ)

ଶ୍ରୀ ଭୂପେନ୍ ଗୋସ୍ୱାମୀ

 

ଏ ଘଟଣା ଆଜିକାଲିର ନୁହେଁ, ପଚିଶ ବର୍ଷ ପୂର୍ବର ।

ପ୍ରଚଣ୍ଡ ଝଡ଼ବୃଷ୍ଟି ପୂର୍ଣ୍ଣ ନିସ୍ତବ୍‍ଧ ରାତ୍ରି ।

 

ବର୍ତ୍ତମାନ ମୂଷଳଧାରରେ ବୃଷ୍ଟି ପଡୁନାହିଁ । ଗଛ ପତ୍ର, ଘରର ଛାତ, ଝରକାର କବାଟ ଓ ରୁକ୍ଷମାଟି ଉପରେ ଝରିପଡ଼ୁଛି ଆକାଶରୁ ଖସି ଆସୁଥିବା ବଡ଼ ବଡ଼ ଆକାରରେ ପାଣିର ବିନ୍ଦୁ । ଖାଲ ଢିପ ଜାଗାମାନଙ୍କୁ ଗଡ଼ିଯାଉଛି ଗୋଳିଆ ପାଣି । ବେଳେ ବେଳେ ଶୁଣାଯାଉଛି ମେଘର ଗର୍ଜ୍ଜନ ।

 

ଟଙ୍ଗା ହୋଇଥିବା ଝାଡ଼-ଲଣ୍ଠନ ବତାସରେ ଆଉ ଦୋହଲୁ ନାହିଁ । ଦୋହଲି ଦୋହଲି ଆଲୋକର ପ୍ରତିଫଳନ ହେଉ ନାହିଁ ଘର ଭିତରେ ଟଙ୍ଗା ହୋଇଥିବା ବିଦେଶୀ ଚିତ୍ରକର ଅଙ୍କିତ ଗୋଟିଏ ନାରୀଦେହର ଚିତ୍ର ଉପରେ । ମୃଦୁ ପବନରେ ଆଘାତ ପ୍ରାପ୍ତ ହୋଇ ସୁଦୃଶ୍ୟ ସୁନେଲି ଜରିରେ ମଣ୍ଡିତ ପରଦା ଗୁଡ଼ିକ ତିଳେହେଲେ କମ୍ପିତ ହେଉନାହିଁ ।

 

ଖଣ୍ଡିଏ ପ୍ରମାଣ ସାଇଜ୍‍ର ଦର୍ପଣ ସମ୍ମୁଖରେ ଜଣେ ନାରୀ ଠିଆ ହୋଇଥିଲେ–ଛାତି ଉପରେ ହାତ ଦୁଇଟିକୁ ରଖି । ସିକ୍ତ ବସ୍ତ୍ରରୁ ପାଣି ନିଗିଡ଼ି ତଳେ ବିଛା ହୋଇଥିବା କାର୍ପେଟ୍ ଉପରେ ଆସି ପଡୁଥାଏ । ମୁକ୍ତ କେଶର ବନ୍ୟା ମୁଖ, ଆଖି, ବୁକୁ ଓ ପିଠିରେ । ମୁହଁ ତଳକୁ କରି କାନ୍ଦୁଥାଏ ସେହି ନାରୀ । ବରାଡ଼ା ପତ୍ରପରି ସର୍ବାଙ୍ଗ ଥରୁଥାଏ କ୍ରନ୍ଦନର କୋହରେ । ବାହାରକୁ କୌଣସି ଶବ୍ଦ ଶୁଣାଯାଉ ନଥାଏ । ନୟନ ଦୁଇଟିର ଫାଙ୍କ ଦେଇ ଲୋତକ ଗଡ଼ି ଗଡ଼ି ପଡ଼ୁ ଥାଏ ଗଲା ଦୁଇଟିରେ ବୁକୁ ଉପରେ ଥିବା ଶାଢ଼ୀରେ, କେତେବେଳେ ବାଁ ହାତରେ ।

 

ଜମିଦାର ଅବନୀକାନ୍ତ ଠିଆ ହୋଇଥିଲେ । ନିଶ-ପାନର କ୍ଲାନ୍ତି ଆଖି ଦୁଇଟିରେ ଭରି ରହିଥାଏ । ବେଳେ ବେଳେ ଉଗ୍ର ମାଦକଦ୍ରବ୍ୟର ଜ୍ୱାଳା ତୀବ୍ର ହେବାକୁ ଲାଗିଥାଏ–ବଳିଷ୍ଠ ହାତ ଦ୍ୱାରା ଲଲାଟ ଉପରେ ଆସି ପଡ଼ିଥିବା ଅବିନ୍ୟସ୍ତ କେଶ ଗୁଡିକୁ ପାଣି ମୁଣ୍ଡ ଉପରକୁ ଉଠାଇ ଦେଉଥାନ୍ତି । ଧୈର୍ଯ୍ୟ ଆୟତ୍ତର ବାହାରେ, ଧୀରେ ଧୀରେ ଆଗେଇ ଆସିଲେ ସେ ସେହି ନାରୀ ମୂର୍ତ୍ତିଟି ଆଡ଼କୁ ।

 

ଆତଙ୍କିତ ନାରୀ ଭୟରେ ଚିତ୍କାର କରି ଉଠିଲା ।

ଗର୍ଜନ କରି ଉଠିଲେ ଜମିଦାର ଅବନୀକାନ୍ତ ସିଂହଦେଓ ।

 

ସେହି ନାରୀ ବସିପଡ଼ି ଅବନୀକାନ୍ତର ପାଦ ଦୁଇଟିକୁ ଧରି ଅସହାୟ ଆକୁଳ ଦୃଷ୍ଟିରେ ଚାହିଁଲା ତାଙ୍କୁ ।

 

ଗୋଟିଏ ପାଦର ଆଘାତରେ କାର୍ପେଟ୍ ଉପରେ ପଡ଼ିଗଲା ରୋରୁଦ୍ୟମାନା ନାରୀ ।

ହଠାତ୍ ଗୋଟିଏ ଶିଶୁ ଚିଲେଇ ଉଠିଲା ।

ନାରୀ ମୂର୍ତ୍ତି ଚମକି ପଡ଼ିଲା, ଚମକି ପଡ଼ିଲେ ଜମିଦାର ଅବନୀକାନ୍ତ ।

ଶିଶୁର ବିରାମ ନାହିଁ, କାନ୍ଦୁଥାଏ ସେ ଅବିରଳ ଭାବେ ।

 

ଅବନୀକାନ୍ତଙ୍କର ମୁଖର ଭାବି ବଦଳିଗଲା । ହିଂସ୍ର ହୋଇ ଉଠିଲେ । ଆଖି ଦୁଇଟି ଅସ୍ୱାଭାବିକ ଭାବେ ଜଳିଉଠିଲା । ମୁଣ୍ଡ ଭିତରେ ଶୟତାନ୍ ଯେପରି ଅଧିଷ୍ଠିତ ହୋଇଛି । କାନ୍ଥରେ ଝୁଲୁଥିବା ଅସ୍ତ୍ରାଦି ମଧ୍ୟରୁ ଖଣ୍ଡିଏ ବର୍ଚ୍ଛା ଟାଣି ଆଣିଲେ । ଘର ଭିତରର ଆଲୋକରେ ଇସ୍ପାତର ଅଗ୍ରଭାଗଟି ଚକ୍ ଚକ୍ ଦେଖାଗଲା । ସଙ୍ଗେ ସଙ୍ଗେ ରଙ୍ଗଲୋଲୁପ ଜିହ୍ୱା ବିସ୍ତାର କରି ଆଗେଇ ଆସିଲେ ।

 

ଆର୍ତ୍ତନାଦ କରି ଉଠିଲା ନାରୀ, ଶିଶୁଟି ମଧ୍ୟ ।

ରକ୍ତର ହୋରି ବହିଗଲା ଘରଟି ଭିତରେ ।

କାର୍ପେଟ୍ ଉପରେ ପଡ଼ି ରହିଲା ଦୁଇଟି ପ୍ରାଣହୀନ ରକ୍ତାକ୍ତ ଦେହ ।

ଇସ୍ପାତର ଅଗ୍ରଭାଗଟି ଶିଶୁର ପିଠି ବିଦ୍ଧ କରି ବିଦ୍ଧ କଲା ନାରୀର ବୁକୁରେ ।

 

ଅଶୋକା ଶିହରୀ ଉଠିଲେ । ନିଜର ଚକ୍ଷୁ ସମ୍ମୁଖରୁ ଵିଭତ୍ସ ଦୃଷ୍ଟି ଅପସାରଣ କରିବା ଲାଗି ବହୁ ଚେଷ୍ଟାକଲେ । ପାରିଲେ ନାହିଁ । ଦୁଗ୍ ଧଫେନନିଭ ଶଯ୍ୟା କଣ୍ଟକିତ ବୋଧ ହେଲା । ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ପ୍ରସାଧନ କକ୍ଷକୁ ଆସିଲେ । ରଙ୍ଗ ମେଳାଇ ଶାଢ଼ୀ ବଦଳାଇଲେ । ଦର୍ପଣରେ ଦେଖିଲେ ନିଜକୁ । ହାତଘଡ଼ି ଉପରେ ଦୃଷ୍ଟି ବୁଲାଇଲେ, ସାତଟା-ବାଇଶ୍....

 

ବ୍ୟାଲକନିରେ ଆସି ଠିଆହେଲେ ଅଶୋକା ।

ଶୀତ କାଳର ମେଘଶୂନ୍ୟ ଆକାଶ । ଜ୍ୟୋତ୍ସ୍ନାର ପ୍ଲାବନ । ଆଜି ପୂର୍ଣ୍ଣିମା ।

 

ଅନ୍ତରରେ ଦାରୁଣ ଜ୍ୱାଳା । ଅଭୟକାନ୍ତ ନାହାନ୍ତି ବର୍ତ୍ତମାନ ସେ ବାଈଜୀ–ମନ୍ଦିରରେ । ସୁରାର ରଙ୍ଗୀନ୍ ନିଶାରେ ମଜ୍‌ଗୁଲ୍ ହୋଇ ସେ ଦେଖୁଛନ୍ତି ଚିତ୍ରାକୁ…ଚିତ୍ରା ବାଈଜୀର ଘୁଙ୍ଗୁରର ଛନ୍ଦ ସହିତ ହୃଦୟ ତାଙ୍କର ସମତାଳରେ ନୃତ୍ୟକରି ଚାଲିଛି ।

 

ତଳକୁ ଓହ୍ଲାଇ ଆସି ଉଦ୍ୟାନ-ବାଟିକାରେ ଉପସ୍ଥିତ ହେଲେ ଅଶୋକା ।

 

ସମ୍ମୁଖରେ ଦେଶୀ ଓ ବିଦେଶୀ ଫୁଲର ସମାରୋହ–ସେମାନେ ଯେପରି ଅଶୋକାକୁ ପାଖକୁ ଡାକୁଛନ୍ତି ।

 

ସୁର୍‌କି ଢଳା ସରୁ ଅଣ ଓସାରିଆ ରାସ୍ତା ଦେଇ ଆଗେଇ ଚାଲିଲେ ଅଶୋକା । ରକ୍ତ ବର୍ଣ୍ଣା ଡାଲିଆ କିଆରୀରେ ଥିବା ସିମେଣ୍ଟ ତିଆରି ବେଞ୍ଚଟି ଉପରେ ବସି ପଡ଼ିଲେ ।

 

କେତେ ଚିନ୍ତା ମନ ଭିତରେ ।

ମା’...

ସେହି ଡାକରେ ଚମକି ପଡ଼ିଲେ ଅଶୋକା ।

ମେନେଜରବାବୁ ଆସିଛନ୍ତି....

ସାମ୍‌ନାକୁ ଚାହିଁଲେ ଅଶୋକା ।

 

ବିନୟବାବୁଙ୍କ ପାଖକୁ ଯାଇଥିଲି....ବିନୀତ କଣ୍ଠରେ କହିଲେ ମେନେଜର ଘନଶ୍ୟାମବାବୁ,

 

କଣ କହିଲେ ସେ ? ଆଗ୍ରହ ଝରିପଡ଼ିଲା ଅଶୋକଙ୍କର କଣ୍ଠରୁ ।

ସେ ବିକିବେ ବୋଲି ରାଜି ହୋଇଛନ୍ତି ।

ଆଜି ତାହା ହେଲେ ନେଇ ଆସନ୍ତୁ ।

କିନ୍ତୁ–ବହୁତ ଟଙ୍କା ସେ ଚାହୁଁଛନ୍ତି ।

କେତେ ?

ଷାଠିଏ ହଜାର ।

 

ମାତ୍ର ! ଆପଣ ବୋଧହୁଏ ଭଲଭାବେ ଜାଣି ନାହାନ୍ତି–ସେହି ମୂର୍ତ୍ତିଟିର ପ୍ରକୃତ ମୂଲ୍ୟ ଲକ୍ଷରୁ କମ୍ ନୁହେଁ । ବିନୟବାବୁ ଯଦି ଷାଠିଏ ହଜାରରେ ରାଜି ହୁଅନ୍ତି, ଆଉ ବିଳମ୍ବ କରିବା ଉଚିତ ନୁହେଁ ।

 

ଆଜି ଆଣିବାଲାଗି କହୁଛନ୍ତି ?

ହଁ; ଆଜି…

ମେନେଜର ଘନଶ୍ୟାମବାବୁ ଇତଃସ୍ତତଃ ହେବାକୁ ଲାଗିଲେ ।

 

ଆଉ କିଛି କହିବେ ବୋଧହୁଏ ? ଅଶୋକା ସ୍ଥିର ଦୃଷ୍ଟିରେ ଚାହିଁଲେ ଘନଶ୍ୟାମବାବୁଙ୍କୁ-

 

ଭାବୁଛି, ପୁଲିଶରେ ସମ୍ବାଦ ଦେଲେ ବୋଧହୁଏ ଭଲ ହୁଅନ୍ତା । ତାହାହେଲେ, ଟଙ୍କା ଦେଇ କିଣିବା ପ୍ରଶ୍ନ ଆଉ ଉଠନ୍ତା ନାହିଁ । ବିଜ୍ଞପରି ମତ ପ୍ରକାଶ କଲେ ଘନଶ୍ୟାମବାବୁ ।

 

ନା, ମେନେଜର ବାବୁ ! ତାହାହେଲେ ଆମକୁ ଶେଷରେ ପସ୍ତାଇବାକୁ ପଡ଼ିବ । ନକଲି ଅଳଙ୍କାରର ବ୍ୟବସାୟୀ ବିନୟବାବୁ ଇମିଟେସନ ମୂର୍ତ୍ତି ଦେଖାଇ ଆମକୁ ଓ ପୁଲିଶକୁ ବୋକା ନକରି ଛାଡ଼ିବେ ନାହିଁ । ପ୍ରକୃତ ମୂର୍ତ୍ତିଟିକୁ ଆମେ ହାତଛଡା କରିତା ସମ୍ଭାବନା ବେଶୀ...ଅଶୋକା ଧୀର ଶାନ୍ତ କଣ୍ଠରେ କହିଲେ ।

 

ଘନଶ୍ୟାମ ବାବୁ ଆଉ କିଛି ନ କହି ନୀରବରେ ସ୍ଥାନ ତ୍ୟାଗ କଲେ ।

 

ମୃଦୁହସର ରେଖାଟି ଅଶୋକାଙ୍କର ଅଧର ପ୍ରାନ୍ତରରେ ଖେଳି ଚକିତରେ ପୁଣି ମିଳାଇ ଗଲା । ବୃଦ୍ଧ ଘନଶ୍ୟାମବାବୁ ତାଙ୍କୁ ଅତିଶୟ ସ୍ନେହ କରନ୍ତି । ପିଲାଦିନରୁ ପିତୃମାତୃ ହୀନ ଅଶୋକା ମାତାମହ ନିକଟରେ ଲାଳିତା ପାଳିତା । ବାରିଷ୍ଟର ମାତାମହ । ଷ୍ଟେଟ୍‌ର ମାଲିମକଦ୍ଦମା ବିଷୟରେ ମାତାମହଙ୍କ ସହିତ ଘନଶ୍ୟାମ ବାବୁଙ୍କର ପରିଚୟ ହୋଇଥିଲା । ସେହି ପରିଚୟ ଦିନେ ନିବିଡ଼ ବନ୍ଧୁତ୍ୱରେ ପରିଣତ ହେଲା । ଘନଶ୍ୟାମ ବାବୁ ତାଙ୍କୁ ଅନ୍ତପୁରର ବଧୂ କରିବାଲାଗି ପ୍ରସ୍ତାବ ଉତ୍‍ଥାପନକରି ଜମିଦାର ସ୍ଵର୍ଗତଃ ଅବନୀକାନ୍ତଙ୍କୁ ଅନୁରୋଧ କରିଥିଲେ । ଅବନୀକାନ୍ତ ଅଶୋକାର ରୂପ ଲାବଣ୍ୟ ଦର୍ଶନରେ ମୁଗ୍‌ଧ ହୋଇ ଏକମାତ୍ର ପୁଅ ଅଭୟକାନ୍ତର ବଧ ବୋଲି ନିର୍ବାଚନ କଲେ । ଅଭୟକାନ୍ତ ମଧ୍ୟ ଘନଶ୍ୟାମ ବାବୁଙ୍କର ଅତି ପ୍ରିୟପାତ୍ର । ତାଙ୍କରି ପାଇଁ ଜମିଦାରୀ ଏ ପର୍ଯ୍ୟନ୍ତ ତିଷ୍ଠି ରହିଛି । ଚିନି କଳ, ଲୁଗା କଳ ଆଜିଯାଏଁ ନିଲାମରେ ଉଠିନାହିଁ । ସେ ନ ଥିଲେ, ମାତାଲ ଅଭୟକାନ୍ତ କେବେଠୁ ଏହି ଐଶ୍ୱର୍ଯ୍ୟ ନିଶ୍ଚିହ୍ନ କରି ସାରିଥାଆନ୍ତେ ! ବୌଭବହୀନ ଏହି ବଂଶ କେବେଠୁ ଲୋପ ପାଇଯାଇଥାନ୍ତି। ତା ନହେଲେ, ଭିକ୍ଷୁକ ହୋଇ ବୁଲୁଥାନ୍ତା । ଏହି ବଂଶର ଶେଷ ସନ୍ତାନ କିମ୍ବା କୌଣସି ସରକାରୀ ଅଫିସରେ କିରାଣୀ କାର୍ଯ୍ୟରେ କଲମ ପେଶା ଆରମ୍ଭ କରିଥାନ୍ତା ।

 

ଅଶୋକା ଚେଷ୍ଟାରେ ଆଦୌ ତ୍ରୁଟି କରିନାହାନ୍ତି । କାନ୍ଦିଛନ୍ତି, ବହୁଥର ବହୁପ୍ରକାରେ ବୁଝାଇଛନ୍ତି ଅଭୟକାନ୍ତଙ୍କୁ । କଥାରେ କଥାରେ ଯଥେଷ୍ଟ ଆଘାତ କରିଛନ୍ତି । ସୁଫଳ ଆଦୌ ଫଳିନାହିଁ । ଅଭୟକାନ୍ତ ଯେପରି ଦୁରନ୍ତ ଶିଶୁ । କୌଣସି କଥା ରଖିନାହାନ୍ତି–ମଦ ଛାଡିପାରି ନାହାନ୍ତି, ବାଈଜିର ସାଙ୍ଗ ତ୍ୟାଗ କରିନାହାନ୍ତି ।
 

 

ଅବନୀକାନ୍ତ ଜାଣନ୍ତି, ପୁତ୍ରମାତାଲ–ବେ ହିସାବି । ସେଥିପାଇଁ ସେ ସମସ୍ତ ସମ୍ପତ୍ତି ଅଶୋକା ନାମରେ କରିଯାଇଛନ୍ତି । ଅନୁରୋଧ କରି ଯାଇଛନ୍ତି, ଅଭୟକୁ ସେ ଯେପରି ସତ୍ ପଥକୁ ଆଣିବାଲାଗି ଚେଷ୍ଟା କରିବ । କହିଯାଇଛନ୍ତି–ସେ ଯେଉଁ ପଥରେ ଗତି କରୁଛି ସେଥିରେ ଶାନ୍ତି ନାହିଁ, ତୃପ୍ତି ନାହିଁ ତୃଷ୍ଣା ଦିନକୁ ଦିନ ପ୍ରବଳ ହେଉଥାଏ ...ପିପାସାରେ କଣ୍ଠ ଶୁଖି ମରିଚିକାରେ ପଥ ହରାଇବାକୁ ହୁଏ ।

 

ଅଶୋକା ଚେଷ୍ଟା କରିଥିଲେ । ପାରିଲେ ନାହିଁ । ଭାବିଥିଲେ କଠୋର ହେବାକୁ ତାହା ମଧ୍ୟ ହୋଇପାରି ନା’ହାନ୍ତି । ରାତି ଶେଷ ପ୍ରହରରେ ଅଚେତନ ଅଭୟକାନ୍ତଙ୍କୁ ବହୁଦିନର ପୁରାତନ ଭୃତ୍ୟ ମୁକୁନ୍ଦ ଦୁଇ ହାତରେ ଜାକି ଜାକି ଉପର ଘରକୁ ଆଣେ, ବିଛଣାରେ ଶୁଆଇ ଦିଏ ଅବରୁଦ୍ଧ କ୍ରନ୍ଦନ ଗଳା ଭେଦକରି ବାହାରକୁ ବାହାରି ଆସେ ଆଶୋକାଙ୍କର । ଅସହାୟ ଲୋକଟିର ବିଛଣା ପାଖକୁ ଆସି ନିଜର ଲୁଗାକାନିରେ ଓଦା ମୁହଁଟି ପୋଛିଦିଅନ୍ତି । ଗୋଡ଼ରୁ ଜୁତା ଖୋଲିଦିଅନ୍ତି । ଦିନେ ଦିନେ ରେଗୁଲେଟର ଘୁରାଇ ବିଦ୍ୟୁତ ପଙ୍ଖାର ଗତି ବଢ଼ାଇ ଦିଅନ୍ତି ।

 

ସେଦିନ ରାତିର କଥା ଅଶୋକାଙ୍କର ବେଶ୍ ମନେ ଅଛି ।

 

ଡ୍ରାଇଭର ସାଙ୍ଗରେ ଯାଇ ନଥିଲା । ରାତି ଶେଷ ପ୍ରହର ବେଳକୁ ଅଭୟକାନ୍ତ ନିଜେ ଗାଡ଼ି ଚଳାଇ ଫେରୁଥିଲେ । ନିଶାଯୋଗୁଁ ଦୃଷ୍ଟି ଆଚ୍ଛନ୍ନ । ତୀକ୍ତ ଗତିରେ ବୁଇକ୍ ଖଣ୍ଡିକ ଛୁଟି ଚାଲିଥାଏ । ହଠାତ୍ ମୋଡ଼ ଉପରେ ଗାଡ଼ି ଘୂରିବା ବେଳେ ଫୁଟ୍‌ପାଥ୍‌ରୁ ଅଲଗା ହୋଇ ଗୋଟିଏ ଦୋକାନର କୌଣସି ଦୁଆର ଉପରେ ଆଘାତ ଲାଗିଲା । ଗାଡ଼ିର ବମ୍ପର ଚେପା ହୋଇଗଲା । ବନେଟ୍‌ର ମଧ୍ୟ ସେଇ ଅବସ୍ଥା । ଇଞ୍ଜିନ ଭୀଷଣଭାବେ ଶବ୍ଦ କରି ଉଠିଲା । ଉଇଣ୍ଡ୍‌-ଗ୍ଲାସ୍‌ର ଅବସ୍ଥା ଅତି ଶୋଚନୀୟ । ଷ୍ଟିୟରିଂ ବୁକୁରେ ଆସି ବାଜିଲା । ତିନିମାସ କାଳ ବିଛଣାରେ ପଡ଼ିଥିଲେ ଅଭୟକାନ୍ତ । ଭଲ ହେବା ପରେ ସୁଦ୍ଧା ଆଉ ଚାରିମାସ ଯାଏ ବାହାରକୁ ସେ ବାହାରିଲେ ନାହିଁ । ଏହି ସାତଟି ମାସ ଭିତରେ ଥରେହେଲେ ସେ ନିଶାପାନ କରିନାହାନ୍ତି । ଅଶୋକା ଭାବିଥିଲେ, ଆଉ ବୋଧହୁଏ ସେ ଏଣିକି କୌଣସି ଅନୁଷ୍ଠାନରେ ଯୋଗଦେବେ ନାହିଁ ।

 

ଅଶୋକ ଯାହା ଭାବିଥିଲେ ତାହା ଆଉ ହେଲା ନାହିଁ ?

ଅଭୟକାନ୍ତ ପୁନର୍ବାର ଫେରିଆସିଲେ ପୂର୍ବ ଗତି ପଥକୁ ।

 

ଅସୁସ୍ଥ ସ୍ୱାମୀର ମଙ୍ଗଳ କାମନା କରି ସକାଳେ ଓ ସଞ୍ଜବେଳେ ପ୍ରତ୍ୟହ ଶିବମନ୍ଦିରକୁ ଯାଇ ପୁଷ୍ପ ବେଲପତ୍ର ଦେଇ ଅର୍ଚ୍ଚନା କରିଛନ୍ତି ସର୍ବମଙ୍ଗଳମୟଙ୍କୁ ଅଶୋକା ।

 

ଦିନେ ରାତି ନପାହୁଣୁ ମନ୍ଦିରକୁ ଆସିଥିଲେ ସେ । ସ୍ନାନସାରି ସୁନେଲି ରେଶମୀ ଶାଢ଼ୀ ପିନ୍ଧିଥାନ୍ତି । ଲଲାଟରେ ପ୍ରଵାଳର ଛୋଟ ବିନ୍ଦୁଟିଏ । ସୀମନ୍ତରେ ସିନ୍ଦୁର ରେଖା । ମୁକ୍ତ କେଶରାଜି ଲମ୍ବଭାବେ ପିଠିଉପରେ ପଡିଥାଏ । ହାତରେ ଚନ୍ଦନ କୁଙ୍କୁମ ଧୂପ ଦୀପ ପୁଷ୍ପ ଭରା ଥାଳି । ପୂଜାରିଣୀ ବେଶ ।

 

ମନ୍ଦିର ଭିତରେ ଆଲୋକ ଅନ୍ଧାରର ସମାବେଶ ଧୂସର ।

 

ପୂଜା ଶେଷକରି ଉଠିଲେ ଅଶୋକା । ବାହାରେ ସେତେବେଳେ ପ୍ରଖର ସୂର୍ଯ୍ୟାଲୋକ ସ୍ନିଗ୍‌ଧ ଶାନ୍ତି ସର୍ବାଙ୍ଗରେ ।

 

ହଠାତ୍ ଦୃଷ୍ଟି ପଡ଼ିଲା ହର ପାର୍ବତୀ ମୂର୍ତ୍ତି ଉପରେ ଚମକି ପଡ଼ିଲେ ସେ । କାହିଁ ! ଆଗପରି ଦେବତାଙ୍କର ଆଖିତ’ କାହିଁକି ଉଜ୍ଜ୍ୱଳ ଦେଖାଯାଉନାହିଁ ? ମୂର୍ତ୍ତି ଯେପରି ନିଷ୍ପ୍ରଭ । ଅସହିଷ୍ଣୁ ହୋଇ ଆଉ ଟିକିଏ ଆଗେଇ ଆସିଲେ ସେ । ଥରହର ହୋଇ ସର୍ବାଙ୍ଗ ସେତେବେଳେ ଥରୁଥାଏ । ଗୋଟାଏ ଅଶୁଭ ଇଙ୍ଗିତର ତାଡ଼ନାରେ ମନରେ ଆଶଙ୍କା ଉପୁଜିଥାଏ । ମନେ ହେଉଥାଏ,ଏ ମୂର୍ତ୍ତି ଯେପରି ସେ ମୂର୍ତ୍ତି ନୁହେଁ । ଅନ୍ୟ ଏକ ।

 

ହର ପାର୍ବତୀଙ୍କର ଅମୂଲ୍ୟ ମୂର୍ତ୍ତି ତାହାହେଲେ କିଏ ଚୋରି କରି ନେଇଛି । ନକଲି ମୂର୍ତ୍ତି ଏଠାରେ ରଖି ମହାମୂଲ୍ୟ ହୀରକଖଚିତ ଆଖି, ଖାଣ୍ଟି ସୁନାରେ ନିର୍ମିତ ଯୁଗଳ ମୂର୍ତ୍ତିଟିକୁ କେହି ନିଶ୍ଚୟ ଚୋରି କରି ନେଇଛି ।

 

ସେହି ମୂର୍ତ୍ତିକଥା ବର୍ତ୍ତମାନ ଅଶୋକଙ୍କର ମନେ ପଡ଼ୁଛି । ଦେଖୁ ଦେଖୁ ଦୁଇବର୍ଷ ହୋଇଗଲା । ପୁଲିସ ମଧ୍ୟ ଏହି ଚୋରୀ ସମ୍ପର୍କରେ କୌଣସି ଥଳକୂଳ ପାଇଲେ ନାହିଁ । କିନ୍ତୁ ସେ ଜାଣନ୍ତି, କେଉଁଠାରେ ଅଛି ଏହି ଯୁଗଳମୂର୍ତ୍ତି । ଜାଣିସୁଦ୍ଧା ସେ ପୁଲିସ୍‍କୁ ଏହି ସମ୍ବାଦ ଦେଇପାରୁ ନାହାନ୍ତି । ନିରୁପାୟ ହୋଇ ଗୃହ ଦେବତାଙ୍କୁ ଫେରାଇ ଆଣିବାଲାଗି ମୂର୍ତ୍ତି ଚୋରକୁ ନିଜେ ପୁଣି ଟଙ୍କାଦେଉଛନ୍ତି ।

 

ପବନରେ ଶୀତର ଆଭାସ । ଦେହ କେମିତି ଶୀତ ଶୀତ ଲାଗୁଛି । ଅଶୋକା ଉଠି ଠିଆହେଲେ ।

 

ବୈଠକଖାନାରେ ବସିଥିଲେ ବିନୟବାବୁ ।

 

କାନ୍ଥରେ ଟଙ୍ଗାହୋଇଥିବା ଗୋଲ୍ ଘଡ଼ିଟିକୁ ବାରମ୍ବାର ଦେଖୁଥାନ୍ତି । ଏଗାରଟା ବାଜିବାକୁ ଆଉ ପଚିଶ ମିନଟ୍ ବାକି ଅଛି ।

 

ଭୃତ୍ୟ ନରହରି ବିନୟବାବୁଙ୍କର ଏ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲା । ଇତଃସ୍ତତଃ ହୋଇ କହିଲା–ରାତି ବହୁତ ହେଲାଣି, ବାବୁ !

 

ବିନୟ ବାବୁ ମୁକ ଦୃଷ୍ଟିରେ ଚାହିଁଲେ କେବଳ । କୌଣସି ଉତ୍ତର ଦେଲେ ନାହିଁ ।

ଶୋଇବାକୁ ଯିବେ ନାହିଁ ? ଆଉଥରେ ଯିବେ ନରହରି

ତୁ ଯା’...ମୋର କାମ ଅଛି, ମୃଦୁକଣ୍ଠରେ କହିଲେ ବିନୟବାବୁ ।

ଏତେ ରାତିରେ ପୁଣି କାମଅଛି । ବିସ୍ମିତ ନରହରି ଅର୍ଦ୍ଧସ୍ୱ ଗତୋକ୍ତି କଲା ।

 

ଜଣକର ଆସିବାର ଅଛି । ତାଙ୍କରି ଅପେକ୍ଷାରେ ରହିଛି । ତୁ’ଯା ଶୋଇବୁ । କିଛି ଦରକାର ପଡ଼ିଲେ ମୁଁ ଡାକିବି...ଚେୟାରଟିରେ ଆରାମ କରି ବସିଲେ ବିନୟବାବୁ । ନରହରି ନିଶବ୍ଦରେ ଘରୁ ବାହାରି ଗଲା ।

 

ବିନାୟବାବୁ ଉଠି ଠିଆ ହେଲେ । କାନ୍ଥ ଆଲମାରୀ ଖୋଲି ଗୋଟିଏ କାଗଜ ପୁଡ଼ିଆ ବାହାର କରି ଟେବୁଲ ଉପରେ ରଖିଲେ । କାଗଜ ପୁଡ଼ିଆ ଖୋଲିବା ମାତ୍ରେ ଦେଖାଗଲା–ଗୋଟିଏ ଅତି ଉଜ୍ଜ୍ୱଳ ମୂର୍ତ୍ତି । ହର-ପାର୍ବତୀଙ୍କର ଯୁଗଳମୂର୍ତ୍ତି ।

 

ଅନେକ ବେଳଯାଏ ମୂର୍ତ୍ତିଟି ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁ ରହିଲେ ବିନୟବାବୁ । ଲୋଭରେ ଆଖି ଦୁଇଟିର ଦୃଷ୍ଟି ଚକ୍ ଚକ୍ ଦେଖାଗଲା ।

 

ବାହାରେ ଖଣ୍ଡେ ଗାଡ଼ି ବ୍ରେକ୍ କଷି ଛିଡ଼ାହେଲା । ଶବ୍ଦ ଶୁଣିପାରିଲେ ବିନୟବାବୁ । ସାଙ୍ଗେ ସାଙ୍ଗେ ମୂର୍ତ୍ତିଟିକୁ ଘୋଡ଼ାଇ ଦେଲେ । ସ୍ଥିର ଦୃଷ୍ଟି ନିବଦ୍ଧ ହେଲା ଖୋଲା ଦୁଆର ଆଡ଼େ ।

 

ନୀଳରଙ୍ଗର ଭାରି ପର୍ଦ୍ଦା ମୁହୂର୍ତ୍ତକପାଇଁ ଥରି ଉଠିଲା ।

 

ଆଗନ୍ତୁକ ଘର ଭିତରକୁ ଆସିଲେ । ମୁଣ୍ଡରେ ସାହେଵୀ ଟୋପୀ, ସୁନ୍ଦର ନିଶ ଯୋଡ଼ିକ, ସାଧାରଣ ଦେହର ଗଠନ । ଗରମ କପଡ଼ାର ସୁଟ୍ । ଧଳାସାଟ୍‍ର ବୁକୁରେ ରଙ୍ଗିନ୍ ଟାଇ ।

 

ବିନୟବାବୁ ବିସ୍ମିତ ହେଲେ ସୁଦ୍ଧା ମନେ ମନେ ଭାବିଲେ, ଯାହାଙ୍କର ଆସିବାର କଥା, ତାଙ୍କ ପରିବର୍ତ୍ତେ ଏ ପୁଣି କିଏ ଆସିଲେ ? ଆଜି ରାତିରେ କିଏ ଯେ ଏଠାକୁ ଆସିବେ ତାହା ଅନ୍ୟଲୋକ ଜାଣିଲେ କିପରି ?

 

ଆଗନ୍ତୁକ ଘରର ମଧ୍ୟସ୍ଥଳରେ ଠିଆହୋଇ ଚାରିଆଡ଼େ ଦୃଷ୍ଟି ସଞ୍ଚାଳନ କଲା । ବସନ୍ତୁ ! ବିନୟବାବୁ ଆଗନ୍ତୁକକୁ ଲକ୍ଷ୍ୟ କରି କହିଲେ । ଆଗନ୍ତୁକ ମୃଦୁ ହସି ଚେୟାରରେ ବସିଲେ ।

 

ଅଶୋକା ଦେବୀ କଣ କହିଲେ ? ପଚାରିଲେ ବିନୟବାବୁ । ଆଗନ୍ତୁକକୁ ସେ ଚିହ୍ନିପାରିଛନ୍ତି । କ୍ଷଣକର ସ୍ତବ୍‍ତା ।

 

ଅଶୋକାଦେବୀଙ୍କ କଥାତ’ ଆପଣ ଶୁଣିଛନ୍ତି...ନୀରବତା ଭଙ୍ଗକରି ଆଗନ୍ତୁକ ଶାନ୍ତ ଧୀର କଣ୍ଠରେ କହିଲେ ।

 

କିନ୍ତୁ ମୁଁ ସେଥିରେ ରାଜି ନୁହେଁ ।

ଷାଠିଏହଜାର ଦେବେ ବୋଲି ସେ କହିଛନ୍ତି ।

ଦେଢ଼ଲକ୍ଷ ନୋହିଲେ ମୁଁ ଦେବିନାହିଁ...

ଆଗନ୍ତୁକ ହସିଲା । ଅଦ୍ଭୁତ ଯାନ୍ତୁକ ହସ । କହିଲା–ଆଜି କାଲିଦିନରେ ସାମାନ୍ୟ ମୂର୍ତ୍ତିପାଇଁ ଦେଢ଼ଲକ୍ଷ ଟଙ୍କା କିଏ ଦେବେ ?

ତା’ନହେଲେ ହୀରାଗୁଡ଼ିକ ବାହାର କରି ସୁନାତକ ଆଉଟି ବିକ୍ରି କରିବାକୁ ହେବ...ନିର୍ଲିପ୍ତ କଣ୍ଠରେ କହିଲେ ବିନୟବାବୁ ।

ସୁନା ଆଉଟି ବିକ୍ରୟ କରିବେ ? ଆଶ୍ଚର୍ଯ୍ୟ କଣ୍ଠ ଆଗନ୍ତୁକର । କାହିଁକି ନହେବ ? ମୁଁ ବ୍ୟବସାୟୀ, ଲାଭ କ୍ଷତି ମୁଁ ବେଶ୍ ବୁଝିପାରେ ।

ଆଗନ୍ତୁକ ନୀରବରେ କଣ ଭାବିବାକୁ ଲାଗିଲା । ଅଖଣ୍ଡ ସ୍ତବ୍‌ଧତା କିଛିକ୍ଷଣପାଇଁ । ପୁଣି ଆଗନ୍ତୁକର କଣ୍ଠସ୍ୱର ଶୁଣାଗଲା–ଠିକ୍ କେତେହେଲେ ଆପଣ ଦେବେ ?

ଦେଢ଼ଲକ୍ଷ ଟଙ୍କାରୁ ଗୋଟିଏ ନୂଆ ପଇସା କମ୍ ହେଲେ ନୁହେଁ ।

କଣ ଭାବିଲା ଆଗନ୍ତୁକ । କହିଲା, ହେଲା ଏବେ ଆପଣଙ୍କ କଥା । ମୂର୍ତ୍ତିଟିକୁ ଆଣନ୍ତୁ, ଦେଖେ ଅସଲି ନା ନକଲି ।

କିନ୍ତୁ ଟଙ୍କା....ବିନୟ ବାବୁ ଚାହିଁଲେ ଆଗନ୍ତୁକକୁ ।

ହସିଲା ଆଗନ୍ତୁକ । ସେହି ଯାନ୍ତ୍ରିକ ହସ । କହିଲା, ଜିନିଷ ନ ଦେଖି କେହି କି ଆଗେ ଟଙ୍କା ଦିଅନ୍ତି ? ଯଦି ନକଲି ହୁଏ ?

 

ନକଲି ? କଠିନ ସ୍ୱର ରେ ବିନୟବାବୁ କହିଲେ ।

ଆପଣ ତ’ ନକଲି ଜିନିଷ ବେଶି କାରବାର କରନ୍ତି । ତେଣୁ ସନ୍ଦେହ.....

 

ଭିତରେ ଭିତରେ ଜଳି ଉଠିଲେ ବିପିନବାବୁ । ମୁହଁର ଚମଡ଼ା ଶକ୍ତ ଦେଖାଗଲା । ଆଖିରେ ଦୃଢ଼ତା ଫୁଟି ଉଠିଲା । କାଗଜ ପୁଡ଼ିଆ ଖୋଲି ମୁର୍ତ୍ତିଟିକୁ ଟେବୁଲ ଉପରେ ରଖିଲେ ।

 

ଆଗନ୍ତୁକର ଆଖି ଦୁଇଟି ମୁହୂର୍ତକ ପାଇଁ ଜଳି ଉଠିଲା । ବିଚିତ୍ର ହସ ମଧ୍ୟ ଖୋଲିଗଲା ଓଠର ଫାଙ୍କ ଦୁଇଟିରେ । କହିଲା, ରସିଦ ଲେଖନ୍ତୁ–ଟଙ୍କା ଦେଉଛି ।

 

ରସିଦ୍ ଦେଇ ପାରିବି ନାହିଁ, କ୍ଷମା କରିବେ । ଇନ୍‌କମ୍ ଟ୍ୟାକ୍‌ସ କେତେ ପଡ଼ିବ ନିଶ୍ଚୟ ବୁଝି ପାରୁଛନ୍ତି, ତେଣୁ–ବିନୟବାବୁ ହସୁଥାନ୍ତି, ବ୍ୟବସାୟୀ ସୁଲଭ ହସ ।

 

ଆଗନ୍ତୁକ ସ୍ଥିରଦୃଷ୍ଟିରେ ଚାହିଁଥାଏ । କ୍ରମେ ଗମ୍ଭୀର ହୋଇ ଆସିଲା ଆଗନ୍ତୁକର କଣ୍ଠ । କହିଲା–ତେବେ ନେଇଯାଉଛି...

 

ଟଙ୍କା ? ଆଗନ୍ତୁକକୁ ଉଠିବା ଦେଖି ବିନୟ ବାବୁ କହିଲେ ।

ପ୍ରକୃତରେ ଆପଣ ଟଙ୍କା ଚାହାନ୍ତି ?

ଆଶ୍ଚର୍ଯ୍ୟ ଲୋକ ଆପଣ ! ଟଙ୍କା ନ ପାଇଲେ–

ମୁଁ କିନ୍ତୁ ଆପଣଙ୍କୁ ଟଙ୍କା ଦେବି ନାହିଁ, ବିନୟବାବୁ !

 

ଚମକି ପଡ଼ିଲେ ବିନୟ ବାବୁ ! ଲୋକଟା କଣ ତାଙ୍କ ସହିତ ପରିହାସ କରୁଛି । କହିଲେ,–ଟଙ୍କା ଆପଣ ଦେବେ ନାହିଁ ?

 

ନା...ଦୃଢ଼ କଣ୍ଠରେ ଆଗନ୍ତୁକ ପୁନର୍ବାର କହିଲା ।

ମୁଁ ଥାନାକୁ ଫୋନ କରିବି...ଉଠି ଠିଆହେଲେ ବିନୟବାବୁ ।

 

ଫୋନ କରନ୍ତୁ । ଚୋରୀର ଅପରାଧରେ ଆପଣ ନିଜେ ଧରାହେବେ । ଆଗନ୍ତୁକ ପକେଟରୁ ଗୋଟେ ରୁମାଲ ବାହାର କରି ମୂର୍ତ୍ତିଟିକୁ ସଯତ୍ନରେ ଗୁଡ଼ାଇ ପକେଟରେ ରଖିଲା ।

 

ମୂର୍ତ୍ତି ଫେରାଇ ଦିଅନ୍ତୁ...ଚିତ୍କାର କରି ଉଠିଲେ ବିନୟବାବୁ ।

ହିଂସ୍ର ଦୃଷ୍ଟିରେ ତାଙ୍କୁ ଦେଖି ଆଗନ୍ତୁକ ବାହାରକୁ ଯିବା ଲାଗି ଗୋଡ଼ ବଢ଼ାଇଲା ।

 

ମୁହୂର୍ତ୍ତକ ଭିତରେ ବିନୟବାବୁ ଟେବୁଲ୍ର ଡ୍ରୟାର ଭିତରୁ ଲୋଡେଡ୍ ପିସ୍ତଲ୍‌ଟିକୁ ବାହାର କରି ଆଣିଲେ । ଯଥାସାଧ୍ୟ ସଞ୍ଜତ କଣ୍ଠରେ କହିଲେ–ଫେରାଇ ଦିଅନ୍ତୁ...

 

ଆଗନ୍ତୁକ ଫେରି ଚାହିଁଲା । ଅପୂର୍ବ ହସ ଓଷ୍ଠାଧାର ଦୁଇଟିରେ । ସ୍ଥିର ଦୃଷ୍ଟିରେ ପୁଣି କେତୋଟି ମୁହୂର୍ତ୍ତଯାଏ ଚାହିଁଲା ବିନୟବାବୁଙ୍କ ଆଡ଼େ । ହଠାତ୍ ଶବଦ୍ କରି କହିଲା, ମେନେଜର ବାବୁ ! ଆପଣ ଆସିଛନ୍ତି ?

 

ବିନୟବାବୁ କିଛି ବୁଝି ନପାରି ଅନ୍ୟମନସ୍କ ହେଲେ ।

 

ମାତ୍ର ଗୋଟିଏ ସେକେଣ୍ଡ୍, ଆଗନ୍ତୁକ ହାତରୁ ଛୁରୀ ଖଣ୍ଡିକ ଘରର ବୈଦ୍ୟୁତିକ ଆଲୋକ ସ୍ପର୍ଶରେ ଝିଲ୍‌ମଲ୍ ହୋଇ ଉଠିଲା । ଛୁରୀ ଖଣ୍ଡିକ ନିର୍ଭୁଲଭାବେ ବିନୟବାବୁଙ୍କର କଣ୍ଠଦେଶ ଭେଦ କଲା । ରକ୍ତ ଉଛୁଳି ଉଠିଲା ବାହାରକୁ । ମୁହୂର୍ତ୍ତକ ପାଇଁ ଶରୀର କମ୍ପିତ ହୋଇ ଚିରଦିନ ପାଇଁ ସ୍ଥିର ହୋଇଗଲା ।

 

କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ିର ଟିକ୍‌ଟିକ୍ ଶବ୍ଦ ଛଡା ଆଶ୍ଚର୍ଯ୍ୟ ସ୍ତବ୍ଧତା ଘର ଭିତରେ-। ମିନଟ୍ କଣ୍ଟା ଚାଲିଲା ।

 

ବାହାରେ ପୁଣି ଗାଡି ଠିଆହେବାର ଶବ୍ଦ ଶୁଣାଗଲା ।

 

ନୀଳ ପର୍ଦ୍ଦାଟିକୁ ଆଡେଇ ଘର ଭିତରକୁ ଆସିଲେ ମେନେଜର ଘନଶ୍ୟାମବାବୁ । ଦୃଶ୍ୟ ଦେଖି ଚମକି ପଡିଲେ । ଆଖିରେ ମୁଖରେ ଆତଙ୍କର ଚିହ୍ନ ଫୁଟି ଉଠିଲା । ବିସ୍ଫାରିତ ନେତ୍ରରେ ବିନୟବାବୁଙ୍କର ପ୍ରାଣ ହୀନ ରକ୍ତାକ୍ତ ଦେହ ଆଡ଼େ ସେ ଚାହିଁ ରହିଲେ ।

 

ନରହତ୍ୟା ! ଖୁଣ୍...ପ୍ରାୟ ଚିତ୍କାର କରି ଉଠିଲେ ଘନଶ୍ୟାମବାବୁ ।

 

କ୍ରେଡେଲ୍ ଉପରୁ ଫୋନ୍‌ର ରିସିଭରଟିକୁ ଉଠାଇ ନେଇ ନିକଟସ୍ଥ ଥାନା ସହିତ ସଂଯୋଗ ସ୍ଥାପନ କଲେ ।

 

ରାତ୍ରି କୃଷ୍ଣବର୍ଣ୍ଣ ଓଢ଼ଣାରେ ଶରୀର ଆବୃତ କରିଛି ।

ଜ୍ୟୋତ୍ସ୍ନାର ଆଶା ସ୍ଵପ୍ନାତୀତ ।

 

ବ୍ୟାଲକନିର ରେଲିଂ ପାଖରେ ଖଣ୍ଡିଏ ବେତ ଚେୟାରରେ ଆଶୋକା ବସିଛନ୍ତି । ଦୃଷ୍ଟି ତାଙ୍କର ସମ୍ମୁଖ ଆଡ଼େ ପ୍ରସାରିତ ।

 

ଅଳ୍ପ ଦୂରରେ ନିସ୍ତବ୍‌ଧ ଖଣ୍ଡିଏ ଘର । କୃଷ୍ଣଚୂଡ଼ା ଗଛର ଫାଙ୍କ ଦେଇ ଗବାକ୍ଷ ବାଟେ କ୍ଷୀଣ ଆଲୋକର ରେଖା ପରିଷ୍କାର ଦେଖାଯାଏ ।

 

ଉଦ୍ୟାନ ବଟିକା ।

 

ଜମିଦାର ବଂଶର ଜଣେ ପୂର୍ବପୁରୁଷ ପ୍ରତାପଚନ୍ଦ୍ର ସିଂହ ଯେଉଁ ବର୍ଷ ରାୟବାହାଦୁର ଉପାଧି ପାଇଲେ ସେହି ବର୍ଷ ଇଂରେଜ଼ କର୍ମଚାରୀମାନଙ୍କ ପାଇଁ ଭୁରି-ଭୋଜନର ଆଶାକୁ ମୃଦୁ କରିଥିଲେ ।

 

ଅଶୋକାଙ୍କର ଚକ୍ଷୁ ସମ୍ମୁଖରୁ ଉଦ୍ୟାନ-ବାଟିକାରେ ପଥର ଲୁହ ଯେପରି କ୍ରମେ କ୍ରମେ ଅପସାରିତ ହୋଇଆସିଲା । ବିରାଟ ଫାଙ୍କ ଦେଖାଗଲା କାନ୍ଥର ବେଷ୍ଟନୀ ମଧ୍ୟରେ । ଅତୀତ ସେହି ଦୃଶ୍ୟଟି ଆଜି ପୁଣି ନବରୂପ ଧାରଣକଲା ।

 

ଜମିଦାର ଅବନିକାନ୍ତ ସାଙ୍କୁସ ମାଛର ଚାବୁକ୍ ହାତରେ ଧରି ଠିଆ ହୋଇଥାନ୍ତି । ଚାବୁକ୍ ଖଣ୍ଡିକ କୃଦ୍ଧ ସର୍ପପରି ହିସ୍ ହିସ୍ ଶବ୍ଦ କରୁଥାଏ ।

 

ଘରର ଚଟାଣ ଉପରେ ପଡିଥାଏ ଜଣେ ଯୁବକ । ସୁନ୍ଦର ସୁଠାମ ସୁଗଠିତ ଦେହରେ ରକ୍ତର ଦାଗ–ନିଶ୍ଚଳ ଶରୀର ।

 

ଚାବୁକ ଖଣ୍ତିକା ତଳେ ପକାଇଦେଲେ ଅବନୀକାନ୍ତ । ଅଗ୍ନି ଦୃଷ୍ଟିରେ ଚାହିଁଲେ ଯୁବକଟିର ନିର୍ଜୀବ ଶରୀର ଆଡ଼େ । ତାପରେ ସେଠାରୁ ବାହାରି ଆସିଲେ ।

 

ଅନ୍ୟ ଗୋଟିଏ କକ୍ଷ । ଦ୍ୱାର ଖୋଲି ଭିତରକୁ ଆସିଲେ ଅବନୀକାନ୍ତ ।

 

ଘର ଭିତରେ ଛିଡା ହୋଇଥିଲା ଗୋଟିଏ ତରୁଣୀ । କ୍ରନ୍ଦନରତା । ସବୁଜ ସତେଜ ପତ୍ର ଉପରେ ଯେପରି ମୁକ୍ତାଦାନା ପରି ଶିଶିର ବିନ୍ଦୁ ଟପ୍ ଟପ୍ ହୋଇ ପଡୁଥାଏ । ତାଙ୍କୁ ଦେଖିବାମାତ୍ରେ ମିନତିଭରା ଦୃଷ୍ଟିରେ ଚାହିଁଲା । କମ୍ପିତ କଣ୍ଠରେ କହିଲା–ଭାଇ !

 

କଣ ! ଅବନୀକାନ୍ତ ଗମ୍ଭୀର କଣ୍ଠରେ ପଚାରିଲେ ।

 

ତାକୁ ଛାଡିଦିଅ, ଭାଇ ! ଅବରୁଦ୍ଧ କ୍ରନ୍ଦନର ଆବେଗରେ ତରୁଣୀର ଓଠ ଦୁଇଟି ଥରିବାକୁ ଲାଗିଲା ।

 

କାନ୍ଥରେ ଛାଡି ଦେଇଛି । ଚିରଦିନପାଇଁ ପୃଥିବୀରୁ ତାକୁ ବିଦାୟ କରି ଆଶ୍ଚର୍ଯ୍ୟର ସ୍ତବ୍‌ଧତା ଆଉ କେବେହେଲେ ସେ ଆସିବ ନାହିଁ ଏହି ବଂଶର ବାହାରେ କଳଙ୍କର ଲେପନ ଦେବାଲାଗି....ହସିଲେ ଅବନୀକାନ୍ତ ।

 

ନୀଳ ପର୍ଦ୍ଦାର୍ତ୍ତନାଦ କରି ଉଠିଲା ତରୁଣୀ । ଚିତ୍କାର କରି କହିଲା–ଘନଶ୍ୟାମବାବୁ କରିଛ-

 

ହଁ, ଜମିଦାର ବଂଶର ଝିଅ ସହିତ ପ୍ରେମ କରିବା ମହା ଅପରାଧ । ସେହି ଅପରାଧର ଶାସ୍ତି ତାକୁ ଦିଆଯାଇଛି.... ଅବନୀକାନ୍ତ ଅତି କର୍କଶ ଭାବେ କଥାଗୁଡ଼ିକ କହିଲେ ।

 

ସ୍ତମ୍ବିତ ହେଲା ତରୁଣୀ । ମୁହୂର୍ତ୍ତକ ପାଇଁ ଚକ୍ଷୁ ଦୁଇଟି ଅସ୍ୱାଭାବିକଭାବେ ଉଜ୍ଜ୍ୱଳ ହୋଇ ଉଠିଲା । କୁଟୀର ବସ୍ତ୍ରାଭ୍ୟନ୍ତରରୁ ଟାଣି ଆଣିଲା ଖଣ୍ଡିଏ ତୀକ୍ଷ୍ମଣଧାର ଛୁରୀକା । ପଲକ ଭିତରେ ଛୁରୀ ସହିତ ହାତଟି ଉର୍ଦ୍ଧ୍ୱକୁ ଉଠି ପରମୁହୂର୍ତ୍ତରେ ନିଜର ବୁକୁ ଭେଦକଲା ।

 

ତଳେ ପଡ଼ିଗଲା ତରୁଣୀ ।

 

ଅଶୋକା ଆଉ ସହ୍ୟ କରିପାରିଲେ ନାହିଁ । ଆତଙ୍କରେ ଚକ୍ଷୁ ଦୁଇଟି ବୁଜି ହୋଇଗଲା-। ଏହି ବଂଶର ପୁରୁଷମାନେ କେଡ଼େ ନିର୍ମମ । ସେମାନଙ୍କ ଜୀବନରେ ନାରୀର ପ୍ରୟୋଜନ ଅବଶ୍ୟ ଅଛି, କିନ୍ତୁ ନାରୀ ପ୍ରତି ମମତା, ସ୍ନେହ, ପ୍ରେମକୁ ଏମାନେ ପ୍ରଶୟ ଦିଅନ୍ତି ନାହିଁ-

 

ମା’–

ଅଶୋକାଙ୍କର ଭାବନାରେ ବାଧା ପଡ଼ିଲା । ଅଶ୍ରୁ ପୋଛି ଚାହିଁଲେ ପଛକୁ ।

ରାଧାଚରଣ ! ମାନେ ଷ୍ଟ୍ରେଟ୍‍ର ବିଶ୍ୱସ୍ତ କର୍ମଚାରୀ ରାଧାଚରଣ ଠିଆ ହୋଇଛି ।

ମ୍ୟାନେଜରବାବୁ ବାରିଷ୍ଟର ମିଃ-ଦାସଙ୍କ ପାଖକୁ ଯାଇଛନ୍ତି.....କହିଲା ରାଧାଚରଣ ।

ବୋଧହୁଏ ଫେରୁ ଫେରୁ ଡ଼େରି ହେବ.....ଅଶୋକା ମୃଦୁ ସ୍ୱରରେ କହିଲେ ।

ହଁ ମା’–

 

କଣ ଖବର, ରାଧାଚରଣ....ଅଭୟକାନ୍ତ ଆଗେଇ ଆସିଲେ । ସନ୍ଧ୍ୟା ବେଳଟାରେ ପାଦ ଟାଳିବାକୁ ଲାଗିଛି । ମାଦକ ଦ୍ରବ୍ୟର ପ୍ରଭାବରେ ଆଖି ଦୁଇଟି ଜଵାବର୍ଣ୍ଣ ଧାରଣ କରିଥାଏ ।

 

ଅଶୋକା ବିରକ୍ତରେ ଭ୍ରୂ–ଦୁଇଟି କୁଞ୍ଚିତ କରି ମୁହଁବୁଲାଇ ନେଲା । ରାଧାଚରଣ ମଧ୍ୟ ନିଜକୁ ବଡ ଅସହାୟ ବୋଲି ମନେକଲା ।

 

ସମସ୍ତଙ୍କୁ ନିରବ ରହିବା ଦେଖି ଅଵୟକାନ୍ତ ପୁନର୍ବାର କହିଲେ–କେହି କଥା କହୁନାହିଁ ଯେ....କି ଆଶ୍ଚର୍ଯ୍ୟ !

 

ତୁମେ ଏତେବେଳେଯାଏ ଘରେ ଅଛ ! ବ୍ୟଥାତୁର କଣ୍ଠରେ କହିଲେ ଅଶୋକା ।

 

ନଥିଲେ ବୋଧହୁଏ ତୁମେ ଖୁବ ଖୁସି ହେଉଥାନ୍ତ ? ....ହସିଲେ ଅଭୟକାନ୍ତ । ମୁହୁର୍ତ୍ତ ନୀରବ ରହି ପୁଣି କହିଲେ–ମୋର କିଛି ଟଙ୍କା ଦରକାର ! କିଛି ଦିଅତ.......

 

ଟଙ୍କା ? ....ଅଶୋକା ବିସ୍ମିତ ଦୃଷ୍ଟିରେ ଚାହିଁଲେ ଅଭୟକାନ୍ତଙ୍କୁ ।

 

ଟଙ୍କା କଥା ଶୁଣି ଖୁବ ଆଶ୍ଚର୍ଯ୍ୟ ହେଉଛ ବୋଲି ମନେ ହେଉଛି....ଅଭୟକାନ୍ତ ହସି ହସି କହିଲେ ।

 

ଆଶ୍ଚର୍ଯ୍ୟ ହେବା କଥା ନୁହେଁ କି ? କାଲି ମୁଁ ତୁମକୁ ହଜାରେ ଟଙ୍କା ଦେଇଛି....ଆଉ ଆଜି....

 

ହଜାରେ କଣ କହୁଛ ? ଆଜିତ’ ପାଞ୍ଚ ହଜାର ଦରକାର ।

 

ମୋ’ ପାଖରେ ଆଉ ଟଙ୍କା ନାହିଁ...କଠିନ କଣ୍ଠରେ କହିଲେ ଅଶୋକା ।

 

ଏତେ ଶୀଘ୍ର କଣ ରାଜଭଣ୍ଡାର ଶୂନ୍ୟ ହେବା କଥା ! ମୋର ବଂଶଧର ଏପର୍ଯ୍ୟନ୍ତ ବାଈଜୀ ଦୁଆର ମାଡ଼ି ନାହିଁ...କୁତ୍ସୀତ ହସ ହସିଲା ଅଭୟକାନ୍ତ ।

 

ଏ କଥା ଉଚ୍ଚାରଣ କରିବାକୁ ଲଜ୍ଜା ହୁଏନା...ଦୁନିଆର ସବୁ ଘଣା ଉପୁଚି ଉଠିଲା ଅଶୋକାର ବିଷର୍ଣ୍ଣ ମୁହଁଟିରେ ।

 

ବେହିଆଙ୍କ ପରି ସଶଦ ହସ ହସିଲେ ଅଭୟକାନ୍ତ । କହିଲେ,ଟଙ୍କା ମୋର ପ୍ରକୃତରେ ଦରକାର ଅଶୋକା !

 

ଟଙ୍କା ମୋ’ ପାଖରେ ନାହିଁ ।

ନାହିଁ, ନାଁ ଦେବାର ଇଚ୍ଛା ନାହିଁ ? ଅଭୟକାନ୍ତ ଗମ୍ଭୀର କଣ୍ଠରେ ପଚାରିଲେ ।

 

କାହିଁକି, ତୁମେ ବୁଝନାହିଁ ଯେ ଜମିଦାରୀ ଆଉ ନାହିଁ । ମିଲ୍ ସବୁ ସରକାର ଜାତୀୟ କରଣ କରିବାକୁ ବସିଛନ୍ତି ।ବର୍ତମାନ ପାଣି ପରି ଟଙ୍କା ଉଡ଼ାଇଲେ କେତେଦିନ ଚାଲିବ କୁହତ ? ଅଶୋକା ମିନତୀଭରା ଦୃଷ୍ଟିରେ ଚାହିଁଲେ ।

 

ଉପଦେଶ ଦିଅନା, ଅଶୋକା ! ଏ ସବୁ ସହ୍ୟ ହୁଏନା.....ଅସହିଷ୍ଣୁ କଣ୍ଠରେ କହିଲେ ଅଭୟକାନ୍ତ ।

 

ମା’ କିଛି ଅନ୍ୟୟ କହିନାହାନ୍ତି, ବାବୁ ! ...ବିନୀତ କଣ୍ଠରେ କହିଲା ରାଧାଚରଣ ।

 

ରାଧାଚରଣ ! ତୁମେ ଚୁପ୍ କର....ଧମକ ଶୁଣି ରାଧାଚରଣ ତୁନି ହୋଇ ଠିଆହେଲା । ସର୍ବାଙ୍ଗ ଯେପରି ଜଳିଗଲା ଅଭୟକାନ୍ତର, ରାଗରେ ସେ ଆଗେଇ ଆସିଲା ଅଶୋକାର ଖୁବ ନିକଟକୁ । ଦୃଷ୍ଟି ପଡ଼ିଲା ଅଶୋକାର ଗଳାରେ ଝୁଲୁଥିବା ନେକ୍‍ଲେସ୍‍ଟି ଉପରେ । ଲକେଟର ହୀରକ ଖଣ୍ଡିକ ଜଳୁଛି ଯେପରି ।

 

ଭାରି ସୁନ୍ଦର ଏହି ନେକ୍ଲେସ୍ ଖଣ୍ଡିକ... ଅଭୟକାନ୍ତର ଓଷ୍ମାଧାରରେ ବିଦ୍ୟୁତ୍ ଚମକପରି ସୂକ୍ଷ୍ମ ହସଟି ଦେଖାଦେଇ ସାଙ୍ଗେ ସାଙ୍ଗେ ମିଳାଇଗଲା ।

 

ଅଶୋକା ଚମକି ପଡିଲେ । ବାଁ-ହାତରେ ନେକ୍‍ଲେସ୍ ଟିକୁ ଚାପି ଧରିଲେ ସେ । ସମ୍ପୂର୍ଣ୍ଣ ମଳିନ ପଡ଼ିଗଲା ସ୍ନିଗ୍ଧ ମୁହଁଟି ।

 

ଦେଖେ...ହାତ ବଢ଼ାଇଲେ ଅଭୟକାନ୍ତ । ତାପରେ ଜୋର କରି ହାରଟିକୁ ଛିଣ୍ଡାଇ ନେଲେ । ଯନ୍ତ୍ରଣାରେ ଅସ୍ଫୁଟ ଶବ୍ଦ ଅଶୋକାର ମୁହଁରୁ ବାହାରି ପଡ଼ିଲା । ବିବର୍ଣ୍ଣ ସର୍ବାଙ୍ଗ ବିଷାକ୍ତ ହୋଇ ଆସିଲା ।

 

ଆଜି ରାତିଟା କୌଣସି ପ୍ରକାରେ ଚଳିଯିବ...କହି ଅଭୟକାନ୍ତ ଯାଉ ଯାଉ ଫେରି ପଡ଼ି ଚାହିଁଲେ । ଅଶୋକା ଆଡ଼େ । ଅଶୋକା ଅଶ୍ରୁରୁଦ୍ଧ ହୋଇ କଣ୍ଠରେ କହିଲେ–ତୁମେ ଏତେ ତଳକୁ ଖସିଯାଇଛ । ଛିଃ–

 

ନିର୍ଲଜଙ୍କ ପରି ହସିଲେ ସେ । କିଛି ନ କହି ଧୀରେ ଧୀରେ ବାଲ୍‍କନିରୁ ତଳକୁ ଓହ୍ଲାଇ ଆସିଲେ ।

 

ସ୍ତବ୍ଧ ଆଶ୍ଚର୍ଯ୍ୟ ସ୍ତବ୍‌ଧତା ଘରଟି ଭିତରେ ।

 

ଅଶୋକାର କୋହ କିଞ୍ଚିତ ପ୍ରଶମିତ ହେବା ପରେ କହିଲେ–ରାଧାଚରଣ ବାବୁ ! ଆଉ କିଛି କହିପାରିଲେ ନାହିଁ ସେ । ଅଶ୍ରୁ ସିକ୍ତ ନୟନରେ ଚାହିଁଲେ ରାଧାଚରଣ ଆଡ଼େ ।

 

ମା’ ! ...ସହାନୁଭୂତି କଣ୍ଠସ୍ୱର ରାଧାଚରଣର ।

 

ଆଉ ମୁଁ ସହ୍ୟ କରିପାରୁନାହିଁ.....

 

ଆପଣଙ୍କୁ ଏଣିକି କଠିନ ହେବାକୁ ପଡ଼ିବ । ଏହି ବିଶାଳ ସମ୍ପତ୍ତିର ଆପଣ ଏକମାତ୍ର ମାଲିକ । ଏପରିଭାବେ ଆପଣଙ୍କୁ ଅପମାନ କରିବା କ୍ଷମତା କିମ୍ବା ଅଧିକାର ତାଙ୍କର ନାହିଁ ।

 

ମୁଁ ଯେ ତାଙ୍କର ସ୍ତ୍ରୀ...ଶୋକରେ ମୁହ୍ୟମାନା ଅଶୋକାର କଣ୍ଠ ରୁଦ୍ଧ ହୋଇଆସିଲା ।

 

ସ୍ତ୍ରୀ ବୋଲି ଆପଣ କଣ ଏତେ ଅପମାନ ଓ ଲାଞ୍ଛନା ସହ୍ୟ କରୁଛନ୍ତି ? ଆପଣ ଶିକ୍ଷିତା-। ଏସବୁ କଥା ଆପଣଙ୍କ ମୁହଁରେ ଶୋଭାପାଏନା...ଦୃଢ଼ କଣ୍ଠରେ କହିଲା ରାଧାଚରଣ ।

 

ମୁଁ ନିଜକୁ ବଡ଼ ଦୁର୍ବଳ ମନେକରେ, ରାଧାଚରଣ ବାବୁ । ସେ ଯେତେବେଳେ ମୋ ସାମ୍ନାରେ ଆସି ଛିଡ଼ାହୁଅନ୍ତି ମୁଁ ସେତେବେଳେ ଭୟାନକ ଦୁର୍ବଳତାବୋଧ କରେ.....ବେଦନା ଝରିପଡ଼ୁଥିଲା ଅଶୋକାର କଣ୍ଠରୁ ।

 

କି ଉତ୍ତର ଦେବେ ରାଧାଚରଣ କିଛି ସ୍ଥିର କରିପାରିଲେ ନାହିଁ । ଅପଲକ ଦୃଷ୍ଟିରେ ସେ ଚାହିଁରହିଲେ ଅଶୋକା ଦେବୀଙ୍କୁ ।

 

ପୁଣି ଥରେ ସ୍ତବ୍‌ଧତା ନଇଁ ଆସିଲା ।

ଏଥର ମଧ୍ୟ ସ୍ତବ୍‌ଧତା ଭଙ୍ଗ କଲେ ଅଶୋକା ।

 

ମେନେଜରବାବୁ ଫେରିବା ସାଙ୍ଗେ ସାଙ୍ଗେ ମୋତେ ଖବର ଦେବେ, ରାଧାଚରଣବାବୁ-?

 

ବିନୟବାବୁ ଖୁଣ୍ ହୋଇଛନ୍ତି, ମେନେଜରବାବୁ ହର-ପାର୍ବତୀ ମୂର୍ତ୍ତି ପାଇନାହାନ୍ତି । ମୃଦୁ କଣ୍ଠରେ କହିଲା ରାଧାଚରଣ ।

 

କଣ ଯେପରି ଚିନ୍ତା କରିବାକୁ ଲାଗିଲେ ରାଧାଚରଣ । ପରେ ଅତି ଧୀର କଣ୍ଠରେ କହିଲେ–ଆପଣ କଣ ତାଙ୍କ ପାଖରୁ ମୁକ୍ତି ଚାହାନ୍ତି, ମା !

 

ଚମକି ପଡିଲେ ଅଶୋକା । ଓଷ୍ଠାଧାରରେ ଚହଲି ଉଠିଲା ଆନନ୍ଦର କ୍ଷୀଣ ରେଖା । ଧିର କଣ୍ଠରେ କହିଲେ–ହଠାତ୍ ଏପରି ପ୍ରଶ୍ନ କାହିଁକି କରୁଛନ୍ତି..ରାଧାଚରଣବାବୁ ।

 

ମୁଁ ଜଣେ, ସ୍ୱାମୀଙ୍କର ଦୁର୍ବ୍ୟବହାରର ଆପଣ ଅତି ଅସନ୍ତୁଷ୍ଟ । ଆପଣ ମନେ ମନେ ତାଙ୍କର ମୃତ୍ୟୁ କାମନା କରୁଛନ୍ତି...କହି ତୀକ୍ଷ୍‌ଣ ଦୃଷ୍ଟିରେ ରାଧାଚରଣ ଲକ୍ଷ କଲେ ଅଶୋକାଙ୍କୁ ।

 

ଅଶୋକାର ସର୍ବ ଅବୟବରେ ଭୟର ତରଙ୍ଗ ରଞ୍ଜିତ ହେଲା । ମନେ ହେଲା କେତେବେଳେ ହୁଏତ’ ତା’ର ଗୋପନ ଅଭିଳାଷ ବାହାରେ ପ୍ରକାଶିତ ହୋଇ ପଡିଛି । ହଠାତ୍ କୌଣସି ଉତ୍ତର ସେ ଦେଇପାରିଲେ ନାହିଁ ।

 

ରାଧାଚରଣ ଆଉ ଥରେ ମନେ ପକାଇ ଦେଲେ । କହିଲେ–ମୁଁ ଆପଣଙ୍କର ମଙ୍ଗଳ କାମନା କରେ, ମା !ଆପଣ ଯଦି ମୋର କଥାନୁଯାୟୀ କାର୍ଯ୍ୟ କରନ୍ତି ତାହାହେଲେ ନିଶ୍ଚୟ ସ୍ୱାମୀଙ୍କର ଅତ୍ୟାଚାରରୁ ରକ୍ଷା ପାଇବେ । .....ଦୃଢ଼ କଣ୍ଠରେ କହିଲେ ରାଧାଚରଣ ।

 

କଣ କହିଲେ ? .....ଅଶୋକା ଅଭିଭୂତା ହେଲେ । ଭିତରେ ଭିତରେ ମନ ତାଙ୍କର ଚଞ୍ଚଳ ହୋଇ ଉଠିଲା । ଆଖି ଆଗରେ ଝଲସି ଉଠିଲା ମୁକ୍ତିର ସ୍ୱାଦ ।

 

ବିନୟବାବୁଙ୍କର ମୃତ୍ୟୁ ହେତୁ ପୁଲିଶ ମେନେଜରବାବୁଙ୍କୁ ସନ୍ଦେହ କରୁଛନ୍ତି । ସେ ତାଙ୍କର କଥାର ସତ୍ୟତା ପ୍ରମାଣ ଲାଗି ଆପଣଙ୍କ ନାମ ପ୍ରକାଶ କରିଛନ୍ତି.....ଅତି ମୃଦୁ କଣ୍ଠରେ ରହି ରହି କଥାଗୁଡ଼ିକ ଉଚ୍ଚାରଣ କଲେ ରାଧାଚରଣ ।

 

ମେନେଜରବାବୁ ସତ କଥା କହିଛନ୍ତି.....ଅଶୋକା କହିଲେ ।

 

ପୁଲିଶ ସେହି କଥାର ପ୍ରମାଣ ଆଦାୟ ପାଇଁ ବର୍ତ୍ତମାନ ଆପଣଙ୍କର ଜମାନବନ୍ଦୀ ନେବାକୁ ଆସିବେ । ଆପଣ କିନ୍ତୁ ସବୁ କଥା ଯେପରି ଅସ୍ୱୀକାର କରନ୍ତି ।

 

ନା, ତା’ କେବେ ହୋଇପାରେନା.....ମନେ ହେଲା ଅଶୋକା ଯେପରି ଯଥେଷ୍ଟ ଭୟ ପାଇଛନ୍ତି ।

 

ଆପଣଙ୍କୁ କିନ୍ତୁ କହିବାକୁ ହେବ । କହିବାକୁ ହେବ, ଆପଣଙ୍କର ସ୍ୱାମୀ ମେନେଜରବାବୁ ବିନୟବାବୁଙ୍କ ପାଖକୁ ପଠାଇଥିଲେ–

 

ଏହା କିପରି ସମ୍ଭବ ?

ସମ୍ଭବ ନ ହେଲେ ଆପଣ ସ୍ୱାମୀଙ୍କ କବଳରୁ ମୁକ୍ତି ପାଇବେ କିପରି ?

 

ତା’ବୋଲି ଯାହା ମିଥ୍ୟା, ତାହା କହିବାକୁ ହେବ ? ନିରୀହ ମେନେଜରବାବୁ ମିଥ୍ୟା ଜାଲରେ ପଡ଼ି ହଇରାଣ ହେବେ ? ହୁଏତ’ ପୁଲିଶ ମୋର ସ୍ୱାମୀଙ୍କୁ.....

 

ସନ୍ଦେହ କରିବେ, ଏହିପରି କୌଶଳ ପ୍ରୟୋଗ କରିବାକୁ ହେବ.....କହି ଆତ୍ମପ୍ରସାଦର ହସ ହସିଲେ ରାଧାଚରଣ ।

 

ମୋତେ ଟିକିଏ ଭାବିବା ଲାଗି ସମୟ ଦିଅନ୍ତୁ, ରାଧାଚରଣବାବୁ ! –କ୍ଲାନ୍ତ କଣ୍ଠରେ କହିଲେ ଅଶୋକା ।

 

ରାଧାଚରଣ ଘର ଭିତରୁ ନିଷ୍କ୍ରାନ୍ତ ହେଲେ ।

 

ଅଶୋକା ବସି ରହିଲେ । ଶୀତ ଦିନର ରାତି । ମୃଦୁ ସମୀରଣ ସର୍ବାଙ୍ଗକୁ ସ୍ପର୍ଶ କରୁଛି । ଶୀତଳ ବତାସର ପ୍ରଲୋପ ପଡ଼ୁଥାଏ ମୁହଁ ଉପରେ । ବେଶ୍ ଆରାମ ବୋଧ ହେଉଥାଏ ।

 

ରାଧାଚରଣ ସାମନ୍ତରା । ସୁଦର୍ଶନ ଯୁବକ । ସୁଗାର୍ ମିଲ୍ ଓ କ୍ଳଥ୍ ମିଲ୍ ଅଫିସର ଇନ୍‍-ଚାର୍ଜ । ଚତୁର ଓ କର୍ମଠ । କଥା ଓ ଭାଷା ମାର୍ଜିତ–ବେଶ୍ ଭଲ ଲାଗେ ଶୁଣିବାକୁ । ବୁଦ୍ଧି ମଧ୍ୟ ପ୍ରଖର । ଅଭୟକାନ୍ତ ଯେତେବେଳେ ମୋଟର ଦୁର୍ଘଟଣାରେ ଆହତ ହୋଇ ଶର୍ଯ୍ୟଶାୟୀ ଅବସ୍ଥାରେ ଥିଲେ ସେତେବେଳେ ମେନେଜର ଏହି ଯୁବକଟିକୁ ନିଯୁକ୍ତ କରିଥିଲେ ।

 

ଅଶୋକା ଭାବିଛନ୍ତି । ବହୁତ ଭାବିଛନ୍ତି, ପ୍ରକୃତରେ ରାଧାଚରଣ ତାଙ୍କ ବ୍ୟଥାରେ ବ୍ୟଥିତ । ମେନେଜରବାବୁ ମଧ୍ୟ ବ୍ୟଥିତ ତା’ପାଇଁ । କିନ୍ତୁ ତାର ସ୍ୱାମୀ ? ସାମାନ୍ୟ ହେଲେ କରୁଣା ତାଙ୍କର ନାହିଁ । ନାହିଁ ମମତାବୋଧ, ମାୟା କିମ୍ବା ଭଲ ପାଇବାର ଆଗ୍ରହ । ଏହିପରି ଅପମାନ ଓ ଅବହେଳାରେ କି ତାର ଜୀବନ ପ୍ରଦୀପ ନିର୍ବାପିତ ହେବ ?

 

ଶବ୍ଦ ଶୁଣି ଚମକି ପଡିଲେ ଅଶୋକା । ଫେରିଚାହିଁ ଦେଖିଲେ । ମେନେଜର ଘନଶ୍ୟାମବାବୁ ଠିଆ ହୋଇଛନ୍ତି । କେତେବେଳେ ଆସିଲେ ସେ ? କେହି କଣ ଜାଣିପାରି ନାହାନ୍ତି-? ଲକ୍ଷ୍ୟ କରି ଦେଖିଲେ–ଗୋଟାଏ ଦିନ ଭିତରେ ଘନଶ୍ୟାମବାବୁଙ୍କର ବୟସ ଯେପରି ଦଶ ବର୍ଷ ବଢ଼ିଯାଇଛି । ଆଖି ଦୁଇଟି ଆହୁରି ଭିତରକୁ ପଶିଯାଇଛି । ଅତି ଦୁର୍ବଳ ଦେଖାଯାଉଛନ୍ତି-

 

ଆପଣ ଆସିଛନ୍ତି ମେନେଜରବାବୁ.....ଅଶୋକା ଆନନ୍ଦରେ ଉଦ୍ଭାସିତ ହୋଇ ଉଠିଲେ-

 

ହର-ପାର୍ବତୀଙ୍କର ମୂର୍ତ୍ତି ଆଣିପାରିଲେ ନାହିଁ, ମା ! .....ଅପରାଧୀଙ୍କ ପରି ଠିଆ ହୋଇଥାନ୍ତି ଘନଶ୍ୟାମବାବୁ ।

 

ସୁମଧୁର ହସ ହସି ଅଶୋକା କହିଲେ–ଠିଆହୋଇ ରହିଲେ କାହିଁକି ? ବସନ୍ତୁ–ଅସହାୟ ଭାବେ ଚେୟାରଟିରେ ବସିଲେ ସେ ।

 

କ୍ଷଣିକର ନୀରବତା ।

ଅଶୋକା କହିଲେ–ଆପଣ ଶେଷରେ ଖୁଣ୍ କଲେ, ମେନେଜରବାବୁ !

 

ଘନଶ୍ୟାମବାବୁ ଚମକି ପଡ଼ିଲେ । ଭୟରେ ମୁହଁ ଓ ଆଖି ଦୁଇଟି ବିବର୍ଣ୍ଣ ଦେଖାଗଲା । କୌଣସି ପ୍ରକାରେ ଉଚ୍ଚାରଣ କଲେ–ନା ନା, ମୁଁ ଖୁଣ୍ କରିନାହିଁ.....

 

ଆପଣ ନରହରି ଦୁହେଁ ପରାମର୍ଶ କରି ବିନୟବାବୁଙ୍କୁ ଖୁଣ୍ କରିଛନ୍ତି.....ଅଶୋକାଙ୍କର ଗଳାର ସ୍ୱର ହଠାତ୍ କଠିନ ମନେହେଲା ।

 

ନା-ନ-ନା ! ଆପଣ ବିଶ୍ୱାସ କରନ୍ତୁ ମା’ ! .....ଘନଶ୍ୟାମବାବୁ ଅସହାୟ କଣ୍ଠରେ କହିଲେ ।

 

ଆପଣ ଏହି ଷ୍ଟେଟ୍‍ର ମେନେଜର । ପୁଲିଶର ଦୃଷ୍ଟ ଏଡ଼ାଇ ଆପଣ କେତେ ମନୁଷ୍ୟର ମୃତ ଦେହ ମାଟିତଳେ ଚାପା ଦେଇଛନ୍ତି । ଷ୍ଟେଟ୍‍ର ସ୍ୱାର୍ଥଲାଗି କେତେ ବେ-ଆଇନ କାର୍ଯ୍ୟ କରିଛନ୍ତି । କେତେଗୁଡିଏ ଘଟଣା ମାଟିରୁ ଯଦି କୌଣସି ଗୋଟାଏ ଘଟଣାର ପ୍ରମାଣ ମିଳେ, ତାହାହେଲେ ଆପଣଙ୍କର କି ଶାସ୍ତି ହେବ ଅନୁମାନ କରିପାରୁଛନ୍ତି...ଅଶୋକା କ୍ରମେ ଉତ୍ତେଜିତ ହୋଇ ଉଠିଲେ ।

 

ଆପଣଙ୍କ କଥା ମୁଁ କିଛି ବୁଝିପାରିଲିନାହିଁ ମା ! .....ମନେହେଲା ଘନଶ୍ୟାମବାବୁଙ୍କର ବୁକୁଭିତର ଯେପରି ଥରିଉଠିଲା ।

 

ସେ, ଅର୍ଥାତ୍ ମୋ ସ୍ୱାମୀ କଣ ଆପଣଙ୍କୁ ଖୁଣ୍‍ କରିବାଲାଗି ଆଦେଶ ଦେଇଥିଲେ ? ପୁନର୍ବାର ପ୍ରଶ୍ନ କଲେ ଅଶୋକା ।

 

ଅଭୟକାନ୍ତବାବୁ ?

 

ହଁ । ମୁଁ ଜାଣେ ମେନେଜରବାବୁ, ସେ ଆପଣଙ୍କୁ କହିଥିଲେ, ହର-ପାର୍ବତୀ ମୂର୍ତ୍ତି ଘନଶ୍ୟାମବାବୁ ଯଦି ସ୍ୱେଚ୍ଛାରେ ନ ଦିଅନ୍ତି, ତାହାହେଲେ ଜୋରକରି ଯେପରି ଛଡ଼ାଇ ଆଣିବେ । ଏଇ କଥା କହିଥିଲେ ନା ?

 

ନା, ମା’-ନା । .....ଅଶୋକାର କଥାରେ ବାଧା ଦେବାପାଇଁ ଚେଷ୍ଟା କଲେ ଘନଶ୍ୟାମବାବୁ ।

 

ନା । ସେ ଆପଣଙ୍କୁ ଏହା କରିବାକୁ କହିଥିଲେ । ଆପଣଙ୍କର ବୋଧହୁଏ ମନେନାହିଁ, ବୃଦ୍ଧ ହୋଇଯାଇଛନ୍ତି, ସବୁ କଥା ଆଜିକାଲି ମନେ ରଖି ପାରୁନାହାନ୍ତି । ବେଳେ ବେଳେ ଅନେକ କଥା ଆପଣ ଭୁଲିଯାଆନ୍ତି ବୋଲି ଆପଣଙ୍କ ଉପରେ ଭରସା ନରଖି ସେ ନିଜେ ବିନୟବାବୁଙ୍କୁ ଖୁଣ୍ କରି ମୂର୍ତ୍ତିଟିକୁ ନେଇ ଆସିଛନ୍ତି । ହିଂସ୍ରଭାବେ ଅଶୋକାର ଚକ୍ଷୁ ଦୁଇଟି ଜାଳି ଉଠିଲା ।

 

ଅଭୟକାନ୍ତ ! ନା-ନା, ତାଙ୍କ ପରି କୋମଳ ହୃଦୟ ବ୍ୟକ୍ତି.....

 

ଭୁଲ୍ । ତାଙ୍କର ହୃଦୟ କୋମଳ ନୁହେଁ, ମେନେଜରବାବୁ ! ଶକ୍ତ । ପଥର ପରି କଠିନ-। ଇସ୍ପାତର ଅଗ୍ରଭାଗ ପରି ତୀକ୍ଷ୍‌ଣ । ଯାଆନ୍ତୁ, ବର୍ତ୍ତମାନ ଆପଣଙ୍କର ବିଶ୍ରାମ ଦରକାର ।

 

ଆଉ କୌଣସି କଥା କହିବାର ସୁଯୋଗ ନଦେଇ ଅଶୋକା ଦ୍ରୁତ ପଦରେ ନିଜର ବେଡ଼ ରୁମ୍‌କୁ ଚାଲିଆସିଲେ । ଭୀଷଣ ଗରମ ବୋଧ ହେଉଥାଏ, ମୁଣ୍ଡଟା ଘୁରୁଥାଏ । ସତେ ଯେପରି ବର୍ତ୍ତମାନ ସେ ପଡ଼ିଯିବେ । ଆଉ ଠିଆ ହୋଇପାରିଲେ ନାହିଁ, ବିଛଣାରେ ଶୋଇ ପଡ଼ିଲେ-। କ୍ଲାନ୍ତ ହୋଇ ପଡ଼ିଛନ୍ତି ଅଶୋକା । ନିଶ୍ୱାସ ଦ୍ରୁତ ଗତିରେ ଉଠୁଥାଏ ପଡ଼ୁଥାଏ । ପ୍ରଚଣ୍ଡ ଶାରୀରିକ ପରିଶ୍ରମରେ ସେ ଯେପରି କ୍ଲାନ୍ତ, ଶ୍ରାନ୍ତ ।

 

ଘର ଭିତରର ଆଲୋକଟି ଯେପରି ସ୍ଥିର ହୋଇ ଦେଖୁଛି ତାଙ୍କୁ । ହୁଏତ ସେ ଭାବୁଛି, ଅଶୋକା କେଡ଼େ ହୀନା, କେଡ଼େ ପିଶାଚୀ, ଅଶୋକା ଜାଣେ–ଏହା ହେଉଛି ତାର ମୁକ୍ତି-ପଥର ପ୍ରଥମ ପଦକ୍ଷେପ । ତାର ଜୀବନରେ ଅଭୟକାନ୍ତର ଆଉ ପ୍ରୟୋଜନ ନାହିଁ । ଏହି ବିରାଟ ପୃଥିବୀରେ ଆହୁରି ଅନେକ ପୁରୁଷ ଅଛନ୍ତି । ସେମାନେ ଭଲପାଇ ଜାଣନ୍ତି । ଅର୍ଥ ! ଅଶୋକର ଅର୍ଥ ଯଥେଷ୍ଟ ପରିମାଣରେ ଅଛି । ଏହି ବିରାଟ ଐଶ୍ୱର୍ଯ୍ୟର ଅଧିକାରିଣୀ ସେ । ତାଙ୍କର ଗୋଟିଏ ମାତ୍ର ଇଙ୍ଗିତରେ ଯେ କୌଣସି ମୁହୂର୍ତ୍ତରେ ଅଭୟକାନ୍ତର ମୃତଦେହ ଅବଲୀଳାକ୍ରମେ ଆଶ୍ରୟ ନେଇପାରେ ଉଦ୍ୟାନ-ବାଟିକାରେ ମୃତ୍ତିକା ତଳେ । କିନ୍ତୁ କାହିଁକି ? କାହିଁକି ସେ ମୁକ୍ତି ଚାହାନ୍ତି ? କାହିଁକି ସେ ଅଭୟକାନ୍ତକୁ ସହ୍ୟ କରି ପାରୁନାହାନ୍ତି ।

 

ସୁରା ଓ ନାରୀ ଉଭୟେ ଅଭୟକାନ୍ତର ରକ୍ତ ସହିତ ମିଶିଯାଇଛି । ସେ କଣ କେବେ ହେଲେ ଅନୁତପ୍ତ ହୃଦୟରେ ତା’ଆଗରେ ଆସି ଠିଆ ହେବେନାହିଁ ? କେବେହେଲେ କି ଚାହିଁବେ ନାହିଁ ତା’ ମୁହଁକୁ ! କଣ କରିବ ଅଶୋକା । ମନ ନଥାଇ ଦେହର ବୋଝ ସାହିପାରୁନାହାନ୍ତି । ଏ’ଦେହ ତାଙ୍କର ଖୁବ୍ ଭାରି ହୋଇ ରହିଛି । ବଞ୍ଚିଥାଇ ସୁଦ୍ଧା ସେ ପ୍ରାଣହୀନା ।

 

ନା ! ଅଭୟକାନ୍ତକୁ ସେ ସହ୍ୟ କରିପାରିବେ । ରାଧାଚରଣ, ତୁମେ ମୋର ଏକମାତ୍ର ଅବଲମ୍ବନ.....ଅସ୍ପଷ୍ଟ ଅନୁଚ୍ଚାରିତ କଣ୍ଠରେ କହିଲେ ଅଶୋକା ।

 

ପଲଙ୍କର ମୁଣ୍ଡ ଉପରେ ଛୋଟ ଟେବୁଲ ଉପରେ ଥିବା ଟେଲିଫୋନ୍ ଯନ୍ତ୍ରଟି ସଂକେତ ଘୋଷଣା କଲା । ହାତ ବଢ଼ାଇ କ୍ରେଡେଲ ଉପରୁ ରିସିଭାରଟିକୁ ଉଠାଇନେଲେ ଅଶୋକା ।

 

ହ୍ୟାଲୋ ! ହଁ, ମୁଁ କହୁଛି.....ହଁ-ହଁ, ମୁଁ ଅଶୋକା ।...ଅଭୟ ନା-ନା, ସେ ଗହରେ ନାହାନ୍ତି । ହଁ, ଆସନ୍ତୁ.....ନା, କୁଆଡେ ମୋର ଯିବାର ନାହିଁ । ଆସନ୍ତୁ ଆପଣ......ରିସିଭର୍ ଟିକୁ ପୁଣି ପୁଣି କ୍ରେଡେଲ୍ ଉପରେ ରଖିଦେଲେ ଅଶୋକା । ନିଶ୍ଚିନ୍ତ ଆରାମ୍ ରେ ପଲଙ୍କ ଉପରେ ଦେହଭରା ଲମ୍ବାଇଦେଲେ ।

 

ଆଜି କାହିଁକି ଅଶୋକାଙ୍କୁ ସବୁ ଭଲ ଲାଗୁଛି । କେତେଦିନ ହେଲା କାହିଁ କିଛି ହେଲେ ଭଲ ଲାଗୁନଥିଲା । ଆଉ ଆଜି, ଆଃ-କି ତୃପ୍ତି.....କେଡ଼େ ଶାନ୍ତି । ରାଧାଚରଣ, ରାଧାଚରଣ ଦ୍ୱାରା ସେ ମୁକ୍ତି ଲାଭ କରିବେ...ଏ ନର୍କରୁ ସେ ତାଙ୍କୁ ଉଦ୍ଧାର କରିବ । ନିଶ୍ୱାସ ଏଠାରେ ଯେପରି ବନ୍ଦ ହୋଇଆସେ । ମନେହୁଏ ଦଳେ ଅଶରୀରୀ ଆତ୍ମା ସବୁବେଳେ ତାଙ୍କୁ ଘେରି ରହିଛନ୍ତି । ବିକଟ ଶବ୍ଦରେ ସେମାନେ ହସୁଛନ୍ତି ! କେବେ କେବେ ମନେହୁଏ–ଯେପରି ଫୁସ୍ ଫୁସ୍ କରି ଅତି ନିମ୍ନସ୍ୱରରେ ପରସ୍ପର ଭିତରେ କଥାବାର୍ତ୍ତା ହେଉଛନ୍ତି, ଅନ୍ୟ ବଧୂମାନଙ୍କ ପରି ତୁମେ ମଧ୍ୟ ଶୁଖି ଶୁଖି ଦିନେ ମରିବ ।

 

ଅଶୋକା ଭୟରେ ଥରିବାକୁ ଲାଗିଲେ । ରାତିରେ ନିଦ ତାଙ୍କର ଭାଙ୍ଗିଯାଏ । ମନେହୁଏ, ଅନ୍ଧକାରର ଅନ୍ତରାଳରେ ନିଶବ୍ଦରେ ଆଗେଇ ଆସୁଛନ୍ତି ଅଭୟକାନ୍ତ । କେଡେ ହିଂସ୍ର ତାର ଆଖିର ଦୃଷ୍ଟି । ସଣ୍ଡୁଆଶୀ ପରି ହାତ ଦୁଇଟି ତାଙ୍କର ବଙ୍କେଇ ହୋଇଯାଇଛି, ଏଇ ବୋଧହୁଏ ଏ ତାଙ୍କର ନରମ ଗଳାକୁ ଚିପିଧରିବ । ଆଉ ସେ ନିଶ୍ୱାସ ନେଇପାରିବେ ନାହିଁ ।

 

ରାଧାଚରଣ ! ଅସ୍ପଷ୍ଟ ଆର୍ତ୍ତନାଦ କରି ଉଠିଲେ ଅଶୋକା । ଥରଥର ହୋଇ ସର୍ବାଙ୍ଗରେ କମ୍ପନ ଆରମ୍ଭ ହେଲା । ସେ ବଞ୍ଚିବାକୁ ଚାହାନ୍ତି, ଏପରି ଭାବେ ମୃତ୍ୟୁକୁ ସେ ବରଣ କରି ପାରିବେ ନାହିଁ ।

 

ମା’.....ବୃଦ୍ଧ ଭୃତ୍ୟ ମୁକୁନ୍ଦର ଡାକରେ ତାଙ୍କର ସାହସ ଯାଇ ଅଶୋକା ବିଛଣା ଛାଡ଼ି ଉଠି ଠିଆହେଲା ।

 

ପ୍ରଦୀପବାବୁ ବୈଠକଖାନାରେ ଅପେକ୍ଷା କରି ବସିଛନ୍ତି, ମା’.....ମୁକୁନ୍ଦ କହିଲା ।

 

ଯାଉଛି ବୋଲି କହି ମୁକୁନ୍ଦଙ୍କୁ ବିଦାୟ କରି ଡ୍ରେସିଂ ରୁମ୍‍କୁ ଆସି ବାସନ୍ତୀ ରଙ୍ଗର ଶାଢ଼ୀ ବାହାର କରି ପିନ୍ଧିଲେ । ଆଇନରେ ମୁହଁ ଦେଖି ମୁଣ୍ଡବାଳରେ ଚିରୁଣୀ ବୁଲାଇଲେ, ତାପରେ ସାମାନ୍ୟ ପ୍ରସାଧନ ସାରି ବାହାରି ଆସିଲେ ଶୟନ କକ୍ଷରୁ ।

 

ପ୍ରଦୀପ ଚୌଧୁରୀ ଡ୍ରୟଂ ରୁମ୍ ରେ ଚୁପ୍ ହୋଇ ବସିଥିଲେ । ସାଧାରଣ ଧୋତି ଓ ପଞ୍ଜାବୀ ପରିଧାନ ଅପରୂପ ବୁଦ୍ଧି ଦୀପ୍ତ ଚେହେରା ଅପୂର୍ବ ଦେଖାଯାଉଥାଏ । ବେଳେ ବେଳେ କାନ୍ଥରେ ଝୁଲୁଥିବା ମୂଲ୍ୟବାନ ଅୟେଲ୍ ପେଣ୍ଟିଂଗୁଡ଼ିକ ଉପରେ ଆଖି ବୁଲାଉଥାନ୍ତି । ଦେଖୁ ଦେଖୁ ଖଣ୍ଡିଏ ଚିତ୍ର ଉପରେ ଦୃଷ୍ଟି ତାଙ୍କର ସ୍ଥିର ନିର୍ବଦ୍ଧ ହୋଇଗଲା । ପ୍ରକୃତରେ ଅପୂର୍ବ । ସ୍ନାନ ପରେ ଘାଟର ସିଡ଼ିଦେଇ ଉପରକୁ ଉଠୁଛି ଜାଣେ ନାରୀ । ଓଦା ଶାଢ଼ୀ ଖଣ୍ଡିକ ଦେହରେ ଲାଗିଯାଇଛି । ମୁଣ୍ଡର କେଶରାଶିରେ ବିନ୍ଦୁ ବିନ୍ଦୁ ଜଳକଣା । ମୁହଁରେ ପ୍ରଶାନ୍ତିର ହସ, କାଖରେ କଳସୀ । ଅପୂର୍ବ ଦେହ ଭଙ୍ଗିମାର ପଶ୍ଚାତରେ ନୀଳ ସରୋବରଇ ଢେଉ । ଅଳ୍ପ ଦୂରରେ ଗୋଟିଏ ଶିଶୁ ହାତ ବଢ଼ାଉଛି ତାର ଜନନୀକୁ ଧରିବାଲାଗି ।

ନମସ୍କାର ! .....ପର୍ଦ୍ଦା ଆଡ଼େଇ ଭିତରକୁ ଆସିଲେ । ସୁନ୍ଦର ମୁହଁଟି ହସରେ ଟଳଟଳ ହେଉଥାଏ ।

ବାକ୍ୟହୀନ ପ୍ରଦୀପ ଚୌଧୁରୀ ବିସ୍ମୟଭରା ନେତ୍ରରେ ଚାହିଁ ରହିଥାନ୍ତି ଅଶୋକାଙ୍କୁ । ମୃଦୁ ସ୍ୱରରେ କହିଲେ–ଆପଣ

ଖୁସିରେ ଅଶୋକାର ମନ ଉଛୁଳି ଉଠିଲା ଯେପରି । ବୁକୁରେ ଆନନ୍ଦର କମ୍ପନ, କହିଲେ–ଅନେକ ଦିନପରେ ଆପଣଙ୍କ ସାଙ୍ଗରେ ଦେଖାହେଲା, ପ୍ରଦୀପବାବୁ !

ହଁ, ପ୍ରାୟ ସାତବର୍ଷ ପରେ.....ପ୍ରଦୀପର କଣ୍ଠରେ ମଧ୍ୟ ଆନନ୍ଦର ଜାଗରଣ ।

ଭଲଅଛନ୍ତି ତ ? .....କହୁ କହୁ ଆଗେଇ ଆସି ଅଶୋକା ପ୍ରଦୀପର ସମ୍ମୁଖରେ କୁସନ୍ ଚେୟାରଟିରେ ବସି ପଡ଼ିଲେ ।

ହଁ ଭଲଅଛି । ଆପଣ ?

ଅଛି ଏକପ୍ରକାର । ହଠାତ୍ ଏତେଦିନପରେ.....ଅଶୋକା ଉଜ୍ଜ୍ୱଳ ଆଖି ମେଲାଇ ଛୋଟ କୁମାରୀ କନ୍ୟାପରି ମୁହଁ ତଳକୁ କରି ବସିଲେ ।

ଆପଣଙ୍କ ସ୍ୱାମୀ ଅଭୟକାନ୍ତ ମୋର ଘନିଷ୍ଠ ବନ୍ଧୁ । ବହୁଦିନପରେ ଦେଶକୁ ଫେରି ଦେଖେତ’ ପୁରୁଣା ବନ୍ଧୁ ବାନ୍ଧବମାନେ କିଏ କୁଆଡେ ଚାଲିଯାଇଛନ୍ତି । ଭାବିଲି, ଅଭୟ ନିଶ୍ଚୟ ଥିବ-। ତେଣୁ ଫୋନ୍ ରେ–

ଆହୁରି ଉଜ୍ଜ୍ୱଳ ଦେଖାଗଲା ଅଶୋକାର ଚାନ୍ଦମୁହଁଟି । ବନ୍ଧହୀନ ଜଳ ସ୍ରୋତପରୀ କଣ୍ଠରେ କହିଲେ ଏମ.ଏ ରେଜାଲ୍ ଟ ଆଉଟ୍ ହେବାପରେ ଆପଣ କେଉଁଆଡ଼େ ଲୁଚିଲେ ଯେ କେହି ଆପଣଙ୍କର କୌଣସି ସମ୍ବାଦ ପାଇଲେ ନାହିଁ ।

 

ପାଇବେ କିପରି ? ମୁଁ କଣ ଏଠି ଥିଲି ? ସମୁଦ୍ର ଯାତ୍ରା କରି ଦେଶ ଭ୍ରମଣ ସାରି ଅଳ୍ପଦିନ ହେଲା ଫେରୁଛି.....ଭଲଭାବେ ଚେୟାରଟିରେ ବସି କହିଲେ ପ୍ରଦୀପ ।

 

ଓଃ ! ଏଥିରେ ପ୍ରଦୀପର ଅନୁପସ୍ଥିତିରେ କାରଣ ଜାଣିପାରିଲେ ଅଶୋକା ମୁହୁର୍ତ୍ତେ ନିରବ ରହି ପୁଣି ପଚାରିଲେ–କିନ୍ତୁ ତାଙ୍କ ସହିତ ଆପଣଙ୍କର ପରିଚୟ ।

 

ଅଭୟ ସାଙ୍ଗରେ ଲଣ୍ଡନର ଗୋଟିଏ ବାରରେ ପ୍ରଥମ ପରିଚୟ ସୂତ୍ରପାତ ହୋଇଥିଲା । ସେହି ରୋମାଞ୍ଚକର ପରିସ୍ଥିତି କଥା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆପଣ କଳ୍ପନା କରିପାରିବେ ନାହିଁ ଏହି ଅଭାବନୀୟ ପରିସ୍ଥିତିର କଥା ।

 

ସେହି ରୋମାଞ୍ଚକର ପରିସ୍ଥିତିର ଘଟଣା ଜାଣିବା ଉଦ୍ଦେଶ୍ୟରେ ସାଗ୍ରହରେ ଆଗକୁ ଝୁଂକିପଡ଼ି ଅଶୋକା ପଚାରିଲେ–କିପରି ?

 

ପ୍ରଦୀପ ଆଖିବୁଜି ଧ୍ୟାନସ୍ଥ ହେଲେ । ଚକ୍ଷ୍ୟୁ ସମ୍ମୁଖରେ ସେହି ଆଭିଜାତ ବାରର ଚିତ୍ରଟି ଭାସି ଉଠିଲା । ଚୀନ ଦେଶୀୟ ନୃତ୍ୟ ବର୍ତମାନ ଶେଷ ହେଲା ସେଠାରେ । ଚିନା ଡାନ୍‌ସିଂ ଗାର୍ଲ ନୃତ୍ୟ ପଟ୍ଟିୟାସି ସୁନ୍ଦରୀ ମିସ ଲୀ ତାର କୋମଳ ଆଖିପଲ୍ଲକ ମେଲାଇ ବିଶିଷ୍ଟ ଭଙ୍ଗୀରେ ସମସ୍ତଙ୍କୁ ଅଭିବାଦନ ଜଣାଇଲା । ତାପରେ ଶୁଣାଗଲା ସମବେତ ଯନ୍ତ୍ର ସଙ୍ଗୀତର ଐକ୍ୟତାନ । ଧୀରେ ଧୀରେ ଥରି ଥରି କୋମଳ ସୁର ମୂର୍ଚ୍ଛନା ଚାରିଆଡ଼େ ଖେଳାଗଲା । ପ୍ରଦୀପ ସ୍ୱପ୍ନାବେଶରେ କହିଲେ–ଠିକ୍ ଏତିକିବେଳେ ଜଣେ ଇଂରେଜ ଯୁବକ ବାଜି ରଖିଲା । ତାରି ପାଖରେ ବସି ଯିଏ ମଦ୍ୟପାନ କରିବ, ଅଥଚ ମାତାଲ ହେବନାହିଁ, ତାକୁ ସେ ଦୁଇଶତ ଷ୍ଟାର୍ଲିଂ ଦେବ ବୋଲି ପ୍ରତିଶୃତି ଦାନ କଲା । କେତେଜଣ ପଂଜାବୀ ଛାତ୍ର ଆଗଭର ହୋଇଥିଲେ । ସେମାନଙ୍କର ଅବସ୍ଥା ଦେଖି ବ୍ୟଙ୍ଗପୂର୍ଣ୍ଣ ହସ ହସିଲା ସେହି ଇଂରେଜ ଯୁବକଟି । ‘‘ର’’ ହୁଇସ୍କର ଗୋଟିଏ ଗୋଟିଏ ବୋତଲ ନିଃଶେଷ କରି ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇଗଲା । ସେହି ଇଂରେଜ ଯୁବକ ଏହା ଦେଖି ହାତର ଗୋଟିଏ ଗୋଟିଏ ଘୁଷିରେ ସେମାନଙ୍କର ନାକରୁ ରକ୍ତ ବାହାର କରିଦେଲା ।

 

ଅସହିଷ୍ଣୁ କଣ୍ଠରେ ଅଶୋକା ପଚାରିଲେ–ତାପରେ ?

 

ତାରର ଗୋଟିଏ କୋଣରେ ଏକାକୀ ବସି ଅଭୟ ଡ୍ରିଙ୍କ କରୁଥିଲା । ଏସବୁ ଦେଖି ସେ ଆସନରୁ ଉଠି ଆସିଲା । ପୁଣି ହୁଇସ୍କର ବୋତଲ ଧରି ଶେଷ କରିବାକୁ ଲାଗିଲା । ଇଂରେଜ ଯୁବକ ଆଶ୍ଚର୍ଯ୍ୟ ହେଲା । ଆଖି ଦୁଇଟିର ଗୋଲକ ବେଶ୍ ବଡ଼ ଦେଖାଗଲା । ହଠାତ୍ ଅଭୟର ଗୋଟିଏ ହାତକୁ ଧରି ଅନୁନୟ ସ୍ୱରରେ କହିଲା–ଆଇ ଏମ ଭେରି ଗ୍ଲାଡ ଟ-ସି ଇଉ; ନାଉଁ ଷ୍ଟାପ୍‌ ମାଇଁ ଫ୍ରେଣ୍ତ୍‌। .....ଅଭୟ କିନ୍ତୁ ନିରସ୍ତ ହେଲା ନାହିଁ । ଅବଶ୍ୟ ନିଶା ସେତେବେଳେ ତାର ମୁଣ୍ଡକୁ ଉଠିଛି । ସେ କହିଲା ପ୍ଲିଜ୍ ଅର୍ଡର ଫର୍ ଏନେଦର ବେ ଟଲ୍ । .....ଯୁବକ ଥମକି ଛିଡ଼ା ହୋଇଗଲା-। ପରେ କହିଲା–ଇଟ୍ ଉଇଲ୍ ବି ଅନ୍ ଫେଭରବଲ୍ ଫର ଇଉ । .....ଅଭୟ ଉଠି ଠିଆହେଲା । ମାତ୍ର ତିନୋଟି ଘୁଷିରେ ତାର ମୁହଁର ସୌନ୍ଦର୍ଯ୍ୟତା ଲୁପ୍ତ କରିଦେଲା ସେ । କହି ଉଇ ସ୍ୱରରେ ହସିଲେ ପ୍ରଦୀପ ।

 

ଅଶୋକା ଆଖି ମୁଦି ବସିଥିଲେ । ପ୍ରଦୀପ କହିବା ସଙ୍ଗେ ସଙ୍ଗେ ସେ ଯେପରି ମାନସ ଚକ୍ଷୁରେ ଦେଖିପାରିଲେ ଅଭୟକାନ୍ତର ସେଦିନର ବୀରତ୍ୱବ୍ୟଞ୍ଜନ ରୂପ । ପ୍ରଦୀପ୍ତ ହୋଇପଡ଼ିଲା । ସମଗ୍ର ଆନନ ଖଣ୍ଡିକ । ସ୍ଥାନ କାଳ ପାତ୍ର ସବୁ ଭୁଲି ସେ ହାତତାଳି ଦେବାକୁ ଲାଗିଲେ ।

 

କଣ ହେଲା, ଅଶୋକାଦେବୀ ! ଆପଣ ହଠାତ୍.....ବିସ୍ମୟରେ ଅଭିଭୂତ ହୋଇ ପଡ଼ିଥିଲେ ପ୍ରଦୀପ ।

 

ଲଜ୍ଜାରେ ଆରକ୍ତ ହୋଇଉଠିଲେ ଚନ୍ଦ୍ରବଦନୀ । ନିହାତିପିଲା । ପ୍ରଦୀପ କଣ ଭାବିଲେ କେଜାଣି । ରକ୍ତ-ରକ୍ତିମ ମୁହଁଟି ତଳକୁ ପୋତି କହିଲେ–ନା କିଛି ନାହିଁ.....

 

ପ୍ରଦୀପ ବୁଝିପାରିଲେ । ସ୍ୱାମୀର ପ୍ରଶଂସାରେ ସବୁ ଦେଶର ସ୍ତ୍ରୀମାନେ ଏହିପରି ଉଜ୍ଜ୍ୱଳ ହୋଇ ଉଠନ୍ତି । କହିଲେ–ଆପଣଙ୍କର ଆଉ ସବୁ ଖବର କଣ !

 

ଖବର ଆଉ କଣ । ଏମ୍. ଏ ପାଶ୍ କରିବାପରେ ମାତାମହ ବିବାହ ବନ୍ଧନରେ ଛନ୍ଦି ଦେଲେ । ବିବାହିତ ଜୀବନରେ ଘଟଣାର ନୂତନତ୍ୱ କଣ କିଛି ଥାଏ ?

 

କଣ କହୁଛନ୍ତି ଆପଣ ?

କ୍ରମଶଃ ଲଜ୍ଜାରେ ରଙ୍ଗିନ୍ ହୋଇ ପଡୁଥାନ୍ତି ଅଶୋକା ।

 

ପ୍ରଦୀପ ନିଜେ ମଧ୍ୟ ଲଜ୍ଜିତ ହେଲେ । ସତେତ’ । ହେଲେ ସୁଦ୍ଧା ତାଙ୍କର କଲେଜ ଜୀବନର ବାନ୍ଧବୀ, ଅତୀତରେ ଯାହା କିଛି ଘଟିଥାଉନା କାହିଁକି–ସେ ସବୁ....ଛି । ଆଉଚକ୍ଷୁରେ ପ୍ରଦୀପ ଚାହିଁଲେ ଅଶୋକାକୁ । ରଙ୍ଗିନ୍ ଆପେଲ୍ ର ରଙ୍ଗ ଗାଲ ଦୁଇଟିରେ ଲାଗିଛି ଯେପରି । ପ୍ରସଙ୍ଗ ବଦଳାଇ ସେ କହିଲେ ଅଭୟ କେଉଁଠାରେ ? ତାକୁ କାହିଁ ଦେଖୁନାହିଁ ତ ?

 

ବାହାରକୁ ଯାଇଛନ୍ତି ବୋଧହୁଏ.....ଅଶୋକା ମୃଦୁ କଣ୍ଠରେ କହିଲେ ।

ତାହାହେଲେ ମୁଁ ଆସେ.....ଆଉଦିନେ ଆସିବି । ପ୍ରଦୀପ ଉଠି ଠିଆହେଲା ।

ଚା’ଖାଇଯିବେ । ବସନ୍ତୁ । ଅଶୋକା ସାଙ୍ଗେ ସାଙ୍ଗେ ବହିଲେ ।

ଅନିଚ୍ଛାସତ୍ୱେ ପ୍ରଦୀପ ପୁଣି ଚେୟାରଟିରେ ବସି ପଡ଼ିଲେ ।

 

ମୁକୁନ୍ଦ ଚା’ର ଟ୍ରେ ଟେବୁଲ ଉପରେ ରଖିଦେଇଗଲା । ଅଶୋକା ଟିପଟ୍‍ରୁ ଲିକର ଢାଳି କପ୍‍ରେ ଦେଲେ । କହିଲେ–ଦିନେ ଶ୍ରୀମତୀକୁ ଆଣିବେ କିନ୍ତୁ ।

 

ଦୁର୍ଭାଗ୍ୟ ମୋର । ଆଜି ପର୍ଯ୍ୟନ୍ତ କାହାରିକୁ ଶ୍ରୀମତୀ କରି ଘରକୁ ଆଣିନାହିଁ । ଟିକିଏ ଶବ୍ଦକରି ହସିଲା ପ୍ରଦୀପ ।

 

କାହିଁକି ? ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁଲେ ଅଶୋକା ।

 

ଦେଖୁଛି ବେଶ୍ ସ୍ୱଚ୍ଛନ୍ଦରେ ଦିନ କଟି ଯାଉଛି....ଚା’କପରେ ଓ଼ଷ୍ଠଧାର ସ୍ପର୍ଶକଲା ପ୍ରଦୀପ-

 

ହଠାତ୍ କକ୍ଷଟି ନିରବତାରେ ଭରିଗଲା । କେବଳ ଟେବୁଲ ଉପରେ କପ୍ ରଖିବା ଶବ୍ଦ ଯାହା ଶୁଣାଯାଉଥାଏ । ପ୍ରଦୀପ ଦୀର୍ଘ ସ୍ପର୍ଶ ଦେଇ କପ୍‍ଟିକୁ ନିଃଶେଷ କରି ଟେବୁଲ ଉପରେ ଥୋଇଦେଲେ । ତା’ପରେ ହଠାତ୍ ଯେପରି କଣ ମନେପଡ଼ିଲା ଏହିପରି ଭଙ୍ଗୀରେ କହିଲେ–ଗୋଟାଏ କଥା ମନେପଡ଼ିଲା, କିଛି ମନେ କରିବେ ନାହିଁ ଅଶୋକା ଦେବୀ ।

 

କଣ କହନ୍ତୁ.....ସହଜ ଦୃଷ୍ଟିରେ ଅଶୋକା ଚାହିଁଲେ ପ୍ରଦୀପ ଆଡ଼େ ।

 

ବିନୟବାବୁ ଯେଉଁଦିନ ରାତିରେ ଖୁନ୍ ହେଲେ ଆପଣ କଣ ସେଦିନ ରାତିରେ ଆପଣଙ୍କର ମ୍ୟାନେଜର ଘନଶ୍ୟାମବାବୁଙ୍କୁ ସେଠାକୁ ପଠାଇଥିଲେ ? ପ୍ରଦୀପର ଦୃଷ୍ଟି ଧୀରେ ଧୀରେ ତୀକ୍ଷ୍‌ଣ ହୋଇ ଉଠୁଥାଏ ।

 

ପଲ୍ଲଙ୍କ ମାତ୍ର ପାଇଁ ଅଶୋକର ମୁଖମଣ୍ଡଳ ବିଷର୍ଣ୍ଣ ହୋଇଗଲା । ଦୃଢ଼ କଣ୍ଠରେ କହିଲେ–ନ.....

 

ଆପଣଙ୍କର ମେନେଜର ଘନଶ୍ୟାମବାବୁ କିନ୍ତୁ ପୁଲିଶ ଆଗରେ ଏଇ କଥା କହିଛନ୍ତି । ପ୍ରଦୀପ ସିଗାରେଟ୍ ଧରାଇଲା ।

 

ମୁଁ ଏ ସବୁ କିଛି ଜାଣେନା । ଆପଣ ବିଶ୍ୱାସ କରନ୍ତୁ.....ଅଶୋକାର କଣ୍ଠରୁ ମିନତି ଝରିପଡ଼ିଲା ।

 

ସିଗାରେଟ୍ ର ଧୂଆଁ ରିଂ କରୁ କରୁ ପ୍ରଦୀପ କହିଲା–ମୋର ବିଶ୍ୱାସର ମୂଲ୍ୟ କଣ କହନ୍ତୁ । ପୁଲିଶ ନିଜେ–

 

ଭୟ ପାଇଲା ଅଶୋକା । କହିଲା ପୁଲିଶ ଆପଣ ଏ ବିଷୟରେ କିଛି ଜାଣନ୍ତି ?

 

ନା, ବିଶେଷ କିଛି ନୁହେଁ । ତେବେ ମୋର ଜଣେ ବନ୍ଧୁ ସି. ଆଇ. ଡି. ଇନସପେକ୍ଟର–ସେ ଏହି କେସ୍ ଟି ସମ୍ବନ୍ଧରେ ତଦନ୍ତ ଚଳାଇଛନ୍ତି । କଥାବାର୍ତ୍ତା ହେଉ ହେଉ ସେ ଅଭୟ ଓ ଆପଣଙ୍କ କଥା କହିଛନ୍ତି ।

 

କିନ୍ତୁ, ମୁଁ ଏ ବିଷୟରେ କିଛି ଜାଣେନା ।

ପ୍ରକୃତରେ ଆପଣ କିଛି ଜାଣନ୍ତି ନାହିଁ ?

ନା । ନିଜକୁ ଅସହାୟତା ବୋଧକଲା ଅଶୋକା ।

 

ଛାଡ଼ନ୍ତୁ । ଏସବୁ ପୁଲିଶର କାମ, ସେମାନେ ଯାହା ବୁଝିବେ କରିବେ । କିନ୍ତୁ ଆପଣଙ୍କ ଉପରେ ସେମାନେ ଯେପରି ତୀକ୍ଷ୍‌ଣ ଦୃଷ୍ଟି ରଖିଛନ୍ତି, ଆପଣ ଯଦି ସବୁ କଥା ପରିଷ୍କାର ଭାବେ ମୋ ଆଗରେ ପ୍ରକାଶ କରନ୍ତେ–ତାହାହେଲେ ଆପଣ ବିଶେଷ ଅସୁବିଧାରେ ପଡ଼ନ୍ତେ ନାହିଁ ବୋଲି ମନେହୁଏ । ଅନେକ ପୁଲିଶ ଅଫିସରଙ୍କ ସହିତ ମୋର ସଦ୍ ଭାବ ଅଛି । ହୁଏତ ଆପଣଙ୍କ ପାଇଁ କିଛି–

 

ନା-ନା, ପ୍ରଦୀପବାବୁ ! ମୁଁ କିଛି ଜଣେ ନାହିଁ । ମତେ ବିଶ୍ୱାସ.....କରନ୍ତୁ ଅଶୋକାର କଣ୍ଠସ୍ୱରରେ ଆକୁଳତା ଝରି ପଡୁଥାଏ ।

 

ପ୍ରଦୀପ ଚାଲିଗଲା ।

 

ପ୍ରସ୍ତର ଖୋଦିତ ମୂର୍ତ୍ତିପରି ନିଶ୍ଚଳଭାବେ ବସିଥାଏ ଅଶୋକା । ବୁକୁ ଭିତର କି ଗୋଟାଏ ଅଜଣା ଆତଙ୍କରେ ଦୁଲୁକୁଥାଏ । ତେବେ କଣ ସେ ଯାହା ଭାବୁଛି ସେଇୟା ! ପ୍ରଦୀପ ଚୌଧୁରୀ ଗୋଇନ୍ଦା ? ଏଣୁ ତେଣୁ ସହସ୍ର ପ୍ରକାର ପ୍ରଶ୍ନ କରି ତା’ପେଟରୁ କଥା ବାହାର କରିବାକୁ ବସିଥିଲା ? ନା-ନା, ପ୍ରଦୀପ ଗୋଇନ୍ଦା ନୁହେଁ । ଆଗେତ ସେ ଅପରାଧ ବିଜ୍ଞାନ ସମ୍ବନ୍ଧରେ ରିସର୍ଚ୍ଚ କରୁଥିଲେ । ବର୍ତ୍ତମାନ ସେ କୌଣସି ଇଉନିଭର୍ସିଟିର ଲେକଚରର୍ ଥିବା ଅସମ୍ଭବ ନୁହେଁ । ରିସର୍ଚ୍ଚ ! ହଁ-ରିସର୍ଚ୍ଚ କରିବା ଲାଗି ଗୋୟେନ୍ଦା ସେ ହୋଇପାରେ !

 

ଝରକା ପାଖରେ ଯଶୋଦା ବାଈ ଛିଡା ହୋଇଥାଏ । ନୟନ ମୁଗ୍‌ଧକର ପରିଚ୍ଛଦ ଘରର ଅତ୍ୟୁଜ୍ଜଳ ଆଲୋକରେ ଝଲମଲ କରୁଥାଏ ।

 

ଘରର ମଧ୍ୟସ୍ଥଳରେ ଗାଲିଚା ଉପରେ ଦୁଇଟି ରୂପେଲି ଜରି-ମୋଡ଼ା ତକିଆ ରହିଥାଏ-। ଧୂପଧାରରୁ ନିର୍ଗତ ହେଉଥାଏ ସୁଘ୍ରାଣ ଧୂପର ଗନ୍ଧ । ସରୁ ଧୂଆଁ ଅଙ୍କେଇ ବଙ୍କେଇ ଧୀରେ ଧୀରେ ଘରର ଛାତ ଉପରକୁ ଉଠୁଥାଏ ।

 

ଯଶୋଦା ବାଈ ଝରକାବାଟେ ମୁହଁ ଗଳାଇ ଦେଖୁଥାଏ ମହାନଗରୀର ରୂପ ।

 

ଆଲୋକମାଳା ବିଭୂଷିତ ମହାନଗରୀ । ନିୟନ୍‌ବତୀର ଆଲୋକରେ ବିଜ୍ଞାପନର କରାମତି-ମୁଗ୍‌ଧ ନୟନରେ ଦେଖୁଥାଏ ଯଶୋଦା ।

 

ବେଳେ ବେଳେ ଅନ୍ୟମନସ୍କ ହେଉଥାଏ ଯଶୋଦାବାଈ । ମନେ ପଡ଼ୁଥାଏ ପଛରେ ପକାଇ ଆସିଥିବା ଦିନଗୁଡ଼ିକ ।

 

ଏହି ଅନ୍ଧାରିଆ କୋଣଟିରେ ବସି ବିଭୀଷିକା ସୃଷ୍ଟି କରି ଦୁଇଟି ଭିକାରୀ ପ୍ରତିଦିନ ସେହିଠାରେ ବସିଥାନ୍ତି–କ୍ରନ୍ଦନ ସ୍ୱରରେ ବନେଇ ଚୁନେଇ କେତେ କଥା କହନ୍ତି ପଦଚାରୀଙ୍କୁ ଦେଖି-। କେହି କେହି ଭିକ୍ଷା ଦିଅନ୍ତି, କେହି କେବେ ପୁଣି ଅଖିଆ ରହି ଅନାହାରରେ ରାସ୍ତା କଡ଼ରେ ପଡ଼ିଥାନ୍ତି ।

 

ତାକୁ ମଧ୍ୟ ଦିନେ ଏଇ ଦଶା ଭୋଗ କରିବାକୁ ପଡ଼ିଥିଲା । ଏହିପରି ଭାବେ ଆଉ କେଇଟା ଦିନ ଯାଇଥିଲେ ତାର ଛୋଟ ଭାଇ ବାସୁ ଜଠରାଗ୍ନ ଜ୍ୱାଳାରେ ଫୁଟପାଥ୍‌ରେ ମରି ପଡ଼ିଥାନ୍ତା । କେତେ ଦିନ ହେଲା ଯେ ଦାନା ପେଟରେ ପଡ଼ିନାହିଁ । ଅନାହାରରେ କ୍ରମଶଃ ଶୀର୍ଣ୍ଣ ହୋଇ ଆସୁଛନ୍ତି ସେମାନେ । ପ୍ରାଣଟିର ପ୍ରଦୀପ କେବଳ ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଯାହା–ହୁଏତ ବର୍ତ୍ତମାନ ଲିଭିଯାଇପାରେ ।

 

ବାସୁ ଛୋଟ ଛୋଟ ଆଖି ଦୁଇଟିରେ କରୁଣ ଦୃଷ୍ଟିରେ ଚାହିଁଥାଏ ତାକୁ । ସେ ଦୃଶ୍ୟ ସେ ସହ୍ୟ କରି ନପାରି ଭାଇକୁ ବୁକୁ ଉପରକୁ ଟାଣିନେଲା । କଣ କହି ଏବେ ସେ ସାନ୍ତ୍ୱନା ଦେବ ।

 

ପଛରେ ଛାଡି ଆସିଥିବା ଗ୍ରାମଟିର କଥା ମନେପଡେ । ମା’ଙ୍କର କଥା ମଧ୍ୟ । ବାପା ଯେପରି ତାକୁ ଆଦର କରୁଛନ୍ତି । ମା’ ବାସୁଙ୍କୁ କୋଳରେ ଧରି ଶୋଇପଡ଼ିଛନ୍ତି । ସେଦିନ ଆଜି ଆଉ କାହିଁ ? ଏସବୁ କଣ କାଳରୂପୀ ବନ୍ୟା ଯୋଗୁଁ ?

 

ବନ୍ୟା-ବନ୍ୟା-କରାଳମୟୀ ବନ୍ୟା । କ୍ରୄଦ୍ଧ ଭୁଜଙ୍ଗ ପରି ଆଗେଇ ଆସି ବିଷୋଦଗାରଣ କଲେ ଏହିଠାରେ । ଦେଖୁ ଦେଖୁ ଭସାଇନେଲା ସବୁ । କିଏ କେଉଁଆଡେ ଛିଟିକୀ ପଡିଲେ । ଏଥର ଆରମ୍ଭ ହେଲା ନବଜୀବନ । ଖାଦ୍ୟ ମିଳିଲା ଆଶ୍ରୟ ମିଳିଲା କିନ୍ତୁ ଏହି ଜୀବନର କାମନା କଣ ଏଇଆ ଥିଲା ?

 

ବାସୁ ଆସିଲା । ହାତରେ ଗୋଟିଏ ସରୁ ପ୍ୟାକେଟ୍‌ ଯଶୋଦାକୁ ଏହିପରିଭାବେ ଠିଆ ହୋଇଥିବା ଦେଖି ମୃଦୁ କଣ୍ଠରେ ଡାକିଲା–ଦିଦି !

 

ଫେରି ଚାହିଁଲା ଯଶୋଦା । କହିଲା–ଅଭୟଙ୍କର ଖବର ପାଇଲା ?

ହଁ, ପାଇଲି । ସେ ଆସୁଛନ୍ତି.....କହି ବାସୁ ଦିଦି ପାଖକୁ ଆଗେଇ ଆସିଲା ।

 

ତୁ ଚାଲିଯା’.....ତୋତେ ଦେଖିଲେ ଅଭୟ କିଛି ମନେକରି ପରେ । .....ଯଶୋଦା ତାନପୁର ପାଖରେ ଆସି ବସିଲା ।

 

ପ୍ୟାକେଟଟିକୁ ଦେଖ, ଦିଦି ! ଦିଦି ହାତକୁ ପ୍ୟାକେଟଟି ବଢ଼ାଇ ଦେଲା ବାସୁ ।

ମାତ୍ର ଗୋଟିଏ.....ହାତରେ ଧରି କହିଲା ଯଶୋଦା ।

ହଁ, ମୋର କିନ୍ତୁ ମନେହୁଏ ରାଜୁ ବୋଧହୁଏ ଫାଙ୍କ ମାରିଛି.....ଅସନ୍ତୁଷ୍ଟ ସ୍ୱରରେ କହିଲା ବାସୁ ।

ପ୍ୟାକେଟଟିର ଘ୍ରାଣ ନେଇ ଚିନ୍ତିତ କଣ୍ଠରେ କହିଲା ଯଶୋଦା–ମୋ’ର ମଧ୍ୟ କେମିତି ମନେ ହେଉଛି । ଆଛା, ପରେ ଦେଖାଯିବ–ତୁ ଯା’.....

ବାସୁ ପ୍ୟାକେଟ ନେଇ ଚାଲିଯିବା ପରେ ଯଶୋଦା ତାନପୁରାଟିକୁତଳୁ ଉଠାଇନେଲା । ଅଙ୍ଗୁଳିର ମୃଦୁ ସ୍ପର୍ଶରେ ରହି ରହି ସ୍ୱର ଝଡ଼ି ପଡ଼ିଲା । ଆଖି ବନ୍ଦ କରି ଅଭୟକାନ୍ତର ପ୍ରତୀକ୍ଷାରେ ଥାଏ ଯଶୋଦା ।

ଅଭୟକାନ୍ତ ଆସିଲେ । ମୁଗ୍‌ଧ ହେଲେ । ଧ୍ୟାନମଗ୍ନ ଯଶୋଦାକୁ ଦେଖି । ସ୍ଵପ୍ନମୟ ଦୃଷ୍ଟିରେ ଚାହିଁ କହିଲେ–

‘‘ମହବତ୍ ମେ ନହୀ ହ୍ୟାୟ ଫର୍କ

ଜୀନେ ଆଓର ମରନେ କୋ ।

ଉସୀକୋ ଦେଖକର ଜୀତେ ହ୍ୟାୟ

ଯିସ୍ କାଫିରାନ୍ ଜମ ନିକଲୋ ।’’

ଧୀରେ ଧୀରେ ପଦ୍ମ ଯେପରି ପାଖୁଡା ବିସ୍ତାର କଲା । ସ୍ଵପ୍ନମୟ ଚାହାଣୀରେ ଚାହିଁଲା ଯଶୋଦା । ଓଷ୍ଠାଧାରର କୋଣରୁ ହସ ଖଣ୍ଡିକ ସାରା ମୁହଁଟିରେ ଖେଳେଇ ହୋଇଗଲା । ମୃଦୁ ଅନୁଯୋଗ ସ୍ୱରରେ କହିଲା–ଏତେଦିନ ପରେ ଅଭାଗାର କଥା ମନେପଡ଼ିଲା ତୁମର !

ତୁମ କଥା ମୋର ସବୁବେଳେ ମନେପଡେ ଯଶୋଦା ! କିନ୍ତୁ.....କଥା ଶେଷ କରି ପାରିଲେ ନାହିଁ ଅଭୟକାନ୍ତ । ହଠାତ୍ ନୀରବ ହୋଇଗଲେ ।

 

ଅଶୋକା ଅଟକାଇ ରଖେ.....ନିଶ୍ଚଳ ପାଣିରେ ଖଳଖଳ ଶବ୍ଦ ଜାଗିଉଠିଲା....ଦେହରେ ଖେଳିଗଲା ହାଲୁକା ଖଣ୍ଡିଏ ଢେଉ ।

 

ନା ନା, ଯଶୋଦାବାଈ ! ଅଶୋକା କଥା ନୁହେଁ, ଜରୁରୀ କାମରେ ମୁଁ ବ୍ୟସ୍ତ ଥିଲି....ଅଭୟକାନ୍ତ ତକିଆକୁ ଆଉଜି ଭଲଭାବେ ବସିଲେ ।

 

କାନ୍ଥ ଆଲମାରୀ ଖୋଲି ଗୋଟିଏ ରୁପାର ଟ୍ରେ-ରେ ଜାନିଓ୍ୟକର ଓ ଗୋଟିଏ ପେଗ୍ ଗ୍ଲାସ ସଜାଇ ଆଣି ଅଭୟର ସାମନାରେ ରଖିଲା । ଟିକିଏ ପାଖକୁ ଲାଗି ଆସି ଅପୂର୍ବ ଗ୍ରୀବା ଭଙ୍ଗିମା କରି ତରଳ ନିଶାର ପେଗ୍ ଟିକୁ ଅଭୟର ଓଷ୍ଠପୁଟରେ ଛୁଆଁଇ ଦେଲା ।

 

ନିଃଶବ୍ଦରେ ପାନ କଲେ ଅଭୟ । ତାଙ୍କ ଚକ୍ଷୁ ସମ୍ମୁଖରୁ ଘରର ଆଲୋକମାଳା ଯେପରି ଦୂରେଇ ଦୂରେଇ ଯାଉଛି ବୋଲି ମନେହେଲା । ଦୃଷ୍ଟି କ୍ରମେ ଝାପସ ହୋଇଆସିଲା । ସବୁ ଯେପରି ବର୍ତ୍ତମାନ ଅନ୍ଧକାରପର୍ଣ୍ଣ ହୋଇଯିବ....

 

ଯଶୋଦା ଗାଉଛି । ସୁର–ମୂର୍ଚ୍ଛନା କଣ୍ଠରୁ ତାର ଝରି ପଡୁଛି । ପ୍ରତି ଛନ୍ଦରେ ଶରୀର ତାର ଦୋହଲିବାକୁ ଲାଗିଛି । ଆଖିର ଚାହାଣୀରେ ଝଲସି ଉଠୁଛି ବିଦ୍ୟୁତ୍ । ତାନ, ଲୟ, ଗମକ ଦେହର ପ୍ରତି ରନ୍ଧ୍ରେ ରନ୍ଧ୍ରେ ବୁଲାଇ ଦେଉଛି ସଙ୍ଗୀତର ଆଦେଶ ।

 

ଗାନ ଶେଷହୋଇ ଆସୁଛି, ଉଲ୍ଲାସର ଫୁଲଝରୀ ଯଶୋଦାର କଣ୍ଠରେ ।

 

ବଁ, ପାଖର ଝରକା ପାଖରେ ଗୋଟିଏ ମୁଖ ଉଙ୍କି ମାରିଲା । ନିଷ୍ଠୁର କୃର ଦୃଷ୍ଟି ନିକ୍ଷେପ କଲା ଘରଟି ଭିତରେ । ବିଶେଷ ଗୋଟିଏ ସଂକେତ ଦ୍ୱାରା ଯଶୋଦାର ଦୃଷ୍ଟି ଆକର୍ଷଣ କଲା । ଇଙ୍ଗିତରେ କଣ କହିଲା କେଜାଣି ସେହି ବିଭୀଷିକାମୟ ମୂର୍ତ୍ତି ।

 

ସ୍ୱର ଧୀରେ ଧୀରେ ନରମ ହୋଇ ଆସିଲା । ତାନପୁରାଟିକୁ ତଳେ ଥୋଇଦେଲା ଯଶୋଦା । ମୁଣ୍ଡ ତଳକୁ କରି କେତେଟା ମୁହୂର୍ତ୍ତ ମନେ ମନେ ଭାବିଲା, ତାପରେ ଅଭୟକାନ୍ତ ଆଡ଼େ ସ୍ନେହ ଦୃଷ୍ଟି ସଞ୍ଚାଳନ କରି ଘର ଭିତରକୁ ବାହାରିଗଲା ।

 

ଅଭୟକାନ୍ତ ତକିଆ ଉପରେ ମୁଣ୍ଡଗୁଞ୍ଜି ପଡ଼ିଥାନ୍ତି । ବାଁ ହାତରେ ସେତେବେଳେଯାଏ ସୁଦ୍ଧା ଧରିଥାନ୍ତି ପେଗ୍ ଗ୍ଲାସଟିକୁ ।

 

ଆରପାଖ ଦୁଆର ଦେଇ ଘରଭିତରକୁ ଆସିଲା ରାଜୁ । ଚିତାବାଘ ରଙ୍ଗର ରୁମାଲ ଖଣ୍ଡିକ ଗଳାର ଅନେକଦୂର ପର୍ଯ୍ୟନ୍ତ ଝୁଲୁଥାଏ । ଆଖିରେ ଓ ମୁହଁରେ ଫୁଟି ଉଠିଥାଏ ହିଂସ୍ରତାର କୁଟିଳଭାବ । ଘନ ଘନ ନିଶ୍ୱାସ ନେଇଥାଏ ସେ । ଶିକାରୀ ବିରାଡ଼ି ପରି କ୍ରମଶଃ ଆଗେଇ ଆସିଲା ଅଭୟକାନ୍ତର ଅତି ନିକଟକୁ ।

 

ଓସ୍ତାତ୍ କଣ ନିଶାରେ ଚୁର୍ ହୋଇଛନ୍ତି ? ବାଙ୍ଗ ସ୍ୱରରେ କହିଲା ରାଜୁ ।

କିଏ ? ନିଶା-ଜଡ଼ିତ ସ୍ୱରରେ ଅଭୟକାନ୍ତ ପଚାରିଲେ ଅର୍ଧ-ନିର୍ମିଳିତ ଚକ୍ଷୁ ।

 

ମୁଁ, ଓସ୍ତାତ୍ ! ମୁଁ ରାଜୁ । ଏତେ ଚଞ୍ଚଳ ପୁଣି ଭୁଲିଗଲେ....ରାଜୁର କଣ୍ଠସ୍ୱର ଠିକ୍ ଭଙ୍ଗାକଂସାର ଶବ୍ଦ ପରି ଝଣ ଝଣ ଶବ୍ଦ ଶୁଣାଯାଇଥାଏ ।

 

କି ତୁମେ ? କଣ ଚାହଁ....ହାତରେ ଧରିଥିବା ପେଗ୍ ଗ୍ଲାସଟିକୁ ତଳେ ରଖିଦେଲେ ଅଭୟକାନ୍ତ ।

 

ରାଜୁର ଆଖି ଦୁଇଟି ଶ୍ଵାପଦର ହିଂସ୍ରତାରେ ଚକମକ୍ କରି ଉଠିଲା । ମୁଣ୍ଡ ଭିତରେ ନିଆଁଜଳି ଉଠିଲା ଯେପରି । ଭୟଙ୍କର ଅସହିଷ୍ଣୁତା ଅନୁଭବ କଲେ ସେ । ସେ ନିଜେ ଚିନ୍ତା କରିପାରେନା କାହିଁକି ଏ ତାର ଏହି ପରିବର୍ତ୍ତନ । ମାତ୍ର ଅଧଘଣ୍ଟା ପୂର୍ବରୁ ପୁଲିଶ ଆସି ତାକୁ ହଇରାଣ କରିଯାଇଛି । ଚୋରା ମଦର କାରବାର ସନ୍ଧାନ ପାଇଛି । ହଜାର ହଜାର ଟଙ୍କାର ଅଫିମ ପୁଲିଶ ହସ୍ତଗତ କରିଛି । କୌଣସି ପ୍ରକାରେ ଖସି ଆସି ଆତ୍ମଗୋପନ କରି ରହିଛି ସେ । କିଏ ପୁଲିଶକୁ ସମ୍ବାଦ ଦେଇଛି ?

 

ରୁଦ୍ଧ କଣ୍ଠରେ ରାଜୁ କହିଲା–କଣ ଚାହେଁ, କିଛି ତୁମେ ଜାଣନା, ନା ? ଚୋରାମଦ ବିକ୍ରି କରି ହଜାର ହଜାର ମୁହିଁ ରୋଜଗାର କରୁଛି ବୋଲି କିଏ ପୁଲିଶରେ ଖବର ଦେଇଛି.... ଚିତ୍କାର କରି କହିଲା ରାଜୁ ।

 

ଅଭୟକାନ୍ତର ଭ୍ରୁ ଦୁଇଟି କୁଞ୍ଚିତ ହୋଇ ଆସିଲା ବହୁ କଷ୍ଟରେ । ରକ୍ତବର୍ଣ୍ଣ ଦୃଷ୍ଟିରେ ଚାହିଁ ଧୀର କଣ୍ଠରେ କହିଲେ–ତୁମ କଥା ମୁଁ ଠିକ୍ ବୁଝିପାରୁ ନାହିଁ ।

 

ବୁଝିପାରୁନା ! ପୁଲିଶକୁ ଖବର ଦେଇ ମୋର କାରବାର ମାଟିକଲ କାହିଁକି ? ରାଜୁ ଯେପରି ହିଂସ୍ର, ଦାନ୍ତରେ କାମୁଡି ବର୍ତ୍ତମାନ ଟିକି ଟିକି କରିଦେବ ଅଭୟକାନ୍ତକୁ ।

 

ତୁମେ ଭୁଲ ବୁଝିଛ.....ଅଭୟକାନ୍ତ ଶାନ୍ତ କଣ୍ଠରେ କହିଲେ ।

 

ରାଜୁ ଗୁଣ୍ଡାର ଭୁଲ ହୁଏନା, ଓସ୍ତାଦ୍‌ ! ମୋତେ ତୁମେ ମାରି ପକାଇଛ । ମୁଁ ଆଉ କଣ ତୁମକୁ ଛାଡ଼ିବି....କହୁ କହୁ ରାଜେନ୍ ଅଣ୍ଟାରୁ ଛୁରୀ ବାହାର କରି ଆଗେଇ ଆସିଲା ।

 

ଭୟପାଇ ତକିଆରେ ଆଉଜି ପଡ଼ିଲେ ଅଭୟ । ପୁନର୍ବାର ଶାନ୍ତ କଣ୍ଠରେ କହିଲେ–ତୁମେ ନିଶ୍ଚୟ ଭୁଲ୍ କରୁଛ ।

 

ଭୁଲ୍ ! ଉନ୍ମାଦଙ୍କ ପରି ହସିଲା ରାଜୁ ! ଦକ୍ଷିଣ ପାଖ ଚକ୍ଷୁଟି ଛୋଟ ହୋଇ ଆସିଲା । ବାଁ, ପାଖ ଆଖିଟି ବଡ଼ ଦେଖାଗଲା ହିମ ମୃତ୍ୟୁର ସଙ୍କେତ ନେଇ ଆଗେଇ ଆସିଲା ।

 

ଅଭୟକାନ୍ତ ସ୍ଥିର ଦୃଷ୍ଟିରେ ଚାହିଁବା ପାଇଁ ଚେଷ୍ଟା କଲେ । କୌଣସି ଦୁଃସ୍ୱପ୍ନ ସେ ଦେଖୁ ନାହାନ୍ତିତ ? ନା, ଦୁଃସ୍ୱପ୍ନ ନୁହେଁ । ଏଇତ ରାଜୁ ତାଙ୍କରି ଆଡ଼କୁ ଆସୁଛି । ତାର ହାତରେ ଛୁରୀଖଣ୍ଡିକ ରକ୍ତପିପାସାରେ ଲୋଭୀ ହୋଇ ଉଠିଛି । ପକେଟରୁ ରିଭଲ୍‍ଭର୍ ବାହାର କରି ଉଠି ଠିଆହେଲେ ସେ । ନିଶା ଯେପରି କ୍ରମେ କ୍ରମେ ଫିକା ହୋଇ ଆସୁଛି । ଗମ୍ଭୀର ସ୍ୱରରେ କହିଲା ଖୁବ୍‍ ହୋଇଛି । ଏଥର ଦୟାକରି ଚାଲିଯାଅ । ମତେ ଭୟ ଦେଖାଉଛ ? ରାଜୁ ଅଭୟକାନ୍ତ ଉପରକୁ ଛୁରୀ ହାତରେ ଧରି ଡେଇଁ ପଡ଼ିଲା ।

 

ଶୁଣାଗଲା ଗୁଳିର ଶବ୍ଦ ।

ତୀବ୍ର ଚିତ୍କାର କରି ବୁକୁରେ ହାତ ଦେଇ ତଳେ ପଡ଼ିଗଲେ ରାଜୁ ।

 

ଯଶୋଦା ପାଖ ଘରୁ ଦଉଡ଼ି ଆସିଲା । ଭୟରେ ମୁହଁଟି ରକ୍ତଶୂନ୍ୟ ହୋଇଗଲା । କାଗଜ ପରି ସାଦା ଆଖିରେ ଆତଙ୍କର ଛାୟା । କମ୍ପିତ କଣ୍ଠରେ କହିଲା–ତୁମେ ଖୁଣ୍ କଲ, ଅଭୟ-!

 

ଖୁଣ୍ ! ଅଭୟ ରିଭଲ୍‍ଭର୍‍କୁ ଦେଖିଲେ । ମୁହଁସାରା ଝାଳରେ ବୁଡ଼ିଗଲା । ବାଁ, ହାତରେ ମୁଣ୍ଡରବାଳ ମୁଠାକରି ଚିପି ଧରିଲେ । ନିଶ୍ୱାସ ବନ୍ଦ କରି ତୁନିହୋଇ ଛିଡା ହୋଇଥାନ୍ତି ।

 

ତୁମେ ତାକୁ ଗୁଳିକଲ କାହିଁକି ? ଗଭୀର ଅଧର୍ଯ୍ୟତା ଯଶୋଦାର ଗଳାର ସ୍ୱରରେ ।

 

ଅଭୟ ସ୍ଥାଣୁ ପରି ଛିଡ଼ା ହୋଇଥାନ୍ତି । ସେତେବେଳେ ତାଙ୍କର ମସ୍ତିଷ୍କର ଶିରା-ପ୍ରଶିରାଦେଇ ଜ୍ୱଳନ୍ତ ଅଗ୍ନିର ଶିଖା ତୀବ୍ରଭାବେ ପ୍ରବାହିତ ହେଉଥାଏ ଯେପରି । ଆଖି ଦୁଇଟିକୁ ଜୋର କରି ମୁଦି ଦେଲେ ସେ । ମୁଣ୍ଡଟାକୁ ଆଉ ଟିକିଏ ଝୁଙ୍କେଇ ଦେଲେ ତେବେ ସୁଦ୍ଧା ମନେହେଲା, ଦୃଷ୍ଟି ଯେପରି ସହଜ ହେଉଛି ବୋଲି ମନେ ହେଉନାହିଁ । ନିଶା ଯେପରି ଆହୁରି ଗାଢ଼ ହୋଇ ଆସୁଛି ।

 

ଯଶୋଦା ଆଉ ସ୍ଥିରଭାବେ ଛିଡ଼ାହୋଇ ପାରିଲା ନାହିଁ । ଅଭୟର ହାତଧରି ପ୍ରଚଣ୍ଡଭାବେ ତାକୁ ହଲାଇ ଦେଇ ଚିତ୍କାର କରି କହିଲା–ତୁମେ ଖୁଣ୍ କଲେ, ଅଭୟ !

 

ଖୁଣ୍‍ ! ନା-ନା ! ମୁଁ ଖୁଣ୍‍ କରିନାହିଁ.... ଅଭୟ ଏଥର ଚେତନା ଯେପରି ଲାଭ କରିଛି । ଦୃଷ୍ଟି ଅନେକ ପରିମାଣରେ ସହଜ ହୋଇ ଆସିଥାଏ ।

 

ନିଶା ଝୁଙ୍କରେ ତୁମେ ମଣିଷ ଖୁଣ୍ କଲା ! ଲୋକଟା କଣ ଏପରି ଅପରାଧ କରିଥିଲା.....ଯଶୋଦାର କଣ୍ଠସ୍ୱର ଭୟ-ଜଡିତ । ରିଭଲ୍‍ଭର୍‍ଟିକୁ ଆଖି ପାଖକୁ ଆଣି ଦେଖିବାକୁ ଲାଗିଲେ ଅଭୟ । ଅସ୍ପଷ୍ଟ ସ୍ୱରରେ କହିଲେ–ଖୁଣ୍ କଲି, ନିଶା ଝୁଙ୍କରେ ଗୁଳି କରି ମାରିପକାଇଲି ମୁଁ.....

 

ଝଡ଼ପରି ଘର ଭିତରକୁ ଆସିଲା ବାସୁ । ମୁହଁ ଆଖି ବିବର୍ଣ୍ଣ । ଚାପା କଣ୍ଠରେ କହିଲା–ପୁଲିଶ ଆସୁଛି, ଦିଦି–

 

ଯଶୋଦା ମନରେ ଛାନିଆ ପଶିଲା । ମୁହୂର୍ତ୍ତେ ମାତ୍ର, ମୁହୂର୍ତ୍ତକ ଭିତରେ ନୂତନ ଅଭିନୟଲାଗି ନିଜକୁ ପ୍ରସ୍ତୁତ କରିନେଲା ସେ ବାସୁକୁ କହିଲା–ଅଭୟକୁ ନେଇ ତୁ ସିଡ଼ିବାଟ ଦେଇ ବାହାରକୁ ଯାଇ ତାଙ୍କୁ ରେକ୍‍ସାରେ ବସାଇ ଘରକୁ ପଠାଇ ଦେ’ । ନା-ନା, ରେକ୍‍ସାରେ ନୁହେଁ । ତୁ ନିଜେ ତାକୁ ସାଙ୍ଗରେ ନେଇ ଘରେ ଛାଡ଼ିଦେଇଆ’.....

 

ମୁଁ ଖୁଣ୍ କଲି ଯଶୋଦା ! ଅସହ୍ୟ ମାନସିକ ଯନ୍ତ୍ରଣା ଅନୁଭବ କରୁଥାନ୍ତି ଅଭୟ । ସମସ୍ତ ଶରୀର ଧୀରେ ଧୀରେ ଶୀତଳ ହୋଇ ଆସୁଥାଏ ଯେପରି । ସତେ ଯେପରି ସେ ବର୍ତ୍ତମାନ ଅଚେତ ହୋଇପଡ଼ିବେ । କୌଣସି ଶକ୍ତି ଯେପରି ଆଉ ତାଙ୍କର ନାହିଁ ।

 

ତୁମେ ଏଠୁ ପଳେଇଯାଅ, ଅଭୟ ! ଯାଅ ! ବାସୁ ତୁମକୁ ଘରେ ଛାଡିଆସିବ । ଯାଅ, ଆଉ ଡ଼େରି କଲେ ସର୍ବନାଶ ହେବ.... ଯଶୋଦା ଅଭୟ ହାତଧରି ଟାଣି ଟାଣି ଦୁଆର ପାଖକୁ ନେଇ ଆସିଲା ।

 

ତୁମେ ଯିବନାହିଁ, ଯଶୋଦା ! ତୁମେ

 

ତୁମେ ଖୁଣ୍‍ କରିଛ । ଭୟ ତୁମର, ମୁଁ କାହିଁକି ଭୟରେ ପଳାଇଯିବି ! ଯାଅ, ଏଠୁ ଚାଲିଯାଅ । ଆଉ ଡେରି କଲେ ମୁଁ ତୁମକୁ ବଞ୍ଚାଇ ପାରିବି ନାହିଁ । ବାସୁ, ଯା’ ତାଙ୍କୁ ନେଇଯା...ଦୃଢ଼ଭଙ୍ଗୀରେ କହିଲା ଯଶୋଦା !

 

ବାସୁ ଆଉ କିଛି କହିବାର ଅବକାଶ ନଦେଇ ଟାଣି ଟାଣି ଅଭୟଙ୍କୁ ବାହାରକୁ ନେଇ ଆସିଲା । ଯଶୋଦା ଏଥର ତୀକ୍ଷ୍‌ଣଦୃଷ୍ଟିରେ ଦେଖିଲା ରାଜୁକୁ । ମନୁଷ୍ୟ ମରିଗଲେ ରୂପ କେଡ଼େ କୁତ୍ସିତ ହୋଇଯାଏ । ରାଜୁର ମୁହଁ ଅଳ୍ପ ହାଁ ହୋଇ ରହିଛି, ଓଠ ଝୁଲି ପଡ଼ିଛି ଆଗକୁ । ମୁହଁରେ ଯନ୍ତ୍ରଣାର କୁଞ୍ଚନ । ଗୁଳି ବାଜିଛି ବୁକୁର ମଝିରେ–ପଞ୍ଜରାର ହାଡଭାଙ୍ଗି ଫୁସ୍ ଫୁସ୍‍ରେ ବୋଧହୁଏ ଅଟକି ଯାଇଛି ଗୁଳିଟି ।

 

ଘରର ପର୍ଦ୍ଦା ଫାଙ୍କକରି ଘର ଭିତରେ ପ୍ରବେଶ କଲେ ସ୍ଥାନୀୟ ଥାନାର ଇନିସ୍ ପେକ୍ଟର ବଳରାମ ମିଶ୍ର ଓ ପ୍ରଦୀପ ଚୌଧୁରୀ । ଚକ୍ଷୁ ସେମାନଙ୍କର ଅସମ୍ଭବ ଭାବେ ତୀକ୍ଷ୍ମ ହୋଇ ଉଠିଲା । ରାଜୁର ରକ୍ତାକ୍ତ ଦେହ ଦେଖି ଉଭୟେ ଚମକି ପଡିଲେ ।

 

ଏ କଣ ! ଖୁଣ୍‍ ! ପ୍ରଦୀପ ଗମ୍ଭୀର କଣ୍ଠରେ ଉଚ୍ଚାରଣ କଲେ ।

ଯଶୋଦା ନିକଟରେ ଛିଡା ହୋଇଥିଲା, ନିଷ୍କମ୍ପ ତା’ର ଶରୀର ।

ତୁମେ ଖୁଣ୍‍ କରିଛ ? ପ୍ରଦୀପ ଆଉ ଟିକିଏ ଆଗେଇ ରାଜୁର ମୃତଦେହ ପାଖକୁ ।

ନା-ନା, ...ଯଶୋଦା ବିବର୍ଣ୍ଣ ମୁଖରେ କହିଲା ।

ନା ? ତାହାହେଲେ କିଏ ଖୁଣ୍ କରିଛି ?

ମୁଁ ଜାଣେନା । କରୁଣ ଦୃଷ୍ଟିରେ ଚାହିଁଲା ଯଶୋଦା ।

 

ତୁମ ଘରେ ଖୁଣ୍ ହୋଇଛି, ଅଥଚ ତୁମେ ଜାଣନା କିଏ ଖୁଣ୍ କରିଛି ? ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲେ ପ୍ରଦୀପ । ଦେଖିଲେ ଯଶୋଦାର ଆଖି କୋଣରେ ଅଶ୍ରୁ ଟଳ ଟଳ କରୁଛି ।

 

ପ୍ରକୃତରେ ମୁଁ କିଛି ଜାଣେନା । ମୁଁ ସେତେବେଳେ ବାହାରେଥିଲି । ହଠାତ୍ ଗୁଳିର ଶବ୍ଦ ଶୁଣି ଘରେ ଆସି ଏହି ଦୃଶ୍ୟ ଦେଖୁଛି ।

 

ଘର ଭିତରେ ଆଉ କିଏ ଥିଲେ ?

ନା, କେହି ନ ଥିଲେ–

 

ତୁମେ ମିଛ କହୁଛ । ଦେଖିପାରୁଛ ଏଠାରେ ମଦ ବୋତଲ ଓ ଗ୍ଲାସ ରହିଛି । ତାହାହେଲେ ତୁମେ କଣ ଡ୍ରିଙ୍କ୍ କରୁଥିଲ ?

 

ହଁ–

ତୁମେ ଏକା ?

ହଁ–

 

ମିଥ୍ୟା କଥା । ପ୍ରଦୀପ ଦେଖି ପାରିଲେ ରାଜୁ ଯେଉଁଠାରେ ପଡିଛି, ଖଣ୍ଡିଏ ସୁନାର ସିଗାରେଟ୍ କେସ୍ ସେଠାରେ ପଡିଛି । ଆଲୋକରେ ଉଜ୍ଜ୍ୱଳ ଦେଖାଯାଉଥାଏ ବସ୍ତୁଟି । ତଳୁ ଉଠାଇ ନେଇ ପ୍ରଦୀପ କହିଲେ– ଏ-ଟା କାହାର ?

 

ଯଶୋଦା ଚମକିପଡ଼ିଲା । କହିଲା ଅଭୟବାବୁଙ୍କର–

ଅଭୟକାନ୍ତ ! କାହନ୍ତି ସେ ?

ଆଜି ଆସିନାହାନ୍ତି ।

ତାହାହେଲେ ଏହି ସିଗାରେଟ୍ କେସ୍ ଏଠାକୁ ଆସିଲା କିପରି ?

ଜାଣେନା । କୁମାରଙ୍କର ସିଗାରେଟ୍ କେସ୍ ହଜିଯାଇଛି ବୋଲି ଦିନେ ସେ କହୁଥିଲେ ।

 

ହୁଁ ! ମନେ ମନେ ଚିନ୍ତା କରିବାକୁ ଲାଗିଲେ ପ୍ରଦୀପ । ବଳରାମବାବୁଙ୍କୁ କହିଲେ–ଆପଣ ଭିତରକୁ ଯାଇ ଭଲଭାବେ ଦେଖି ଆସନ୍ତୁ ।

 

ଇନସପେକ୍ଟର ବଳରାମ ମିଶ୍ର ଭାରି ବୁଟ୍‌ର ଶବ୍ଦ କରି ଭିତରକୁ ଗଲେ ।

 

ସତ କହୁଛ, ଅଭୟବାବୁ ଆଜି ଆସିନାହାନ୍ତି । ପ୍ରଦୀପ ତୀକ୍ଷ୍ଣଦୃଷ୍ଟିରେ ଚାହିଁଲେ ଯଶୋଦାକୁ । ଯଶୋଦାର ମୁଖମଣ୍ଡଳ ଭାବଲେଶ ଶୂନ୍ୟ ।

 

ନା.....ମୃଦୁ କଣ୍ଠରେ କହିଲା ଯଶୋଦା ।

ସବୁ ମିଛ–

ମୁଁ ସତ କହୁଛି.....ପ୍ରାୟ କାନ୍ଦି ପକାଇଲା ଯଶୋଦା ।

 

ତୁମେ ଏକା ଡ୍ରିଙ୍କ କରୁଥିଲ.....ପ୍ରଦୀପ ଲକ୍ଷ୍ୟ କରୁଥାଏ ଯଶୋଦାର ମୁଖର ଭାବରେ କୌଣସି ପରିବର୍ତ୍ତନ ଘଟୁଛି କି ନାହିଁ । ଅନୁମାନ ତାର ସତ୍ୟ । କ୍ରମେ କ୍ରମେ ପରିବର୍ତ୍ତନ ଧରାପଡ଼ିଲା । ମୁହୂର୍ତ୍ତେ ନୀରବରହି ସେ କହିଲା–ମୁଁ ଏକାଥିଲି । ଟିକିଏ ବାହାରକୁ ଯାଇଛି, ଏହି ସମୟରେ ଗୁଳିର ଶବ୍ଦ ଶୁଭିଲା । ଆସି ଦେଖେ, ଲୋକଟା ରକ୍ତାକ୍ତ ହୋଇ ପଡିଛି ।

 

କିଏ ସେ ?

ଚିହ୍ନେ ନା ।

ଆଗେ କେବେ ଦେଖି ନାହଁ ?

ନା, ଠିକ୍ ମନେପଡ଼ୁନାହିଁ ।

ମନେ ନ ପଡ଼ିବା କାରଣ ?

 

କେତେ ଲୋକ ଏଠିକି ଆସନ୍ତି । ସାଧାରଣ ଲୋକକୁ ମନେରଖିବା କି ସମ୍ଭବ.....ସ୍ପଷ୍ଟ ସ୍ଵରେ କହିଲା ଯଶୋଦା ।

 

ହଠାତ୍ ଘର ଭିତରେ ପ୍ରବେଶ କଲେ ଘନଶ୍ୟାମବାବୁ । ପ୍ରଥମେ ତାଙ୍କର ଦୃଷ୍ଟି ପଡ଼ିଲା ମୃତ ରାଜୁ ଉପରେ । କ୍ଷୀଣ ଶବ୍ଦ ମୁହଁରୁ ବାହାରି ଆସିଲା–ପୁଣି ଗୋଟାଏ ଖୁଣ୍‍.....

 

ଏଇ ଯେ, ମେନେଜରବାବୁ, ଏଇ ସିଗାରେଟ୍‌କେସ୍‌ଟିକୁ ଆପଣ ଚିହ୍ନିପାରୁଛନ୍ତି କି ନାହିଁ....କହି ପ୍ରଦୀପ ସିଗାରେଟ୍‌କେସ୍‌ଟି ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରାଇଲେ ।

 

ଏହା ତ ବାବୁଙ୍କର ! ମାନେ–ଅଭୟବାବୁଙ୍କର.....

ଠିକ୍ ଚିହ୍ନି ପାରିଛନ୍ତି ତ ?

 

ହଁ, ଏଇ କେସ୍‌ଟିକୁ ମୁଁ ନିଜେ କିଣି ଆଣି ତାଙ୍କୁ ଦେଇଥିଲି । ଟିକିଏ ନିରବ ରହି ପୁଣି ପଚାରିଲେ–କଣ ହେଲା ପ୍ରଦୀପବାବୁ ! ଅଭୟବାବୁଗଲେ କୁଆଡେ ? ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ ଘନଶ୍ୟାମବାବୁ ।

 

ଅଭୟବାବୁ ନାହାନ୍ତି । ସଂକ୍ଷିପ୍ତ ଉତ୍ତର ଦେଲେ ପ୍ରଦୀପ । ଘର ଭିତରେ ପୁଣି ଠାରେ ଦୃଷ୍ଟି ବୁଲାଇ ଆଣିଲେ । ଯଶୋଦାକୁ ପୁଣିଥରେ ଭଲ କରି ଦେଖିଲେ । ମୁଣ୍ଡ ଉପରୁ ରୂପେଲି ଶାଢ଼ୀର ନକ୍‌ସାକଟା ବର୍ଡ଼ର ଗୋଡ଼ର ଆଙ୍ଗୁଳି ଉପରେ ଆସି ପଡିଛି । ନା, କୌଣସି ଶବ୍ଦ ନାହିଁ-ନିଷ୍କମ୍ପ ଗୋଟାଏ ଦେହ । ଏହି ନାରୀର ଚତୁପାର୍ଶ୍ଵ ଯେପରି ଘନ ରହସ୍ୟରେ ଆଦୃତ ।

 

ନା, ଭିତର ଘରେ କେହି ନାହାନ୍ତି ପ୍ରଦୀପବାବୁ ! .....ବଳରାମ ମିଶ୍ର ପ୍ରବେଶ କରି ପ୍ରଦୀପର ନିକଟସ୍ଥ ହେଲେ ।

 

ଭ୍ରୂବଙ୍କେଇ ତୀର୍ଯ୍ୟକ ଚାହାଣିରେ ପୁଣିଥରେ ଯଶୋଦାବାଈକୁ ଦେଖିଲେ ପ୍ରଦୀପ ।

ଓ୍ୟାଲ୍ କ୍ଳକ୍ ଶବ୍ଦ କରି ଉଠିଲା ।

ଅଭୟକାନ୍ତ ଘଡ଼ି ଆଡ଼େ ଚାହିଁଲେ–ସାଢ଼େ ସାତଟା ।

ପୁଣି ସିଗାରେଟ୍‍ରେ ମୃଦୁଟାଣ ଦେଲେ–ଧୂଆଁ ଛାଡ଼ିଲେ ।

 

ସମ୍ମୁଖରେ ଥିବା ଭାରି ନିଳପର୍ଦ୍ଦାଟି ଟିକିଏ ଫାଙ୍କ ହୋଇଅଛି । ବାହାରର ପୋର୍ଟିକୋରେ ସାଦା ଡୁମ୍‍ର ଆଲୋକଟି ଜଳୁନାହିଁ । ମୃଦୁ ସବୁଜ ଆଲୋକର କିୟଦଂଶ ଆସି ପଡ଼ିଛି, ଆର ଘରର ଲାଇବ୍ରେରୀ ରୁମ୍ ର ଝରକା ବାଟ ଦେଇ । ସାଦା ପିଲର୍ ଉପରେ ସେହି ସବୁଜ ଆଲୋକ ଆସି ପଡିଛି, ତଳଟା ଅନ୍ଧକାର । ଫୁଲଗଛଗୁଡ଼ିକ ଯେପରି ଅନ୍ଧକାରରେ ମୁହଁ ଲୁଚାଇଛନ୍ତି । ଆର ପାଖରେ ରାସ୍ତା । ଉପରେ ଆକାଶ । ସ୍ଲେଟ୍ ରଙ୍ଗ । ଗୋଲାକାର ଚନ୍ଦ୍ର ଆକାଶ ଦେହରେ ।

 

ଶୀତଦିନର ସନ୍ଧ୍ୟା । ମନେହୁଏ ଅନେକ ରାତି ହୋଇଛି ଯେପରି ।

 

ଏକ ବସିବାକୁ ଅଭୟକାନ୍ତଙ୍କୁ ଭଲଲାଗୁ ନଥାଏ । ଅନେକ ଦିନ ହେଲା ସେତ’ ଲାଇବ୍ରେରୀ ଆଡ଼େ ଯାଇନାହାନ୍ତି । କି ଏକା ।

 

ଅଜଣା ଦୁର୍ବାର ଆକର୍ଷଣରେ ନିଜତ୍ୱ ଯେପରି ସେ ହରାଇ ପକାଇଲେ । କିନ୍ତୁ ବେଶ୍ ଲାଗୁଚି ଆଜିର ସନ୍ଧ୍ୟାବେଳାଟା, ଏପରି ମଧୁର ଓ ଲୋଭନୀୟ ବୋଲିତ କାହିଁ କୌଣସି ଦିନ ମନେ ହୋଇନାହିଁ ।

ଲାଇବ୍ରେରୀ ଘରକୁ ଆସିଲେ ଅଭୟକାନ୍ତ । କେତେଟା ନୂଆ ଆଲମାରୀ ଆଣି ରଖିଛି ଅଶୋକା । ଅନେକ ନୂଆ ବହି ମଧ୍ୟ ଆଣିଛି । ବହିଗୁଡ଼ିକ ଦେଖୁ ଦେଖୁ ସାର୍ ଆର୍ଥାର କନେନ୍ ଡୟାଲ୍‍ଙ୍କର ଦିକେସ ଅଫ୍ ଶାର୍ଲକ ହୋମ୍ ବହିଖଣ୍ଡିକ ଉପରେ ଦୃଷ୍ଟି ପଡ଼ିବାରୁ ଆଲମାରୀ ଭିତରୁ ବାହାର କରି ଆଣିଲେ । ରହସ୍ୟ ରୋମାଞ୍ଚକ କାହାଣୀର ଦୁର୍ବାର ଗତି ପଢ଼ିବାକୁ ଖୁବ୍ ଭଲଲାଗେ-। ପଢ଼ୁ ପଢ଼ୁ ହଠାତ୍ ଚମକି ଉଠିଲେ ସେ । ଗଳା ଶୁଖି ଆସିଲା, ଆଖି ଆଗରେ ଭାସି ଉଠିଲା ରକ୍ତାପ୍ଲୁତ ଗୋଟିଏ ମୃତଦେହ ।

ବହିଟି ରଖିଦେଇ ଚାଲିଆସିଲେ ଡ୍ରଇଂରୁମ୍ କୁ । ମନହେଲା ଶରୀରଟା ଯେପରି ଖୁବ୍ ଭାରି ଲାଗୁଛି । ଏ ବୋଝ ଯେପରି ସେ ଆଉ ସହ୍ୟ କରିପାରୁନାହିଁ । ଗୋଟିଏ ସୋଫାରେ ଧପ୍ କରି ବସିପଡ଼ିଲେ । ଗଳାଟା କ୍ରମେ ଶୁଖି ଆସୁଛି । କଣ ଯେପରି ଗୋଟାଏ ଅଭାବ ବହିଯାଇଛି । କଣ ଯେପରି ସେ ଏପର୍ଯ୍ୟନ୍ତ ଖାଇନାହାନ୍ତି । ସାଙ୍ଗେ ସାଙ୍ଗେ ସିଗାରେଟ୍ ଧରାଇଲେ, ହୁଏତ ଟିକିଏ ଭଲ ଲାଗିବ । ଦୁଆରର ପର୍ଦ୍ଦା ଆଡ଼େଇ ବାହାରକୁ ଚାହିଁଲେ, ଆକାଶରେ କ୍ଷୀଣ ଚନ୍ଦ୍ରର ମ୍ଳାନ ଆଲୋକ ।

ବାହାରେ ସାମାନ୍ୟ ଶବ୍ଦ ଶୁଣାଗଲା । ମନହେଲା–କିଏ ଯେପରି ଅତି ସନ୍ତର୍ପଣରେ ଆଗେଇ ଆସୁଛି । ଚମକି ପଡ଼ିଲେ ଅଭୟକାନ୍ତ । ହୃତପିଣ୍ଡ ଅସମ୍ଭବ ଭାବେ କମ୍ପିବାକୁ ଲାଗିଲା । ଆଖି ଅଧେ ବୁଜି ଭଲଭାବେ ନିଃଶ୍ୱାସ ନେଲେ, ତେବେ ସୁଦ୍ଧା କମ୍ପିଲା ନାହିଁ ବୁକୁର ଯନ୍ତ୍ରଣା ।

କାହିଁକି ଏପରି ହେଉଛି । ଭାବିଲେ, ଅଶୋକାକୁ ଡାକି ଦେବା ଲାଗି ମୁକୁନ୍ଦଙ୍କୁ ଡାକି କହିଲେ । ସେ ପାଖରେ ଥିଲେ ହୁଏତ’ ଟିକିଏ ଭଲ ଲାଗିବ । ହଠାତ୍ ମନେ ପଡ଼ିଲା ଅଶୋକା ଘରେ ନାହିଁ–ମାର୍କେଟିଂରେ ଯାଇଛି । ଫେରୁ ଫେରୁ ଡେରି ହୋଇପାରେ ।

 

ପୁଣି ସେହି ମୃତ ଦେହଟା ଆଖିଆଗରେ ଜଳ ଜଳ ହୋଇ ଦିଶୁଛି କାହିଁକି ? ତେବେ କଣ ସେ ତାକୁ ଗୁଳି କରି ହତ୍ୟା କରିଛନ୍ତି ?କେତେଥର ଲୁଚେଇ ଲୁଚେଇ ରିଭଲ୍‌ଭରଟିକୁ ସେ ଦେଖିଛନ୍ତି । କିଛି ବୁଝି ପାରନ୍ତିନା । ସତରେ ସେ କଣ ରାଜୁକୁ ଗୁଳି କରି ହତ୍ୟା କରିଛନ୍ତି ? ନିଶା ଝୁଙ୍କରେ ହୁଏତ ଗୁଳିକରିବା କିଛି ଅସମ୍ଭବ ନୁହେଁ ।

 

ରିଭଲ୍‌ଭରରେ କେତେଟା ଗୁଳିଥିଲା ତାହା ମଧ୍ୟ ମନେପଡୁ ନାହିଁ......ଗୁଳି ସେ ନିଶ୍ଚୟ କରିଛନ୍ତି । ତାହା ହେଲେ ବ୍ୟବହୃତ କ୍ୟାପଟା ଚେମ୍ବାର୍‌ ରେ ଆସି ପଡ଼ଲା କିପରି ?

 

ଅଭୟକାନ୍ତ ଆଉ ଭାବିପାରିଲେ ନାହିଁ । ମୁଣ୍ଡ ଭିତରେ ଗୋଳମାଳ ସୃଷ୍ଟି ହେଲା । ସେ କଣ ପାଗଳ ହୋଇଯିବେ ? ପାଗଳା ସାରା ଦେହରେ ଛୋଟ ଛୋଟ ନାଲି ପିମ୍ପୁଡି ଯେପରି ଛାଇହୋଇଯାଇଛି । ମୁଣ୍ଡର ବାଳ ଭିତରେ ସେମାନେ ଯେପରି କିଲ ବିଲ ହୋଇ ଚାଲିଛନ୍ତି । ଓଃ, କି ଜ୍ୱାଳା !

 

ଉଠି ଠିଆ ହୋଇ କୋଟ୍‍ଟାକୁ ଖୋଲିଦେଲେ ସେ । ଟାଇ ଖୋଲି ସାର୍ଟର ବୋତାମ ଗୁଡ଼ିକ ପଟ୍‌ ପଟ୍‌ କରି ଖୋଲିଦେଲେ । ପିଠି ଓ ଛାତିରେ ହାତ ବୁଲାଇବାକୁ ଲାଗିଲେ । ଭୀଷଣ ଜ୍ୱାଳା, ପିମ୍ପୁଡ଼ି ଗୁଡ଼ାକ ଯାଇ ନାହାନ୍ତି–ଆଶ୍ଚର୍ଯ୍ୟ ! ସେମାନଙ୍କର ଛୋଟ ମୁଁହରେ ଏତେ ବିଷ ଯନ୍ତ୍ରଣା-!

 

କିଲ୍‌ବିଲ୍‌ ହୋଇ ଚାଲିଛନ୍ତି । କାନପାଖରେ, ଛାତିରେ । ଦୁଇହାତରେ ମୁଣ୍ଡର ବାଳ ଧରି ସାମନାକୁ ଟାଣିଆଣିଲେ । କିନ୍ତୁ କାହିଁ, ଗୋଟିଏ ହେଲେ ହେଲେ ପିମ୍ପୁଡ଼ିର ଦେଖାଯାଉନାହିଁ ।

 

ଅସହ୍ୟ ବୋଧ କରୁଥାନ୍ତି ଅଭୟକାନ୍ତ । ସାରାଦେହରେ କି ଭୀଷଣ ଜ୍ବାଳା ! ଗଲା- ଓଃ, ଗଳାଟା ଆଜି ଏପରି କାହିଁକି ହେଉଛି ? ଖାଲି ଶୁଖି ଯାଉଛି–ତୃଷା, ଭାରୀ ଶୋଷ ! ଶୋଷରେ ଛାତି ଯେପରି ଫାଟିଯିବ, ଦମ୍‌ ବନ୍ଦ ହୋଇଯିବ ।

 

କଣ ହୋଇଛି ଅଭୟବାବୁ ?

 

ବୋକାଙ୍କ ପରି ଛାଁହିଲେ ଅଭୟକାନ୍ତ । ଯଶୋଦାଵାଈ କେତେବେଳୁ ଆସି ଘର ଭିତରେ ଛିଡା ହୋଇଛି ତାହା ସେ ବୁଝି ପାରିଲେ ନାହିଁ ।

 

ଦେଖତ’ ଯଶୋଦା, ମୋ ଦେହ କଣ ସବୁ ହେଉଛି.....ଅସହାୟକଣ୍ଠରେ କହିଲେ ଅଭୟକାନ୍ତ ।

 

କାହିଁ, ଦେଖେ…..କହୁ କହୁ ସ୍ନେହରେ ଆଗେଇ ଆସିଲା ଯଶୋଦାଵାଈ । ଆହୁରି ପାଖକୁ ଲାଗିଁ ଆସିଲା । ମୃଗନୟନୀ ନେତ୍ରରେ ଅଭୟଙ୍କର ସର୍ବାଙ୍ଗ ହସ୍ତଚଳନ କରିବାକୁ ଲାଗିଲା ସେ ।

 

ଦେଖିଲା, ଯଶୋଦା ! କଣ, ଦେଖିଲ.....ବେଦନାର୍ତ୍ତ ଦୃଷ୍ଟିରେ ଛାଁହିଲେ ଅଭୟକାନ୍ତ । କାହିଁ, କିଛିତ’ ଦେଖାଯାଉ ନାହିଁ..…ଯଶୋଦା ଆସିଲା । କହିଲା ସେ ସବୁ କିଛି ନାହିଁ । ଆଜି ବୋଧହୁଏ ଏତେବେଳଯାଏ ତୁମେ ଅମୃତରସ ପାନ କରିନାହଁ ?

 

କେତେ ପରିମାଣରେ ଶାନ୍ତ ଅନୁଭବ କେଲେ ଅଭୟ ! ଯଶୋଦାର କଥା ଠିକ୍‌ ବୋଲି ସେ ମନେକଲେ । ନା, ବର୍ତ୍ତମାନ ଆଉ ସେ କୌଣସି ଯନ୍ତ୍ରଣା ଅନୁଭବ କରୁନାହାନ୍ତି । କରୁଣ ହସର ଚାପା ଲହରୀ ଖେଳିଗଲା ଅଧର ପ୍ରାନ୍ତରେ ।

 

ତୁମେ ଆଜି କାଲି ଢେର ବଦଳି ଯାଇଛ, ଅଭୟ ! ସ୍ନିଗ୍‌ଧ କଣ୍ଠରେ କହିଲା ଯଶୋଦା ।

କାହିଁକି ଏକଥା କହୁଛ ? ବୋକାଙ୍କ ପରି ପ୍ରଶ୍ନ କଲେ ଅଭୟ ।

 

କେତେଦିନ ହେଲା ମୋ ଘରକୁ ଯାଇନାହିଁ କାହିଁକି ? ଅଭିମାନ ଝରିପଡ଼ିଲା ଯଶୋଦା କଣ୍ଠରୁ ।

 

ତୁମର ସେଠାକୁ ଯିବାର ଭାରୀ ଭୟ ହେଉଛି ଯଶୋଦା, ସେହି ଭୟ ଯୋଗୁଁ କୁଆଡ଼କୁ ନଯାଇ ଏକା ବସି ଡ୍ରିଙ୍କ୍‌ କରୁଛି ।

 

ଆଉ ଖୁବ ଶାନ୍ତିରେ ଅଛି, ନା ?

Unknown

 

ନା ନା, ଯଶୋଦା ! ଅନ୍ୟ କିଛି ଭାବନା । ତୁମ ଘରକୁ ଗଲେ ମୁଁ ଯେପରି ଆଉ ଶାନ୍ତି ଅନୁଭବ କରିପାରିବି ବୋଲି ମାନେ କରୁନାହିଁ । ମନେ ହେଉଛି–ରାଜୁ ଯେପରି କ୍ରମେ କ୍ରମେ ହିଂସ୍ର ହୋଇ ଉଠୁଛି । ତାର ହାତର ଛୁରୀଖଣ୍ଡିକ ଯେପରି ମୋର ଛାତିରେ ବସିବା ଅପେକ୍ଷାରେ ଲୋଲୁପ ହୋଇ ଉଠୁଛି । ଚାରିଆଡ଼େ ମୁଁ ଯେପରି ବିଭୀଷିକା ଦେଖିପାରୁଛି । ମୁଁ ଏସବୁ ସହ୍ୟକରି ପାରୁନାହିଁ । ଅଭୟ ଆତଙ୍କର ହାତ ଦୁଇଟି ମୁଁହରେ ଚାପା ଦେଲେ ।

 

ତୁମେ ବୃଥା ଆଶଙ୍କା କରୁଛ ଅଭୟ ! ଛାଡ଼, ବର୍ତ୍ତମାନ ମୋର ପାଞ୍ଚହଜାର ଟଙ୍କା ଦରକାର । ସାଙ୍ଗେ ସାଙ୍ଗେ ଦେଲେ ଭଲ ହୁଅନ୍ତା.....ଯଶୋଦା ମୃଦୁ ହସ ହସିଲା ।

 

ପାଞ୍ଚ ହଜାର !

 

ହଁ, ଅଭୟ ! ତୁମକୁ ବଞ୍ଚାଇବା ଲାଗି ହତ୍ୟାପରାଧ ନିଜେ ମୁଣ୍ତେଇଛି । ଏ ଟଙ୍କା ନ ପାଇଲେ ମୋର ବିପଦ ଆହୁରି ବଢ଼ିବ ବିପଦ ?

 

ହଁ, ମୋତେ ଫେର ଆତ୍ମରକ୍ଷା କରିବାକୁ ପଡିବ । ପୁଲିଶର ଶ୍ୟେନ ଦୃଷ୍ଟିରୁ ରକ୍ଷାପାଇବାକୁ ହେଲେ ବହୁତ ଟଙ୍କା ଦରକାର ହେବ । ତୁମେ ଯଦି ଟଙ୍କା ନ ଦିଅ, ତାହାହେଲେ.....ଯଶୋଦାର ମୁଖ ବିବରଣ ଦେଖାଗଲା–ଠିକ୍‌ ଯେପରି ଝରା ବାସିଫୁଲ ।

 

ତାହା ହେଲେ କଣ ? ଅଭୟଙ୍କର ମୁଖରେ ଆତଙ୍କର ଚିହ୍ନ ।

 

ତାହାହେଲେ ଟିକିଏ ରହି ଯଶୋଦା ପୁନର୍ବାର କହିଲା–ସେକଥା ପୁଲିଶ ଆଗରେ କହିବାକୁ ପଡ଼ିବ ।

 

ନା-ନା,ଟଙ୍କା ନେଇଯାଅ ତୁମେ.....ଅଭୟ ଚମକିତ ହେଲେ । ଏକ ପ୍ରକାର ଦଉଡ଼ି ଡ୍ରଇଂରୁମର ବାହାରକୁ ସେ ଚାଲିଆସିଲେ ।

 

ଯଶୋଦା ହସିଲା–ବିଜୟିନୀର ହସ । ଚୁପ୍‌ହୋଇ ବସିଲା ଖଣ୍ଡିଏ ଶୋଫାରେ ।

 

ତାର ମନେ ପଡ଼ିଲା ଥାନା କଥା । ଇନସ୍‌ପେକ୍ଟର ବଳରାମ ମିଶ୍ର ଓ ଗୋୟେନ୍ଦା ଓ ଅଫିସର ପ୍ରଦୀପ କଥା । ବେଶି ଭୟ କରୁଥିଲା ସେ ପ୍ରଦୀପକୁ । ତାର ଦୃଷ୍ଟିରେ ସେ ଯେପରି ଶତଧା ବିରକ୍ତ ହେଉଥିଲେ । ଆଶ୍ଚର୍ଯ୍ୟ ଲୋକଟା । ବେଳକାଳ ଦେଖି ସେ ପୁଣି ଏପରି ଅଦ୍ଭୁତ ପ୍ରଶ୍ନ କରିପାରେ ?

 

ମ୍ୟାନେଜର ଘନଶ୍ୟାମବାବୁ ଡ୍ରଇଂରୁମ୍‌କୁ ଆସି ଯଶୋଦାକୁ ଦେଖି ଆଶ୍ଚର୍ଯ୍ୟ ହେଲେ । ଗମ୍ଭୀର କଣ୍ଠରେଡାକିଲେ ଯଶୋଦା ବାଈ !

 

ଯଶୋଦା ନୀରବରେ ବସିଥାଏ, କୌଣସି ଉତ୍ତର ଦେଲାନାହିଁ ।

 

ତୁମେ କାହିଁକି ଏଠାକୁ ଆସିଛ ଯଶୋଦା ?ସ୍ଥିର ଦୃଷ୍ଟିରେ ଚାହିଁ । ଯଶୋଦାକୁ ପ୍ରଶ୍ନ କଲେ ମେନେଜର ଘନଶ୍ୟାମ ବାବୁ ।

 

ଅଭୟ ସାଙ୍ଗରେ ଦେଖା କରିବାକୁ ଆସିଛି ଅପରାଧୀଙ୍କ ପରି କହିଲା ଯଶୋଦା ।

 

କିଏ ତୁମକୁ ଭିତରକୁ ଆସିବାକୁ ଦେଇଛି ? ଧମକାଇଲାଭଳି କହିଲେ ଘନଶ୍ୟାମବାବୁ-

 

ଦରଓ୍ୟାନ୍ ବାଧା ଦେଇନାହିଁ, ନିର୍ଵିଘନରେ ତେଣୁ ମୁଁ ଆସିଛି ।

ଏଠାରୁ ଚଞ୍ଚଳ ବାହାରି ଯାଅ ପ୍ରଚଣ୍ଡ ଭାବେ ଚିତ୍କାର କରି କହିଲେ ସେ ।

 

ଯିବି । କିନ୍ତୁ ଅଭୟ ସାଙ୍ଗରେ ମୋର କଥାବାର୍ତ୍ତା ଶେଷ ହୋଇନାହିଁ.....ଯଶୋଦାର ଆଖିରେ ମୁହଁରେ ଚାପା କ୍ରୋଧର ଆଭାସ ଦେଖା ଗଲା ।

 

ଯଶୋଦା ମୋ’ ପାଖକୁ ଆସିଛି.....ଅଭୟ ଆଗରୁ ଆସି ବୋଧହୁଏ କଥା ବାର୍ତ୍ତା ଶୁଣିଥିଲେ । ଘନଶ୍ୟାମବାବୁଙ୍କୁ ଦେଖି ସେ ଆଗେଇ ପାରୁନଥିଲେ କିନ୍ତୁ ଏଥର ସେ କଥା ନକହି ରହିପାରିଲେ ନାହିଁ ।

 

ଘନଶ୍ୟାମବାବୁ ଶାନ୍ତ କଣ୍ଠରେ କହିଲେ–କିନ୍ତ ଅଭୟ ,ବୋହୁ ମା’ ଏ ସବୁ ଜାଣନ୍ତି ?

 

ଆପଣମାନେ ଆପଣମାନଙ୍କର ବୋହୁ-ମାକୁ ଭୟ କରିପାରନ୍ତି, ମୋରତ’ ଭୟ କରିବାର କୌଣସି କାରଣ ନାହିଁ । ଗମ୍ଭୀର ଭାବରେ ଅଭୟ ଯଶୋଦାର ନିକଟସ୍ଥ ହୋଇ କହିଲେ–ଚାଲ, ଯଶୋଦା !

 

ଯଶୋଦା କିଛି ନକହି ବଙ୍କିମ କଟାକ୍ଷରେ ଘନଶ୍ୟାମବାବୁଙ୍କ ଆଡ଼େ ଚାହିଁ ବାହୁଲ୍ୟର ହସ ହସି ଘରୁ ବାହାରିଗଲା ।

 

ଗଭୀର ବିସ୍ମୟରେ ସେମାନଙ୍କର ଗମନପଥକୁ ଛାହିଁ ରହିଲେ ଘନଶ୍ୟାମବାବୁ । ଆଖି ଆଗରେ ଅତୀତର ଏହିପରି ଗୋଟିଏ ଦିନରବ ଘଟଣା ପରିସ୍ପୁଟ ହୋଇ ଉଠିଲା ଗାଢ଼ ଅନ୍ଧକାର ଭେଦକରି ।

 

ଅଭୟକାନ୍ତର ପିତା ଅବନୀକାନ୍ତ ଏହପରି ଭାବେ ଦିନେ ରାତିରେ ବାଈଜୀର ହାତ ଧରି ଘରୁ ବାହାରି ଯାଇଥିଲେ । ଆରପାଖ ଘରର ନୀଳପର୍ଦ୍ଦାର ପଛରେ ଠିଆ ହୋଇ ତାଙ୍କର ସ୍ତ୍ରୀ ଏହି ଦୃଶ୍ୟ ଦେଖୁଥିଲେ । ତାଙ୍କର ପଦ୍ମ ବିନୀତ ମୁହଁ ଉପର ଦେଇ ଗାଡି ପଡୁଥିଲା । ଅଭିମାନରଅଶ୍ରୁ । ନିଶବ୍ଦ କ୍ରନ୍ଦନର ଆବେଗରେ ଗୋଟାସାରା ଥରୁଥିଲେ ସେ ।

 

ପ୍ରଦୀପ ଆସି, ପହଁଛିଲେ, ଗମ୍ଭୀର ମୁଖ–ଚିନ୍ତିତ ଲଲାଟ । ଆସନ୍ତୁ ପ୍ରଦୀପବାବୁ । ସାଦାର ଆହ୍ୱାନ ଜଣାଇଲେ ଘନଶ୍ୟାମବାବୁ ।

 

ଅଭୟବାବୁ ଚାଲିଗଲେ, ଅଶୋକାଦେବୀ ମଧ୍ୟ ଘରେ ନାହାନ୍ତି । ଶୂନ୍ୟଘର, ଏଠାରେ ଏକା ବାସି ଆଉ କଣ କରିବି.....ତେବେ ସୁଦ୍ଧା ପ୍ରଦୀପ ଘର ଭିତରକୁ ଆଇଲେ ।

 

ବୋହୁ ମା ବର୍ତ୍ତମାନ ଆସିବେ ...

 

ରାଧାଚରଣବାବୁ ଓ ଅଶୋକାଦେବୀଙ୍କୁ ଜୁୟେଲାରୀ ଦୋକାନରେ ଦେଖି ଆସିଲି । ସେମାନେ କଣ ଆଉ ଚଞ୍ଚଳ ଫେରିବେ ବୋଲିମନେ କରୁଛନ୍ତି ? ......ପ୍ରଦୀପ ପରିଷ୍କାରଭାବେ ଚାହିଁଲେ ଘନଶ୍ୟାମବାବୁଙ୍କୁ ।

 

ଟିକିଏ ଅପେକ୍ଷା କରନ୍ତୁ । ମୁଁ ତ’ ଅଛି ।

 

ହସିଲେ ପ୍ରଦୀପ । ଶୋଫାରେ ଆସି ବସିଲେ । ଟେବୁଲ୍‌ ଉପରୁ ଉଠାଇ ନେଲେ ଖଣ୍ଡିଏ ମାସିକ ପତ୍ରିକା ।

 

ଆପଣଙ୍କୁ ଚା’ ଦେବାପାଇଁ–

 

ବାଧାଦେଇ ପ୍ରଦୀପ କହିଲେ– ନା-ନା, ଚା’ ବର୍ତ୍ତମାନ ଦରକାର ନାହିଁ । ......ପତ୍ରିକାର ପୃଷ୍ଠା ଗୁଡ଼ିକ ଓଲଟାଉ ଓଲଟାଉ ପ୍ରଦୀପ କହିଲେ ଆପଣ କେତେଦିନ ହେଲା ଏଠାରେ କାମ କରୁଛନ୍ତି ଘନଶ୍ୟାମବାବୁ !

 

ଏଗାର ବର୍ଷ ହେବ.....ସଂକ୍ଷିପ୍ତ ଉତ୍ତର ।

ଠିକ୍‍ ଏଗାର ବର୍ଷ ?

ନା–ମାନେ, ମାସ, ଦିନ ଏସବୁ ହିସାବ କରି କହୁନାହିଁ । ମୋଟାମୋଟି ଭାବେ କହୁଛି ।

 

ନା ନା, ମୁଁ ସେ କଥା ପଚାରୁ ନାହିଁ । ମୋର ଧାରଣା ଥିଲା ଆପଣ ଯେପରି ତିରିଶ ଚାଳିଶ ବର୍ଷ ହେବ ଏଠାରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ କେଉଁଠି କଣ କରୁଥିଲେ ?

 

କହିବାଭଳି କିଛି କରୁନଥିଲି ।

ତେବେ ସୁଦ୍ଧା...

ଏହି ଷ୍ଟେଟ ଭିତରେ ମୋର କେବଳ ଜମି ଥିଲା, ସେସବୁ ଦେଖା ଶୁଣା କରୁଥିଲି ।

ବସନ୍ତୁ ଠିଆହେଲେ କାହିଁକି ?

 

ମନେ ମନେ ଅସନ୍ତୁଷ୍ଟ ହେଲେ ଘନଶ୍ୟାମବାବୁ ? ଏହି ଗୋୟେନ୍ଦା କବଳରୁ କିପରି ରକ୍ଷା ପାଇବେ, ଏହା ସେ ମନେ ମନେ ଭାବୁଥିଲେ । କାହିଁକି ଅଶୋକା ଏତେ ଡେରି କରୁଛନ୍ତି.....

 

ଆପଣଙ୍କୁ ତାହାହେଲେ ଅଭୟକାନ୍ତ ବାବୁ ନିଯୁକ୍ତି କରି ଥିଲେ ନା, ?

 

ହଁ, ଅବନୀକାନ୍ତବାବୁ ନିଯୁକ୍ତି କରିଥିଲେ । ହଁ ଝଡ଼-ତୋଫାନ ରାତିରେ ନୌକାରେ ସେ ଜମିଦାରୀରୁ ଫେରୁଥିଲେ । ହଠାତ ନୌକା ବୁଡ଼ି ଯିବାରୁ ଗତ୍ୟନ୍ତର ନ ଦେଖି ସେ ନଈରେ ଭାସୁଥିଲେ, ମୁଁ ସେଦିନ ତାଙ୍କୁ ଉଦ୍ଧାର କରିଥିଲି । ତେଣୁ ସେ ଖୁସି ହୋଇ.....ହଠାତ ଚୁପ୍‌ ହୋଇଗଲେ ଘନଶ୍ୟାମବାବୁ ।

 

ସେ ଦିନ ଝଡ଼-ତୋଫାନବେଳେ ଆପଣ କେଉଁଠି ଥିଲେ ? .....ଭ୍ରୁ ଉଠାଇ ପ୍ରଶ୍ନ କଲେ ପ୍ରଦୀପ ।

 

ସେତେବେଳେ ମୁଁ ନଦୀରେ ମାଛ ଧରୁଥିଲି । ପିଲାଦିନୁ ମାଛ ଧରିବା ଅଭ୍ୟାସ ମୋର ଟିକିଏ ପ୍ରବଳ । ନଦୀର ଆର ପାଖରେ ବସି ମାଛ ଧରୁଥିଲି, ଝଡ଼ ଉଠିବା ଦେଖି ଘରକୁ ଫେରିବାକୁ ବସିଛି, ହଠାତ ଦେଖି ପାରିଲି ଅଭୟବାବୁ ସୁଅରେ ଭାସିଯାଉଛନ୍ତି ।

 

ସେତେବେଳେ ବୋଧହୁଏ ଦିନ ଥିଲା–ମାନେ, ସଂଧ୍ୟାର ଅନ୍ଧକାର ଭଲଭାବେ ଘୋଟି ନଥିଲା, ନା ?

 

ଘନଶ୍ୟାମବାବୁ କଣ ଭାବି ପରେ ମୃଦୁ ହସି କହିଲେ–ନା । ସେତେବେଳେ ଦି’ପହର ବେଳା । ଆକାଶରେ ମେଘ ଘୋଟି ଚାରିଆଡ଼ ଅନ୍ଧାର ମାଡ଼ିବସିବା ପରି ମନେ ହେଉଥିଲା । ପ୍ରକୃତରେ ସେଦିନ ଯଦି ଆପଣ ସେଠାରେ ନଥାନ୍ତେ ତେବେ ଅବନୀବାବୁ ନିଶ୍ଚୟ ମୃତ୍ୟୁ-ଦେବତାର ଅତିଥି ହୋଇଥାନ୍ତେ । ତାହାହେଲେ, ଅଶୋକାଦେବୀ ବର୍ତ୍ତମାନ ସମସ୍ତ ଜମିଦାରୀ ଓ ମିଲ୍‌ଗୁଡ଼ିକର ମାଲିକ ନୁହେଁ ଘନଶ୍ୟାମବାବୁ ! .....ପଚାରିଲେ ପ୍ରଦୀପ ।

 

ଆଜ୍ଞା ହଁ, ଅବନୀବାବୁ ନିଜେ ସମସ୍ତ ସମ୍ପତ୍ତି ତାଙ୍କୁ ଦାନ କରି ଯାଇଛନ୍ତି ।

ଆପଣ ତାହାହେଲେ ସବୁ ରଖନ୍ତି ଦେଖୁଛି....ହସି ହସି କହିଲେ ଘନଶ୍ୟାମବାବୁ ।

ସବୁ ଖବର ନୁହେଁ, ତେବେ କିଛି କିଛି ଜାଣେ–

କ୍ଷଣିକର ନୀରବତା ।

ରାଧାଚରଣ ଲୋକଟି କେମିତି ? ପ୍ରଦୀପ ପଚାରିଲେ ।

ବେଶ୍ ଭଲ ।

ଆପଣତ’ ତାଙ୍କୁ ନିଯୁକ୍ତି ଦେଇଥିଲେ ନା ?

ହଁ.....ଘନଶ୍ୟାମବାବୁ ପ୍ରଦୀପ ଆଡ଼େ ଚାହିଁଲେ ।

ଅଫିସର-ଇନ୍‌-ଚାର୍ଜ ପଦପ୍ରାର୍ଥୀ ପାଇଁ କେତେଜଣ ଦରଖାସ୍ତ କରିଥିଲେ ?

ପ୍ରାୟ ଚାରିଶ ଜଣ ।

ଦରଖାସ୍ତ ଦେଖି କିଏ ସେମାନଙ୍କୁ ଇଣ୍ଟରଭିଉକୁ ଡକାଇଥିଲେ ? ଆପଣ ?

 

ହଁ । କିନ୍ତୁ ଇଣ୍ଟରଭିଉବେଳେ ବୋହୁ-ମା’ ଅର୍ଥାତ୍‌ ଅଶୋକାଦେବୀ ନିଜେ ଉପସ୍ଥିତ ଥିଲେ.....ଘନଶ୍ୟାମବାବୁ ଅତି ଧୀର କଣ୍ଠରେ କଥା ଗୁଡ଼ିକ କହିଲେ ।

 

ପ୍ରଦୀପବାବୁ କେତେବେଳୁ ଆସିଛନ୍ତି.....କହୁ କହୁ ହସି ହସି କକ୍ଷ ଭିତରେ ପ୍ରବେଶ କଲେ ଅଶୋକା । ସବୁଜ ରଙ୍ଗର ସିଲ୍‌କଶାଢ଼ୀ ଓ ଲାଲ ରଙ୍ଗର ବ୍ଲାଉଜ୍‌ ସର୍ବାଙ୍ଗରେ ଆବୃତ ହୋଇ ବନାନୀରୂପ ଧାରଣ କରିଥାନ୍ତି ସେ ।

 

ଉଜ୍ଜଳ ଚକ୍ଷୁରେ ଅଶୋକା ଆଡ଼େ ଚାହିଁ ପ୍ରଦୀପ କହିଲେ–ବେଶି ସମୟ ହେଲା ଅବଶ୍ୟ ଆସି ନାହିଁ ।

 

କେତେଦିନ ହେଲା ଆସି ନାହାନ୍ତି କାହିଁକି ? ଅଶୋକା ଆସି ବସିଲେ ପ୍ରଦୀପବାବୁଙ୍କର ପାଖ ଚେୟାରରେ ।

 

ଅଶୋକା ଘରେ ପହଞ୍ଚିବା ସଂଗେ ସଂଗେ ଘନଶ୍ୟାମବାବୁ ଠିଆ ହୋଇ ପଡ଼ିଥିଲେ । ଏଥର ସେ କହିଲେ–ବୋହୁ-ମା !

 

କିଛି କହିବେ ? –ଅଶୋକା ତାଙ୍କ ଆଡ଼େ ଚାହିଁଲେ ।

 

ରାଧାଚରଣ କଣ ଆପଣଙ୍କ ସାଙ୍ଗରେ ମାର୍କେଟିଂ କରିବାକୁ ଯାଇଥିଲେ ? ଘନଶ୍ୟାମବାବୁଙ୍କର ଲଲାଟରେ କୁଞ୍ଚିଠର ରେଖା ପରିସ୍ଫୁଟ ହୋଇ ଉଠିଲା ।

 

ହଁ ସେ ସାଙ୍ଗରେ ଯାଇଥିଲେ–ବର୍ତ୍ତମାନ ବୋଧହୁଏ କ୍ୱାଟରରେ ଥିବେ... । ପ୍ରଦୀପ ଆଡ଼େ ମୃଦୁ କଣ୍ଠରେ ଅଶୋକା ପଚାରିଲା ଚା’ ଖାଇଛନ୍ତି ?

 

ଖାଇ ଆସିଛି ।ପ୍ରଦୀପ ଦେଖିଲେ–ଘନଶ୍ୟାମବାବୁ କଣ ଯେପରି ଚିନ୍ତା କରିବାକୁ ଲାଗିଛନ୍ତି ।

 

ତାଙ୍କ ସାଙ୍ଗରେ ଆପଣଙ୍କର ଦେଖା ହୋଇଛି ?

 

ନା । ଯଶୋଦା ବାଈ ! .....ଅଶୋକାଙ୍କର ବୁକୁ ଭିତରେ ଦାନବୀୟ ଆକ୍ରୋଶ ଜାଗି ଉଠିଲା ।

 

କ୍ଷମା କରିବେ, ଅଶୋକାଦେବୀ ! ମୁଁ ବୁଝିପାରିନାହିଁ ଆପଣ ଏ କଥା ଶୁଣି ଏତେଦୂର ଉତ୍ତେଜିତ ହେବେ ବୋଲି । .....ପ୍ରଦୀପ ଦେଖୁଥାନ୍ତି ଅଶୋକାଙ୍କୁ ।ସେ ଯେପରି ଇ କଣ କହିବି କହିବି ବୋଲି କହିପାରୁନାହିଁ ।

 

ମନେ କରିବାର କଣ ଅଛି, ପ୍ରଦୀପ ବାବୁ ! ଏହାତ’ ଏହି ବଂଶର ଧାରା.....ଗଭୀର ଦୁଃଖିତ କଣ୍ଠରେ ଅଶୋକା କହିଲେ । ତାଙ୍କର ଆଖି ଭିତରେ ଜଳିବାକୁ ଲାଗିଲା–ନ ଉପେକ୍ଷିତାର ଅଶ୍ରୁ ବର୍ତ୍ତମାନ ଗଡ଼ି ଆସିବ ଯେପରି ।

 

ଆପଣଙ୍କର ତିନିବର୍ଷ ହେଲା ବିବାହ ହୋଇଛି, ନା ! ଏହା ଭିତରେ ଏତେ କଥା ଜାଣିପାରିଛନ୍ତି ?

 

ଗୋଟିଏ ପରିବାରର ଅତୀତ ସମ୍ବଦ୍ଧରେ ଜାଣିବାକୁ ହେଲେ ମାତ୍ର କେତେଟା ମାସ କଣ ଯଥେଷ୍ଟ ନୁହେଁ ପ୍ରଦୀପବାବୁ ! ମୁଁ ଏ ବଂଶର ବୋହୁ । ବାସର ରାତିରେ ମୁଁ ଅନେକ କଥା ଜାଣି ପାରିଛି..…ଶୁଷ୍କ ହସ ହସିଲେ ଅଶୋକା ।

 

ମୁଁ ଯେତେଦୂର ଜାଣେ, ଅଭୟ ଅବନୀ ବାବୁଙ୍କର ଏକମାତ୍ର ସନ୍ତାନ । ବନ୍ଧୁବାନ୍ଧବ କିମ୍ବା ଆଶ୍ରିତ ମଧ୍ୟ କେହି ନାହାନ୍ତି । ତେବେ ସୁଦ୍ଧା ସେମାନଙ୍କର ଅତୀତ କଥା ଆପଣ ଏତେ ଶୀଘ୍ର ଜାଣିପାରିଲେ ?

 

ମେନେଜରବାବୁଙ୍କ ପାଖରୁ ସବୁ ଶୁଣିଛି । ସନ୍ଧ୍ୟା ହେବା ପରେ ପରେ ସେ ଯେତେବେଳେ ବାହାରକୁ ଚାଲି ଯାଆନ୍ତି, ଏହି ବିଶାଳ ମୃତ୍ୟୁପୁରୀ ଭିତରେ ନିଃଶ୍ୱାସ ମୋର ବନ୍ଦ ହୋଇ ଆସେ । ମେନେଜର ବାବୁ ଆସନ୍ତି, ଗଳ୍ପ କରନ୍ତି । .....ଅଶୋକା ବଡ଼ କ୍ଳାନ୍ତ ହୋଇ ପଡ଼ିଲେ-

 

ମେନେଜରବାବୁ ତାହା ହେଲେ ଆପଣଙ୍କୁ ଖୁବ୍‌ ସ୍ନେହ କରନ୍ତି..…ପଚାରିଲା ପ୍ରଦୀପ ।

ହଁ.....ଅନ୍ୟମନସ୍କତାର କଣ୍ଠସ୍ୱର ଅଶୋକାଙ୍କର ।

ରାଧାଚରଣବାବୁ ?

 

ହଁ, ସେ ମଧ୍ୟ ଯଥେଷ୍ଟ ସ୍ନେହ କରନ୍ତି । ଏମାନେ ଅଛନ୍ତି ବୋଲି ବିରାଟ ନିର୍ଜନତାରୁ ମୁଁ ରକ୍ଷାପାଇଛି ।

 

କିନ୍ତୁ ରାଧାଚରଣବାବୁ ଜଣେ ସାମାନ୍ୟ କର୍ମଚାରୀ–

ସେ କିନ୍ତୁ ମୋ ପାଇଁ ଯଥେଷ୍ଟ ଅନୁଭବ କରନ୍ତି ।

ପ୍ରଦୀପଙ୍କର ଭ୍ରୂକୁଞ୍ଚିତ ହୋଇଆସିଲା । ବିସ୍ମିତ ଦୃଷ୍ଟିରେ ଚାହିଁଲେ ଅଶୋକାଙ୍କୁ ।

ଅଶୋକା ଲଜ୍ଜିତ ହେଲେ, କିଛି ନକହି ତଳକୁ ମୁହଁପୋତି ବସିଲେ ।

 

ପ୍ରଦୀପ ଦେଖିଲା ଅଶୋକାଙ୍କର ମୁଖମଣ୍ଡଳ ରକ୍ତ ରଙ୍ଗିନ ହୋଇ ଉଠିଛି । ସେ ଯପରି କି ଏକ ଚିନ୍ତାରେ ବିଭୋର । ହଠାତ୍‍ କହିଲେ–ଗତ କେତେଦିନ ତଳେ ଯଶୋଦାଵାଈଙ୍କର ଘରେ ଗୋଟାଏ ଖୁଣ ହୋଇଥିଲା, ବୋଧ ହୁଏ ଶୁଣିଛନ୍ତି ?

 

ହଁ, ଶୁଣିଛି.....ଅଶୋକା ମନେମନେ ଭୀତା ହେଲେ ।

ସେହି ଖୁଣ୍ ଯୋଗୁଁ ପୁଲିଶ ଅଭୟଙ୍କୁ ସନ୍ଦେହ କରୁଛି, ଏହା ମଧ୍ୟ ଜାଣନ୍ତି !

ଅଭୟଙ୍କୁ ! –ଅଶୋକା ଆଶ୍ଚର୍ଯ୍ୟ ହେଲା ।

 

ହଁ । ଅଭୟ ସେତେବେଳେ ସେଠାରେ ଥିଲେ,ବସି ଡ୍ରିଙ୍କ କରୁଥିଲେ । ଗ୍ଲାସରୁ ଫିଙ୍ଗରପ୍ରିଣ୍ଟ୍‍ ମିଳିଛି । ତାଙ୍କର ସିଗାରେଟ୍‌କେସ ମଧ୍ୟ ସେଠାରେ ପଡ଼ିଥିଲା....ପ୍ରଦୀପର ମୁଖ ମଣ୍ଡଳ ଗାମ୍ଭୀର୍ଯ୍ୟପୂର୍ଣ୍ଣ ।

 

ଅଭୟ ! ନା-ନା, ଏହା ଅସମ୍ଭବ । ସେପରି ଲୋକ ଖୁଣ୍‌ କେବେ କରିପାରେନା । –ଅଶୋକା ପ୍ରତିବାଦ କଣ୍ଠରେ କହିଲେ ।

 

ଅସମ୍ଭବ କିଛି ନୁହେଁ, ଅଶୋକାଦେବୀ ! ଅଭୟ ନିଜେ ଗୁଳି କରି ଲୋକଟାକୁ ହତ୍ୟା କରିଛନ୍ତି । ୩୮ ବୋର୍‌ର ରିଭଲଭର ଦ୍ଵାରା ମାତ୍ର କେତେ ହାତ ଦୂରରୁ ସେ ତାକୁ ଗୁଳି କରିଛନ୍ତି ।’ ୩୮ ବୋର ରିଭଲ୍‌ଭରର ଲାଇସେନସ ତାଙ୍କର ଅଛି ।

 

ମିଥ୍ୟାକଥା ! ଏହା ଯଦି ହୋଇଥାଏ, ପୁଲିସ ଆଜି ପର୍ଯ୍ୟନ୍ତ ନିଷ୍କ୍ରିୟ ହୋଇଅଛି କାହିଁକି-? କାହିଁକି ? ଅଭୟକାନ୍ତଙ୍କୁ ସେମାନେ ଗିରଫ କରି ନାହାନ୍ତି ? .....ଅଶୋକା ଭିତରେ ଭିତରେ ଛଟପଟ ହେଉଥାନ୍ତି । ତାଙ୍କର ମନେହେଲା, ପ୍ରଦୀପ ଯେପରି କୌଣସି ଦୂରଭିସନ୍ଧି ନେଇ ଆସିଛି-। ସେ ଯେପରି ତା’ ମୁହଁରେ ଅଶୁଭର ଛାୟା ଦେଖିପାରୁଛି ।

 

ପୁଲିସ ଅନେକଦିନ ପୂର୍ବରୁ ଅଭୟକାନ୍ତକୁ ଗିରଫ କରିଥାନ୍ତା, ମାତ୍ର ଦୁଇଟି ଗୋଟିଏ ପ୍ରମାଣର ଅପେକ୍ଷାରେ ସେମାନେ ଅଛନ୍ତି । ପ୍ରଦୀପ ଖଣ୍ଡିଏ ସିଗାରେଟ ଧରାଇଲେ ।

 

ପ୍ରମାଣ ?

ହଁ, ଅଶୋକା ଦେବୀ ! ଯେଉଁ ଲୋକଟି ଖୁଣ୍‍ ହୋଇଛି । ସେ ଚୋରା ମଦର କାରବାର କରୁଥିଲା । ଆହୁରି ମଧ୍ୟ ବେ-ଆଇନୀ ଅଫିସ ଓ କୋକେନ ବ୍ୟବସାୟ ତାର ଥିଲା । ପୁଲିଶ ଜାଣିବାକୁ ଚାହେଁ ?

ପୁଲିଶ କଣ ଜାଣିବାକୁ ଚାହେଁ.....କହୁ କହୁ ଘର ଭିତରେ ପ୍ରବେଶ କଲେ ଅଭୟ-

ରାଜୁ ସହିତ ତୁମର କି ସମ୍ବନ୍ଧ–ପୁଲିଶ ଏହି କଥା ଜାଣିବାକୁ ଚାହେଁ ।

ମୋ’ ସହିତ ?

ହଁ ତୁମେ ଜଣେ ବିଶିଷ୍ଟ ମାନୀ ଓ ଧନୀ ପରିବାରର ସନ୍ତାନ । ତୁମ ସହିତ ଏହି ନୀଚ ସ୍ମଗଲ୍‌ରମାନଙ୍କର କି ସମ୍ବନ୍ଧ ? .....ସାଧାରଣ ଭାବେ କହିଲା ପ୍ରଦୀପ ।

ବିଶ୍ଵାସ କର ପ୍ରଦୀପ, ମୁଁ ଏସବୁ କିଛି ଜାଣେନା । .....ଅସହାୟ ଅଭୟଙ୍କର କଣ୍ଠ ଥରିବାକୁ ଲାଗିଲା । ବିଶ୍ଵାସ କରିପାରୁନାହିଁ, ଅଭୟ–ମୁଁ ଦୁଃଖିତ ।

ମୋର ସ୍ୱାମୀ ଖୁଣୀ…..ଦୁଇ ହାତରେ ମୁହଁ ବନ୍ଦକରି ଅଶୋକା କାନ୍ଦିବାକୁ ଲାଗିଲେ । ତାପରେ ସେ ଏକ ପ୍ରକାର ଦୌଡ଼ି ଚାଲିଗଲେ । ଆରଘରକୁ ।

ପ୍ରଦୀପ ଗଭୀର ବ୍ୟଥା ଅନୁଭବ କଲେ । ଅଶୋକା ପାଇଁ ଦାରୁଣ ବେଦନା ମନେ ମନେ ଅନୁଭବ କଲେ । ଅଭୟ ଆଡ଼େ ଚାହିଁ ଦୃଢ଼ କଣ୍ଠରେ ପଚାରିଲେ–କାହିଁକି ତୁମେ ରାଜୁକୁ ଖୁଣ କଲ,–

ମୁଁ ?

ହଁ, ତୁମେ...

ନା-ନା, ମୁଁ ଖୁଣ କରିନାହିଁ ।

 

ଅସ୍ଵୀକାର କରି କୌଣସି ଲାଭ ନାହିଁ ! ଅଭୟ ସବୁ କଥା ମୋ ଆଗରେ ଖୋଲି କୁହ । କଥା ଗୋପନକରି କାହିଁକି ନିଜକୁ ବିପଦରେ ପକାଇବାକୁ ବସିଛ ? .....ନରମ କଣ୍ଠରେ କହିଲା ପ୍ରଦୀପ ।

 

ମୁଁ କିଛି ଜାଣେନା । ସତ କହୁଛି, ପ୍ରଦୀପ–ତୁମେ ମୋତେ କ୍ଷମା କର । .....ଅଭୟ ଆଉ ଠିଆ ହେଲେ ନାହିଁ, ଦ୍ରୁତ ପଦରେ ଘରୁ ବାହାରି ଗଲେ ।

 

ପ୍ରଦୀପ ଭାବିବାକୁ ଲାଗିଲା । ତେବେ ସୁଦ୍ଧା ସେ ଯେପରି ବିରାଟ ଧୂମରାଶି ମଧ୍ୟରୁ ନିଜକୁ ମୁକ୍ତ କରିପାରୁ ନାହିଁ । ବିନୟବାବୁଙ୍କୁ ଯିଏ ଖୁଣ୍‍ କରିଛି ସେ ନିଶ୍ଚୟ ତାଙ୍କର ପରିଚିତ । ତାହା ନ ହେଲେ ଏପରି ଭାବେ ଡ୍ରଇଂରୁମ ଭିତରକୁ ଆସି ଛୁରୀକାଘାତ କରି ହରପାର୍ବତୀର ମୂର୍ତ୍ତି ସେଠାରୁ ନେଇ ଆସି ପାରନ୍ତା ନାହିଁ । ହର ପାର୍ବତୀ ମୃତ୍ତିର ସ୍ୱାର୍ଥ ଏମାନଙ୍କ ବ୍ୟତୀତ ଆଉ କାହାର ଥାଇପାରେ ନା, ଅନ୍ୟ କାହାରି ସ୍ୱାର୍ଥ ନାହିଁ । ଏମାନେ ଏହାହେଲେ କଣ ନୃଶଂସ ଭାବେ ତାଙ୍କୁ ହତ୍ୟା କରିଛନ୍ତି ? କିନ୍ତୁ କିଏ ଖୁଣ୍‌ କଲା ? ଘନଶ୍ୟାମବାବୁ ? ନା’ ସେ ତ’ ପରେ ଆସିଲେ । ଆଉ କଣ ଅଭୟ କାହାଦ୍ଵାରା ଖୁଣ୍ କରାଇଛି ? ହୋଇପାରେ । ରାଜୁ ଗୁଣ୍ଡା ପ୍ରକୃତିର ଲୋକ, ହୁଏତ ତା’ରି ସାହାର୍ଯ୍ୟରେ....ତାହାହେଲେ ରାଜୁକୁ ଖୁଣ୍ କରାଗଲା କାହିଁକି ? ତା’ର ମୁହଁ ଚିର ଦିନ ଲାଗି ବନ୍ଦ କରିବା ପାଇଁ ନୁହେଁ କି ? ଯଶୋଦା ଵାଈର ଘରେ ଖୁଣ ନକରି ଅନ୍ୟ କେଉଁଠି କରିଥିଲେ ତ’ ହୋଇଥାନ୍ତା । ସେଠାରେ ଖୁଣ କରିଵା ଉଦ୍ଦେଶ୍ୟ କଣ ? ପ୍ରଦୀପର ମନେହେଲା ଦୁଇଟିଯାକ ହତ୍ୟା ଯେପରି ଗୋଟିଏ ସୂତାରେ ଗୁନ୍ଥା ।

 

ପ୍ରଦୀପ ବାବୁ ! ଅଶୋକା କ୍ଲାନ୍ତ ଭାବେ ପ୍ରବେଶ କଲେ କଣ କହନ୍ତୁ.....ସହାନୁଭୂତି କଣ୍ଠରେ କହିଲେ ପ୍ରଦୀପ ।

 

ଆପଣ କଣ ବିଶ୍ୱାସ କରନ୍ତି–ଅଭୟ ଖୁଣ୍‌ କରିଛନ୍ତି ବୋଲି ?

 

ବିଶ୍ୱାସର କଥା ନୁହେ, ଅଶୋକା ଦେବୀ ! ଯେଉଁ ସବୁ ପ୍ରମାଣ ମିଳିଛି, ତହିଁରୁ ଜଣାଯାଏ ନିଶା ଝୁଙ୍କରେ ଅଭୟ ତାକୁ ଖୁଣ୍‌ କରିଛନ୍ତି.....ଶାନ୍ତ ସହଜ କଣ୍ଠରେ କହିଲେ ପ୍ରଦୀପ ।

 

ଅଶୋକାର ଶରୀର ଯେପରି ଟଳୁଛି । ଦୁଇ ହାତରେ ସୋଫାଟିକୁ ଶକ୍ତ ଭାବେ ଚାପି ଧରିଥାନ୍ତି । ଲଲାଟ ଉପରେ ବିନ୍ଦୁ ବିନ୍ଦୁ ହୋଇ ସ୍ପେଦବାରି ଫୁଟି ଉଠୁଥାଏ–ଘନ ଘନ ନିଶ୍ୱାସ ନେହଥାନ୍ତି ସେ ।

 

ପ୍ରଦୀପ ବସି ଭାବୁଥାନ୍ତି, ଏଇ ରାଧାଚରଣ ଲୋକଟା କିଏ ? ଅତୀତ ତାର କଣ ? ବର୍ତ୍ତମାନର ଏହି ପରିଚୟ ଯଥାର୍ଥ, ନା କୌଣସି ପୁରୁଷ ନୂତନ ରୂପରେ, ନୂତନ ଭୂମିକାରେ ଅଭିନୟ କରୁଛି ।

 

ହଠାତ୍ ଦୃଷ୍ଟି ପଡ଼ିଲା ଅଶୋକାଙ୍କର ପଛପଟେ ଥିବା ଗବାକ୍ଷ ଆଡ଼େ । ରିଭ୍‍ଲଭର ଧରିଥିବା ଗୋଟିଏ ହାତ ଯେପରି ଆଗେଇ ଆସୁଛି ।ସେ ନିଜେ ଯେପରି ଲକ୍ଷ୍ୟବସ୍ତୁ । ମୁହୂର୍ତ୍ତେ ମାତ୍ର । ପ୍ରଦୀପ ତଳେ ବିଛା ହୋଇଥିବା କାପେର୍ଟ ଉପରେ ଶୋଇପଡିଲେ ସଙ୍ଗେ ସଙ୍ଗେ ଗୋଟିଏ ଗୁଳି ଅଶୋକାଙ୍କର ବାଁ ହାତର ପାଖଦେଇ ଆସି ତାର ପଛରେ ଥିବା ପ୍ୟାରିସ୍‍ ତିଆରି ନଟରାଜ ମୂର୍ତ୍ତିଟିକୁ ଆଘାତ କଲା । ସଶବ୍ଦରେ ଖଣ୍ଡ ଖଣ୍ଡ ହୋଇ ମୃର୍ତ୍ତିଟି ତଳେ ପଡିଗଲା ।

 

ଅଶୋକା ଚମକି ପଡ଼ି ପ୍ରାୟ କାନ୍ଦି ପକାଇଲେ । ଆତଙ୍କରେ ଶିହରି ଉଠିଲେ ସେ ।

 

ପ୍ରଦୀପ ଠିଆ ହୋଇ ଦ୍ରୁତ ପଦରେ ଘର ଭିତରୁ ବାହାରି ଆସିଲେ । ନା, ଝରକା ପାଖରେ କେହି ନାହାନ୍ତି । ଆଲୋକ ଅନ୍ଧକାର ଭିତରେ ଚାରିଆଡ଼େ ଦୃଷ୍ଟି ବୁଲାଇ ଆଣିଲେ ପ୍ରଦୀପ, କିନ୍ତୁ କାହାରିକୁ ଦେଖିପାରିଲେ ନାହିଁ । ଫୁଲବଗିଚାର ଡାଳପତ୍ର ଗୁଡ଼ିକ ମଧ୍ୟ ଟିକିଏ ହେଲେ ହଲୁ ନାହିଁ । ସେମାନେ ଯେପରି କିଛି ଜାଣନ୍ତି ନାହିଁ, କାହାରିକୁ ଦେଖିନାହାନ୍ତି–ଏହିଭାବେ ଧୀର ସ୍ଥିର ।

 

କିନ୍ତୁ କିଏ ସେଠାରେ ? ଏଇଯେ ସୂର୍ଯ୍ୟମୁଖୀ କିଆରୀ ପାଖରେ ଗଛ ଆଢ଼ୁଆଳରେ ନିଜକୁ ଲୁଚାଇ ଛିଡା ହୋଇଛି ?

 

ପ୍ରଦୀପ ପକେଟରୁ ରିଭଲ୍‌ଭର ବାହାରକରି ଶକ୍ତଭାବେ ହାତରେ ନିଃଶବ୍ଦରେ ଆଗେଇ ଆସିଲେ । କେତେ ଗୁଡିଏ ଫୁଲଗଛ ପରି ହୋଇ ଚନ୍ଦ୍ର-ମଲ୍ଲିକା ପାଖରେ.....ଏଥର ଚମକି ପଡ଼ିଲେ-। ନିଜେ ଆଖିକୁ ସେ ଯେପରି ବିଶ୍ୱାସ କରି ପାରୁନାହାନ୍ତି ।

 

ସୂର୍ଯ୍ୟମୁଖୀ ପାଖଦେଇ ବାହାରି ଆସିଲେ ଅଭୟ । ରିଭଲ୍‌ଭରଟି…...ହାତରେ ଧରିଥାନ୍ତି । ମୁହଁ ଦେଖା ନଗଲେ ସୁଦ୍ଧା ଜଣାଯାଉଥାଏ ଦୁଃଶ୍ଚିନ୍ତା ଯୋଗୁଁ ମୁହଁ ଯେପରି କଳାକାଠ ପଡ଼ିଯାଇଛି । ଧରିଥିବା ରିଭଲଭରଟିକୁ ଏଥର ସେ ପକେଟରେ ରଖିଲେ ଚାରିଆଡ଼େ ଥରେ ସତର୍କ ଦୃଷ୍ଟି ବୁଲାଇଲେ ।

 

ପ୍ରଦୀପ କହିଲେ । ଏଡ଼େ ବୋକା ଅଭୟ । ଅନ୍ଧାରରେ ନିଜକୁ ଲୁଚାଇ ଆଉ ଗୋଟିଏ ଗଛ ପାଖରେ ଆସି ଛିଡ଼ାହେଲେ ।

 

ଅଶୋକା ଡ୍ରଇଂରୁମ୍‌ରୁ ବାହାରି ଆସିବା ଆଗରୁ ପୋର୍ଟିକୋର ଆଲୋକ ଜଳାଇ ଦେଇ ଆସିଥିଲେ । ଅଭୟଙ୍କୁ ଦେଖି ଦୌଡ଼ିଆସିଲେ । ଉତ୍ତେଜିତ କଣ୍ଠରେ କହିଲେ–ତୁମେ ଗୁଳି କରିଥିଲ-?

 

ଗୁଳି ! ମୁଁ କରିଛି ? ଅଭୟର ଆଖିରେ ଵିସ୍ମୟତା ଫୁଟି ଉଠିଲା ।

 

ହଁ । ପ୍ରଦୀବାବୁଙ୍କୁ ଗୁଳି କରି ମାରିବାକୁ ବସିଥିଲ ତୁମେ । ଅଶୋକା ଆଉ କହିପାରିଲେ ନାହିଁ । ସେତେବେଳେ ମୁଣ୍ଡ ଭିତରେ ଅସଂଖ୍ୟ ଚିନ୍ତାର ସ୍ରୋତ ବହିବାକୁ ଲାଗିଛି । ତାଙ୍କର ସ୍ୱାମୀ ଖୁଣି !

 

ନା-ନା, ଅଶୋକା ! ବିଶ୍ୱାସକର, ଗୁଳିର ଶବ୍ଦ ଶୁଣି ମୁଁ ଆସିଛି । ପ୍ରଦୀପ କେଉଁଠାରେ-? ସ୍ୱାଭାବିକ କଣ୍ଠରେ କହିଲେ ଅଭୟ ।

 

ମିଥ୍ୟା କଥା ! ତୁମର ରକ୍ତରେ ଖୁଣ୍‌ର ନିଶା । ସେ ନିଶା କଣ ତୁମେ ସହଜରେ ଛାଡ଼ିପାରିବ ? .....ଘୃଣାରେ ଅଶୋକାର ପଦ୍ମନନ କୁଞ୍ଚିତ ହୋଇଗଲା ।

 

ମନୁଷ୍ୟର ଜୀବନ ରହସ୍ୟ-ରୋମାଞ୍ଚକର ଉପନ୍ୟାସର ପୃଷ୍ଠାନେଇ ଗଢ଼ା ନୁହେଁ । ମନୁଷ୍ୟକୁ ବିଶ୍ୱାସ କରିବା ଅର୍ଥ–ବିରାଟ ଏକ ବସ୍ତୁ । ତୁମେ ମୋତେ ବିଶ୍ୱାସ କରନା ମୁଁ ଜାଣେ । ତେବେ ସୁଦ୍ଧା.....

 

ତୁମର କୌଣସି କଥା ମୁଁ ଶୁଣିବାକୁ ଚାହେଁନା.....ଅଶୋକା ଦ୍ରୁତ ପଦରେ ଆସୁଥିଲେ ପୋର୍ଟିକୋ ଆଡ଼େ ।

 

ପ୍ରଦୀପ ଆସିଲେ । ଅଭୟକୁ କହିଲେ–ଅଭୟ ! ବୋଧହୁଏ ତୁମକୁ ରକ୍ଷାକରି ପାରିବି ନାହିଁ.....ଶାନ୍ତ ଉତ୍ତେଜନାହୀନ ସ୍ୱରରେ କହିଲେ ପ୍ରଦୀପ ।

 

ପ୍ରଦୀପକୁ ଦେଖି ଅଭୟ ଅବସନ୍ନ ହୋଇପଡିଲେ । ମୃଦୁ କଣ୍ଠରେ କହିଲେ–ସନ୍ଦେହର ବିଷ ମୋର ଚାରିଆଡେ ଖେଳେଇ ହୋଇ ପଡିଛି । ମୁଁ ଆଉ ସହ୍ୟକରି ପାରୁନାହିଁ, ଅଭୟ ! ତୁମେ ମୋତେ ଗିରଫ କର । ହୁଏତ ମୁଁ ଟିକିଏ ଶାନ୍ତି ପାଇବି, ଅଶୋକା ମଧ୍ୟ ଶାନ୍ତି ପାଇପାରେ ।

 

ମ୍ଳାନ ହସ ହସିଲେ ପ୍ରଦୀପ । ବିସ୍ମିତ ମଧ୍ୟ ହେଲେ । ଗୁଳିର ଶବ୍ଦ ଶୁଣି ସୁଦ୍ଧାକେହି ଏଠାକୁ ଆସିଲେ ନାହିଁ କାହିଁକି । ମେନେଜର ଘନଶ୍ୟାମବାବୁ ! ଅଫିସର-ଇନ୍‌-ଚାର୍ଜ ରାଧାଚରଣ-! ଭୃତ୍ୟ ମୁକୁନ୍ଦ ! ଅନ୍ୟ ଭୃତ୍ୟମାନେ । ଏହାର କାରଣ କଣ ? –କାହିଁକି କେହି ଆସିଲେ ନାହିଁ ।

 

ଅଖଣ୍ଡ ନୀରବତା ଘର ଭିତରେ । ମୃତ୍ୟୁ ଶୀତଳ ସ୍ତବ୍‌ଧତା ।

 

ପ୍ରଦୀପ ମନେ ମନେ କେତେ କଥା ଭାବୁଥାନ୍ତି । ଅବଶେଷରେ ପଚାରିଲେ–ଅଶୋକାଦେବୀ କାହିଁକି ତୁମକୁ ସନ୍ଦେହ କରନ୍ତି ଅଭୟ–

 

ଜାଣେନା । .....ଅଭୟ ଆଖିମୁଦି ଧ୍ୟାନସ୍ଥ ହୋଇ ବସିଲା ।

ସତରେ ତୁମେ ଜାଣନା ?

 

ମୋର ପୂର୍ବ ପୁରୁଷର ଅତୀତ କାହାଣୀ ଏଥିପାଇଁ ଦାୟୀ ।ସେ ମନେକରନ୍ତି ମୋର ମଧ୍ୟ ଖୁଣ୍‌ର ନିଶାନ ଅଛି । ସେଥିଯୋଗୁଁ ଦିନେହେଲେ ସେ ସହାସ୍ୟମୁଖରେ ମୋ ପାଖରେ ଆସି ଠିଆ ହୋଇନାହାନ୍ତି । କେବେହେଲେ ସେ ମୋର ମନର କଥା ଜାଣିବାଲାଗି ଚେଷ୍ଟା କରିନାହାନ୍ତି । ହତାଶୀର ସ୍ୱର ଫୁଟି ଉଠିଲା ଅଭୟଙ୍କର କଣ୍ଠରେ ।

 

ପ୍ରଦୀପ ଆଉ କିଛି ନ କହି କକ୍ଷ ଛାଡ଼ି ଧୀରେ ଧୀରେ ସବୁଜ ଘାସର ଲେନ୍‌ ଆଡ଼କୁ ଆଗେଇଲେ । ଶୀତରାତିର ଶିଶିରସିକ୍ତ ଘାସ । ତାପରେ ଗେଟ ପାଖକୁ ଆସି ଠିଆହୋଇ ଦେଖିଲେ ବିରାଟ ସ୍ତବ୍‌ଧତା ବୁକୁରେ ଧରି ବିଶାଳ ଅଟ୍ଟାଳିକା ମୂକହୋଇ ଛିଡ଼ା ହୋଇଛି ।

 

ପ୍ରତ୍ୟେକେ ସାମାନ୍ୟ ଭୁଲଯୋଗୁଁ ଅପରାଧ କରିଥାନ୍ତି । ସେହି ଅପରାଧକୁ ପୁଣି ଘୋଡ଼ାଇବାଲାଗି କେତେକ ବ୍ୟକ୍ତି ସୁସ୍ଥ ମସ୍ତିଷ୍କରେ ମଧ୍ୟ ଅପରାଧକରିଥାନ୍ତି । କିନ୍ତୁ ବିନୟବାବୁ ଓ ରାଜୁକୁ ହତ୍ୟା, ତା’ ପ୍ରତି ଆକ୍ରମଣ, ଏ ସବୁ କଣ ସାଧାରଣ ଘଟଣା ? ସଙ୍ଘବଦ୍ଧ କୌଣସି ଦଳର କାର୍ଯ୍ୟ ହୋଇପାରେନା କି ?

 

ପ୍ରଦୀପ ଭାବି ଥାନ୍ତି.....ଅଶୋକା ଅଭୟକୁ ଘୃଣାକାର । କାହିଁକି ? ସ୍ୱାମୀ ପ୍ରତି ସ୍ତ୍ରୀ-ର ଏହି ଅବିଶ୍ଵାସର ପାହାଡ଼ ଉଠିବା କାରଣ କଣ ? କିଏ ଏହା ତିଳ ତିଳ କରି ଉଭୟଙ୍କର ମର୍ମକୁ ବିଷାକ୍ତ କରିଛି ? ମେନେଜର ଘନଶ୍ୟାମବାବୁ ? ଅଫିସର-ଇନ୍‌-ଚାର୍ଜ ରାଧାଚରଣ ? ରାଧାଚରଣ ସମ୍ବନ୍ଧରେ ଅନେକ ତଥ୍ୟ ସେ ସଂଗ୍ରହ କରିଛନ୍ତି । କୌଣସି ଅପରାଧ ସହିତ ତାକୁ ଯୁକ୍ତ କରାଯାଇ ପାରେନା । ତେବେ, ସବୁ ସମୟରେ ଯେପରି ତା’ର ଲୋଭାତୁର ଦୃଷ୍ଟି କୌଣସି ଏକ ନିର୍ଦ୍ଧିଷ୍ଟ ବସ୍ତୁ ଉପରେ କେନ୍ଦ୍ରୀଭୂତ ହେଉଅଛି । ରାଧାଚରଣ କଣ ଅଶୋକାର ସୁସ୍ଥ ସୁନ୍ଦର ଜୀବନକୁ ବିଷାକ୍ତ କରିଦେଇଛି ?

 

ଚାଲି ଚାଲି ଅନେକ ଵାଟ ଆସିବା ପରେ ହଠାତ୍‌ ଯଶୋଦାଵାଈ କଥା ପ୍ରଦୀପଙ୍କର ମନେ ପଡ଼ିଲା । ହାତଘଡ଼ି ଆଡେ ଚାହିଁ ଦେଖିଲେ ରାତି ଏଗାରଟା ବାଜି ସାତମିନିଟ୍‌ ।

 

ଯଶୋଦାର ଘର ଅନ୍ଧକାରପୂର୍ଣ୍ଣ ।

 

ନୀରବରେ କିଛି ସମୟ ଠିଆ ହେଲେ ପ୍ରଦୀପ । ତା’ ପରେ ଧୀରେ ଧୀରେ ପାଚେରୀ ପାଖଦେଇ ଗୋଟିଏ ସରୁ ଗଳିପାଖରେ ଆସି ପହଁଚିଲେ । ଚତୁର୍ଦିଗ ଅନ୍ଧକାରମୟ । କେବଳ ବଡ଼ରାସ୍ତାର ଲାଇଟ୍‍ପୋଷ୍ଟର୍‍ ଆଲୋକର ମ୍ଳାନ ଜ୍ୟୋତି କେତେକାଂଶରେ ଆସି ପଡିଛି ।

 

ନିର୍ଜନ, ନିସ୍ତବ୍‌ଧ ।

 

ସାମାନ୍ୟ ଚେଷ୍ଟାରେ ପାଚେରୀ ଡେଇଁ ଭିତରକୁ ଆସିଲେ ପ୍ରଦୀପ । ସେଠାରେ ମଧ୍ୟ, ସୂଚୀ ଭେଦ୍ୟ ଅନ୍ଧକାର । କାହାରି କୌଣସି ସ୍ୱର ଶବ୍ଦ ନାହିଁ । ସାମ୍ନାରେ ଥିବା ଛୋଟ ଖଣ୍ଡିଏ ଘର ଭିତରକୁ ଅଳ୍ପ ଶକ୍ତି ସମ୍ପନ୍ନ ବିଦ୍ୟୁତ ଆଲୋକ ହଠାତ୍‌ ଜଳି ଉଠିଲା । କ୍ଷୀଣ କଥୋପକଥନର ଶବ୍ଦ ମଧ୍ୟ ଶୁଣାଗଲା ।

 

ହୀରା ଦୁଇଟି ବିକ୍ରୟର କଣ ବ୍ୟବସ୍ଥା କରାଗଲା ?

ଆଉ ଦୁଇଟା ଦିନ ଅପେକ୍ଷାକର, ତା ପରେ.....

ନା, ଆଉ ଡେରି କରି ପାରୁନାହିଁ । ଟଙ୍କା ମୋର ଜରୁରୀ ଦରକାର ।

ବାସୁକୁ ତାହାହେଲେ–

 

ନା ! ତାକୁ ଏଣିକି ବିଶ୍ଵାସ କରାଯାଇ ପାରେନା । ସେ ବର୍ତ୍ତମାନ ପୁଲିସପକ୍ଷ ନେବାକୁ ବସିଛି ।

 

ନା-ନା, ଓସ୍ତାତ ! ବାସୁ ସେପରି ଲୋକ ନୁହଁ ।

 

ତୁମେ ଚୁପ୍‌କର ରହେମାନ୍ ! ବାସୁକୁ ମୁଁ ଚିହ୍ନେ । ତା’ ଉପରେ ମୁଁ ଭରସା ରଖି ପାରୁ ନାହିଁ । ଭାବୁଛି, ତାର ଏଥର ବିଦାୟ ନେବାର ସମୟ ଆସିଯାଇଛି ।

 

ତାକୁ କଣ ଖୁଣ୍‌ କରିବ ଓସ୍ତାତ୍‌ ?

ହଁ । ତା’ ପାଇଁ ମୁଁ ଶାନ୍ତି ପାଇପାରୁନାହିଁ ।

 

ଛି, ଓସ୍ତାତ୍‌ ! ଆଉ ଖୁଣ୍‌ କରନା ଓସ୍ତାତ୍‌ । ତାହାହେଲେ ପୁଲିସ ହାତରୁ ଆଉ ରକ୍ଷା ମିଳିବା କଥା ନୁହେଁ । ପ୍ରଦୀପବାବୁ ଜୋକ ପରି ଆମପଛରେ ଲାଗିଛି ।

 

ସେ ଯାହା ହେଉ, ହର-ପାବର୍ତୀ ମୂର୍ତ୍ତିର ହୀରା ଦୁଇଟିକୁ ଶୀଘ୍ର ବିକ୍ରି କରିବାକୁ ବ୍ୟବସ୍ଥା କର ।

 

ପ୍ରଦୀପ ଦେଖିଲେ–ଦୁଇଟି ଛାୟା ମୂର୍ତ୍ତି ଅନ୍ଧକାର ଭିତରେ ଆଗେଇ ଯାଉଛନ୍ତି । ତାଙ୍କର ଚକ୍ଷୁ ଦୁଇଟି ଅସ୍ୱାଭାବିକ ଜଳି ଉଠିଲା ।

 

ଧୀରେ ଧୀରେ ମୂର୍ତ୍ତି ଦୁଇଟି ଅଦୃଶ୍ୟ ହୋଇଗଲେ ।

 

ରହେମାନ୍ ଗୁଣ୍ଡା ଏମାନଙ୍କ ଦଳରେ । ଶୟତାନ୍‌ ଆଉ ଜଣେ ଶୟତାନକୁ ନିଜ ଦଳରେ ଆଣି ନିଯୁକ୍ତି କରିଛି । ବିଦ୍ୟୁତ୍‍ପରୀ ମନେପଡ଼ିଗଲା ପ୍ରଦୀପଙ୍କର । ଚମକି ପଡ଼ିଲେ ସେ । ଦୁଇ ବର୍ଷ ପୂର୍ବେ ରହେମାନ୍ ଜେଲରୁ ସମସ୍ତଙ୍କର ଅଲକ୍ଷରେ ପଳାଇ ଆସିଛି ।

 

ଯଶୋଦାଵାଈ ତାହାହେଲେ ଏଇ ରହସ୍ୟର ନାୟିକା ?

 

ପ୍ରଦୀପ ପକେଟରୁ ରିଭଲ୍‌ଭର୍ ବାହାରକରି ଶକ୍ତ କରି ହାତ ମୁଠାରେ ଧରିଲେ । ଅନୁମାନ ଉପରେ ନିର୍ଭର କରି ଆଗକୁ ଆଗେଇଲେ ସେ । ହଠାତ୍‌ କଠିନ ବସ୍ତୁ ଉପରେ ଶରୀର ଆଘାତ ଲାଗିବାରୁ ବାଁହାତ ସ୍ପର୍ଶ କରି ବୁଝିପାରିଲେ ସାମନାରେ ଶୀତଳ ପ୍ରାଚୀର । ବିସ୍ମିତ ହେଲେ ପ୍ରଦୀପ । ମନେହେଲା, ମୂର୍ତ୍ତି ଦୁଇଟି ନିକଟରେ ଯେପରି କେଉଁଠାରେ ଲୁଚି ରହିଛନ୍ତି । ସ୍ପଷ୍ଟ ଭାବେ ବୁଝି ପାରିଲେ ଯଶୋଦା ବାଈର ଘରଟି ହେଉଛି ଘନ-ରହସ୍ୟର ପ୍ରାଣ କେନ୍ଦ୍ର ।

 

ସ୍ତ୍ରୀ–କଣ୍ଠର ମୃଦୁ କଥୋପକଥନ ଶୁଣି ଚମକି ପଡ଼ିଲେ ପ୍ରଦୀପ । ସ୍ଥିରଭାବେ ସତର୍କ ଦୃଷ୍ଟି ବୁଲାଇ ଆଣିଲେ । ଦକ୍ଷିଣ ପାଖର ଝରକାର କାଚରେ ଦୁଇ ଛାୟାମୂତ୍ତିର ପ୍ରତିବିମ୍ବ ଆସି ପଡିଛି । ଗୋଟିଏ ଯଶୋଦାବାଈର, ଅନ୍ୟ ଛାଇଟି.....

 

ପ୍ରଦୀପ ଗବାକ୍ଷ ନିକଟରେ ଆସି ଛିଡା ହେଲେ ।

ଯଶୋଦାବାଈର ଛାୟା କହୁଥାଏ–ତୁ ଯା’, ବାସୁ.....

ମୋତେ ଭାରି ଡର ମାଡ଼ୁଛି, ଦିଦି !

 

ଭୟ ! ମୃତୁଲାଗି ଭୟ ! ଏହା ଅପେକ୍ଷା ମୃତୁ ଢେର ଭଲ ନୁହେଁ କି ? ଭାବି ଦେଖ, ବାବା କହୁଥିଲେ–ମନୁଷ୍ୟ ମନୁଷ୍ୟପରି ନ ବଞ୍ଚିଲେ ମରିଯିବା ବରଂ ସୁଖକର… । ଯଶୋଦାବାଈର କଣ୍ଠ କ୍ରନ୍ଦନର ଆବେଗରେ ରୁଦ୍ଧ ହୋଇ ଆସିଲା ।

 

ମୁଁ ସବୁ ବୁଝିଛି ଦିଦି । ବଡ଼ ବଂଶରେ ଜନ୍ମ ଆମର । କଣ ଆମେ ଥିଲେ, ଆଉ ଆଜି କଣ ହୋଇଛୁ । ତେବେ ସୁଦ୍ଧା ଦିଦି, ଓସ୍ତାତ୍ ଯଦି ଆମକୁ ଆଶ୍ରୟ ନ ଦେଇଥାନ୍ତେ, ତାହା ହେଲେ କେବେଠୁ ଆମେ ରାସ୍ତାରେ ପଡ଼ି ପ୍ରାଣ ହାରାଇଥାନ୍ତେ ।

 

ବିନା ସ୍ୱାର୍ଥରେ ଓସ୍ତାତ୍ ଆମକୁ ଆଶ୍ରୟ ଦେଇନାହିଁ, ବାବୁ ! ଆଜି ମୁଁ ବାଈଜି । ମୋର ରୂପର ଅଗ୍ନି କେତେ ଧନୀଙ୍କୁ ପୋଡ଼ାଇ ମାରୁଛି । ମୋତେ ଆଗରେ ରଖି ସେମାନେ ଅର୍ଥ ଆତ୍ମସାତ କରୁଛନ୍ତି । ତୁ ଯା, ଲୁଚି ଲୁଚି ଯାଇ ସବୁ କଥା କହି ଆ’.....

 

ଓସ୍ତାତ୍ ଯଦି ଜାଣି ପାରନ୍ତି.....ବାସୁର କଣ୍ଠ ଭୟରେ ଥରିବାକୁ ଲାଗିଲା ।

ସେ ଜାଣି ପାରିବେ ନାହିଁ । ବର୍ତ୍ତମାନ ସେ ତଳକୁ ଗଲେ ।

 

ନିଶ୍ୱାସ ବନ୍ଦକରି ଶୁଣୁଥିଲେ ପ୍ରଦୀପ । ହଠାତ୍‌ ଗୋଟିଏ ଭାରି ଜିନିଷ ମୁଣ୍ଡ ଉପରେ ଆସି ପଡ଼ିଲା । ସାଙ୍ଗେ ସାଙ୍ଗେ ମୁଣ୍ଡ ଘୁରାଇବାକୁ ଲାଗିଲା । ଅନ୍ଧକାର-ଚାରିଆଡେ ଅନ୍ଧକାର ଦେଖାଗଲା । ଆଉ ସେ ଠିଆ ହୋଇ ପାରିଲେ ନାହିଁ, ଅଜ୍ଞାନ ହୋଇ ପଡ଼ିଗଲେ ତଳେ ।

 

ଆଜି ଆଉ ଶୀତ ନାହିଁ । ଶୀତର କୌଣସି ଆଶା ମଧ୍ୟ ନାହିଁ ।

 

ଖଣ୍ଡିଏ ବେତ ଚୌକି ପକାଇ ବାହାରେ ଚୁପ୍ ହୋଇ ବସିଥିଲେ, ଅଶୋକା । ଶତ ସହସ୍ର କ୍ଷୋଭ ଓ ବେଦନାରେ ଅସ୍ଥିର ହେଉଥାନ୍ତି ସେ । ଦୀର୍ଘଶ୍ୱାସ ବୁକୁର ପଞ୍ଜରା ଭେଦକରି ନିର୍ଗତ ହେଉଥାଏ । ସେ ଖୁଣୀର ସ୍ତ୍ରୀ । ଆଖି ଦୁଇଟିରୁ ଟପ୍‌ଟପ୍ ହୋଇ ଶିଶିର ଝରିବାପରି ଅଶ୍ରୁ ବିନ୍ଦୁ ଝରିପଡୁଥାଏ ।

 

ଅଭୟ ଅନେକ ବେଳୁ ଆସି ଅଦୂରରେ ଛିଡ଼ାହୋଇ ସ୍ଥିର ଦୃଷ୍ଟିରେ ଅଶୋକାକୁ ଦେଖୁଥାନ୍ତି । ତାଙ୍କରି ମନରେ ମଧ୍ୟ ଦୁଃଶ୍ଚିନ୍ତାର ଘନଛାୟା । ଭାରିକ୍ଳାନ୍ତ ବୋଧ କରୁଥାନ୍ତି ସେ । କେତେ ଦିନ ହେଲା ଦୁର୍ବାର ଝଡ଼ ତାଙ୍କର ଶରୀର ଉପରଦେଇ ବହିଯାଉଛି । ନିଜକୁ ସେ କୌଣସି ପ୍ରକାରେ ଆୟତାକୁ ଆଣିପାରୁ ନାହାନ୍ତି । ଅଶୋକାଙ୍କୁ ଦେଖିଲେ ଅଭୟ । ଏତେ ନିକଟରେ ଥାଏ ସୁଦ୍ଧା ଅଶୋକା ଆଜି ନିଜ ପାଖରୁ କେତେ ଦୂରରେ । ହେଲେ ସେ ଆଉ ତାଙ୍କୁ ନିକଟରେ ପାଇବେ ନାହିଁ । ନୀରବରେ କିଛି ସମୟ ଯାଏ ନକ୍ଷତ୍ର-ଭରା ଆକାଶ ଆଡ଼େ ଚାହିଁ ପୁଣି ଆଉ ଟିକିଏ ଆଗେଇ ଆସି କହିଲେ ତୁମକୁ ଗୋଟାଏ କଥା କହିବି ଅଶୋକା.....

 

ଅଶୋକା ଚମକି ପଡିଲେ । ଶାଢ଼ୀର ଅଞ୍ଚଳରେ ଆଖି ପୋଛି ଚାହିଁଲେ ଅଭୟଙ୍କୁ । ଅତି ଶାନ୍ତକଣ୍ଠରେ କହିଲେ, କଣ କହିବ କୁହ.....

 

ତୁମେ ଯଦି ଭାବିଥାଅ ଯେ ମୁଁ ତୁମର ଜୀବନକୁ ବ୍ୟର୍ଥ କରିଦେଇଛି, ତେବେ ମୁଁ ତୁମକୁ ମୁକ୍ତି ଦେବାପାଇଁ ପ୍ରସ୍ତୁତ ।... ପରିଷ୍କାର କଣ୍ଠରେ କହିଲେ ଅଭୟ ।

 

ଏକଥା କାହିଁକି କହୁଛ ତୁମେ ? .....ବିସ୍ମିତ କଣ୍ଠରେ କହିଲେ ଅଶୋକା । ଅଭୟଙ୍କର କି ଉଦ୍ଦେଶ୍ୟ ତାହା ଜାଣିବାଲାଗି ମନେ ମନେ ଆଲୋଚନା କରିବାକୁ ଲାଗିଲେ ।

 

ମୋର ରୁଚି ସହିତ ତୁମର ରୁଚିର ଯଥେଷ୍ଟ ପାର୍ଥକ୍ୟ । ଆହୁରି ମଧ୍ୟ ତୁମର ବ୍ୟବହାର କ୍ରମଶଃ ସାଧାରଣ ଜୀବନ-ଯାତ୍ରା ଦିଗରେ ବ୍ୟତିକ୍ରମ ସୃଷ୍ଟି କରିଛି । .....କଠିନ କଣ୍ଠରେ କହିଲେ ଅଭୟ ।

 

ଆଉ ତୁମର ? .....ବିଷଧର ସର୍ପପରି ଆଘାତ କରିବାଲାଗି ଅଶୋକା ଯେପରି ପ୍ରସ୍ତୁତ-

 

ମୃଦୁ ହସ ଅଭୟଙ୍କର ଅଧର ପ୍ରାନ୍ତରରେ ଖେଳିଗଲା । କହିଲେ ମୁଁ ତ’ ଚିରଦିନ ଏହିପରି । ମୁଁ ମାତାଲ ହୋଇପାରେ, ତାହାହେଲେ ଏହା କଣ ମୋର ସହ୍ୟ ହେବ କଥା ?

 

ବାଜେ କଥା କୁହନା । .....ଝଙ୍କାରି ଉଠିଲେ ଅଶୋକା । .....ଆଜି କଣ ନିଶାର ମାତ୍ର ଅଧିକ ହୋଇଯାଇଛି ?

 

ମୋର କଥାଗୁଡ଼ାକ କଣ ମାତାଲଙ୍କ କଥା ଭଳି ଶୁଣାଯାଉଛି, ଅଶୋକା ! ନା । ମଦ ମୁଁ ଆଜି ଖାଇନାହିଁ । ହୁଏତ ଭବିଷ୍ୟତରେ ଆଉ କେବେ ଖାଇବି ନାହିଁ । ମାତାଲ ହେଲେ ଅର୍ଥର ପ୍ରୟୋଜନ ହୁଏ । ଅର୍ଥ ମୋର ନାହିଁ । ଭିକ୍ଷାକରି କଣ ମଦ ଖିଆଯାଏ ? ତୁମର ଅର୍ଥ ପ୍ରତି ଲୋଭକରି ଲାଭ କଣ ? ଆଜି ମୁଁ ଏ ଘର ଛାଡ଼ି ଚାଲିଯାଉଛି...ଅସହାୟ କଣ୍ଠରେ ବେଦନା ଝରି ପଡ଼ିଲା ।

 

ଅଭୟଙ୍କର କଥାରେ କଣ ଥିଲା କେଜାଣି, ସଂକୁଚିତ ହେଲେ ଅଶୋକା । ଭୀଣହାରିଣୀପରି ସଭୟ କଣ୍ଠରେ କହିଲେ ଏ କଣ କହୁଛ ତୁମେ ?

 

ଜାଣେ, ତୁମେ ମୋତେ ଘୃଣାକାର । ତୁମେ ଚାଁହ ମୁଁ ଯେତେ ତୁମ ପାଖରୁ ଦୂରେଇ ରହେ ସେତେ ତୁମର ଭଲ । ସେଥିପାଇଁ ତ ତୁମେ ପୁଲିଶ ଆଗରେ ମୋ ସମ୍ବଦ୍ଧରେ ମିଥ୍ୟା ଜମାନବନ୍ଦୀ ଦେଇଛ । ମୋତେ ହତ୍ୟାକାରୀ ବୋଲି ପ୍ରମାଣ କରାଇବା ଲାଗି ବିନୟବାବୁ ଓ ରାଜୁକୁ ଖୁଣ୍‌ କରାଇଛ ଭଡ଼ାଟିଆ ଗୁଣ୍ଡାଙ୍କ ସାହାଯ୍ୟରେ ।

 

ନା-ନା,...ପ୍ରାୟ ଆର୍ତ୍ତନାଦ କରି ଉଠିଲେ ଅଶୋକା ।

 

ଆଉ ମୋତେ ବାଧା ଦିଅନା, ଅଶୋକା ! ତୁମ ପାଖରୁ ଦୂରେଇ ରହିବା ଆଗରୁ ମୋତେ ଟିକିଏ ହାଲୁକା ହେବାକୁ ଦିଅ ।

 

ଅଭୟ ପୁର୍ନବାର ଚାହିଁଲେ.....ଆକାଶର କୃଷ୍ଣପକ୍ଷ ଚତୁର୍ଥୀ ଚନ୍ଦ୍ରକୁ । ଚନ୍ଦ୍ର ଯେପରି ତା’ ପରି ସହସ୍ର ବେଦନା ଭାରରେ କ୍ରମେ କ୍ରମେ କ୍ଷୟ ହୋଇଯାଇଛି । ନିଶ୍ୱାସ ତ୍ୟାଗ କଲାବେଳେ ମନେ ହେଲା ସେ ଯେପରି, ସହସ୍ର ବେଦନାର ଏକ ଚତୁର୍ଥାଂଶରୁ ମୁକ୍ତି ପାଇଲେ । କହିଲେ ଏ ବଂଶର ବହୁ ଅତ୍ୟାଚାରର କାହାଣୀ ତୁମେ ଶୁଣିଛ । ଫୁଲବଗିଚା ଓ ପୋଖରୀ ହିଡ଼ ମାନଙ୍କରେ କେତେକ ମୃତଦେହର ପଞ୍ଜରା ହାଡ଼ ତୁମେ ଦେଖିପାରିବ । ତୁମେ ଇଚ୍ଛା କରିଥିଲେ ମୋତେ ମଧ୍ୟ ସେଠାରେ କବର ଦେଇ ପାରିଥାନ୍ତେ, ଅଶୋକା ! କେହି ଜାଣିପାରନ୍ତେ ନାହିଁ କେହି ବୁଝି ପାରନ୍ତେ ନାହିଁ । ତାହା ନ କରି ମିଥ୍ୟା ଅପବାଦ ଦେଇ କାହିଁକି ତୁମେ ମୋତେ ଜଳାଇ ପୋଡ଼ାଇ ମାରୁଛ ! କାହିଁକି ।

 

ଅଶୋକା କାନ୍ଦି ପକାଇଲେ । ଦୁଇହାତରେ ମୁହଁଢ଼ାଙ୍କି କଇଁ କଇଁ ହୋଇ କାନ୍ଦିଲେ । ଅଶ୍ରୁସିକ୍ତ କଣ୍ଠରେ କହିଲେ ତୁମେ ଚୁପକର । ମୁଁ ଆଉ ସହ୍ୟ କରିପାରୁନାହିଁ ।

 

ଅଭୟଙ୍କର ଆଖି କୋଣରେ ମଧ୍ୟ ଅଶ୍ରୁଜମାଟ ବାନ୍ଧିଥିଲା । ମ୍ଳାନ ମୁଖରେ ଦେଖାଗଲା ମଳିନ ହସ । ସେହି ହସର କି ଅଦ୍ଭୁତ ତୀବ୍ର ଜ୍ୱାଳା, ବୁକୁ ଭିତରେ ଯେପରି ସେହି ଜ୍ୱାଳା ଦ୍ଵିଗୁଣ ଭାବେ ପ୍ରଜ୍ବଳିତ ହେଉଛି । ଆଲମାରୀରେ ଥିବା ବୋତଲ ଭିତରେ ଅଳ୍ପ ପରିମାଣରେ ହୁସ୍କି ରହିଛି ସେତକ ପାନକଲେ ହୁଏତ ସେ ଶାନ୍ତି ପାଇପାରିବେ, ବୁକୁର ଜ୍ୱାଳା କମିଯାଇପାରେ ।

 

ଅଶୋକା କାନ୍ଦିବାକୁ ଲାଗିଲେ । କାନ୍ଦି କାନ୍ଦି ନିଜକୁ ହାଲୁକା କରିବାଲାଗି ଚେଷ୍ଟା କଲେ-। ପାରିଲେ ନାହିଁ । କ୍ରମେ କ୍ରନ୍ଦନ ମଧ୍ୟ ବନ୍ଦ ହୋଇଗଲା । ବୁକୁର ଜ୍ୱାଳା କିନ୍ତୁ କମିଲା ନାହିଁ ।

 

ମୁଣ୍ଡ ଉପରେ ମ୍ଳାନ ଚତୁର୍ଥୀ ଚନ୍ଦ୍ର । ଫିକା ଆଲୋକ ଆସି ପଡ଼ିଥାଏ ତାଙ୍କର ଶରୀରରେ । କେତେକଥା ଭାବୁଥାନ୍ତି ଅଶୋକା ।

 

ଅଭୟ ତାଙ୍କୁ ସନ୍ଦେହ କରୁଛନ୍ତି କାହିଁକି ? ସେତ’ କିଛି ଅନ୍ୟାୟ କରିନାହିଁ । ସମସ୍ତେତ ଜାଣନ୍ତି ଅଭୟ ଖୁଣୀ ।

 

ବାହାରେ ଭାରୀ ବୁଟ୍‌ର ଶବ୍ଦ ଶୁଣି ଫେରି ଚାହିଁଲେ ଅଶୋକା ।

 

ଏଇଆଡ଼କୁ ଆସୁଛନ୍ତି ରାଧାଚରଣ ଓ ପୁଲିଶ ଇନସ୍‌ପେକ୍ଟର ବଳରାମ ମିଶ୍ର । ଦୁଇ ଜଣ କନେଷ୍ଟବଲ ସେମାନଙ୍କ ପଛରେ ।

 

ଅଶୋକାଙ୍କର ଭୃ-ଦୁଇଟି କୁଞ୍ଚିତ ହୋଇ ଆସିଲା । ମନେମନେ ବିରକ୍ତ ହେଲେ ସେ । କୌଣସି ସମ୍ବାଦ ନ ଦେଇ ସେମାନଙ୍କର ଭିତରକୁ ଆସିବା କଣ ଠିକ ହୋଇଛି ? ରାଗରେ ଜାଳି ଉଠିଲେ ସେ । ଆଖି ଦୁଇଟିରୁ ଅଗ୍ନି ଶିଖା ବର୍ତ୍ତମାନ ବାହାରିବ ଯେପରି ।

 

କ୍ଷମା କରିବେ, ଅଶୋକା ଦେବୀ ! ପୂର୍ବରୁ କୌଣସି ସମ୍ବାଦ ନ ଦେଇ ଅନ୍ଦର ମହଲରେ ପ୍ରବେଶ କରିବା ହେତୁ ମୁଁ ଅତିଶୟ ଦୁଃଖିତ.....ସବିନୟ କଣ୍ଠରେ କହିଲେ ଇନସ୍‌ପେକ୍ଟର ।

 

ସମ୍ବାଦ ଦେବା ଉଚିତ ଥିଲା ! ଏହା ଆପଣଙ୍କର ଚୋର, ଡକାୟତ କିମ୍ବା ବାଈଜୀର ଘର ନୁହେଁ । ରାଜ ପରିବାରର ଅନ୍ଦର ମହଲ । .....ଅଶୋକା ରୁଦ୍ଧ କଣ୍ଠରେ କହିଲେ ।

 

ଅଶୋକା ଦେବୀ ! ପ୍ରକୃତରେ ମୁଁ ଅତିଶୟ ଦୁଃଖିତ । ବିଶେଷ ଗୋପନୀୟତା ରକ୍ଷା ହେତୁ ବିନା ସମ୍ବାଦରେ ମତେ ଆସିବାକୁ ହୋଇଛି । ଅଭୟ ବାବୁ କେଉଁଠାରେ,ଦୟାକରି କହିବେକି ? .....ବଳାରାମବାବୁ ଚାରିଆଡ଼େ ଦୁଷ୍ଟି ସଞ୍ଚାଳନ କଲେ ।

 

କାହିଁକି ଖୋଜୁଛନ୍ତି.....ଅଶୋକା ଆଶଙ୍କାରେ ଚମକି ପଡ଼ିଲେ ।

 

ଦୁଇ ଦୁଇଟା ଖୁଣ୍‌ ଓ ଗୋୟେନ୍ଦା ଅଫିସର ପ୍ରଦୀପବାବୁଙ୍କୁ ଅଜ୍ଞାତ ସ୍ଥାନରେ ରଖିଥିବା ହେତୁ ମୁଁ ତାଙ୍କୁ ଗିରଫ କରିବାପାଇଁ ଆସିଛି.....କହିଲେ ବଳରାମ ବାବୁ ।

 

ନା ନା ନା । .....ଆର୍ତ୍ତନାଦ ପରି ଶୁଣାଗଲା ଅଶୋକାଙ୍କର କଣ୍ଠସ୍ୱର । ସର୍ବାଙ୍ଗ ତାଙ୍କର ଭୟରେ ଥରିବାକୁ ଲାଗିଲା । ଆତ୍ମାରକ୍ଷା ଦୁଷ୍ଟିରେ ଚାହିଁଲେ ରାଧାଚରଣ ଆଡ଼େ ।

 

କିନ୍ତୁ ରାଧାଚରଣ ନିର୍ବିକାର । ଗମ୍ଭୀର ଦେଖାଯାଇଥାନ୍ତି ସେ ।

 

ମୃଦୁ ହସି ବଳରାମବାବୁ ରାଧାଚରଣଙ୍କୁ କହିଲେ ଚାଲନ୍ତୁ ରାଧାଚରଣ ବାବୁ ! ଅଭୟବାବୁ କେଉଁଘରେ ଅଛନ୍ତି ଦେଖାଇଦେବେ.....

 

ରାଧାଚରଣଙ୍କୁ ଫେରିବା ଦେଖି ଚିତକାର କରି ଅଶୋକା କହିଲେ ଶୁଣ, ରାଧାଚରଣ !

 

ଆଇନର କାର୍ଯ୍ୟରେ ବାଧା ଦେବା ଉଚିତ ନୁହଁ.....ରାଧାଚରଣ ସ୍ନିଗ୍‌ଧ କଣ୍ଠରେ କହି ଆଗେଇ ଚାଲିଲେ ଅଭୟଙ୍କର ଶୟନକକ୍ଷ ଆଡ଼େ ।

 

ଅଭୟ ବାବୁ ! .....ଡାକିଲେ ଇନିସ୍‌ପେକ୍ଟର ବଳରାମ ମିଶ୍ର ।

 

ଅଭୟ ପେରୁ ଗ୍ଲାସରେ ହୁଇସ୍କି ଢାଳି ବିସ୍ମିତ ଦୁଷ୍ଟିରେ ଚାହିଁଲେ । ଗୋଲାପୀ ନିଶା ଧୀରେ ଧୀରେ ଫିକା ହୋଇ ଆସିଲା । ସ୍ଥିର ଦୁଷ୍ଟି ନିକ୍ଷେପ କରି ସେ ଅଫିସର ଆଡ଼େ ଚାହିଁଲେ । ଅଶୋକା ଦାରୁ ପରି ଛିଡ଼ା ହୋଇଥାନ୍ତି । ରାଧାଚରଣର ଆଖି ଦୁଇଟିରେ ଶ୍ୱାପଦର ହିଂସ୍ରତା । ବଳରାମ ବାବୁଙ୍କ ହାତରେ ରିଭଲଭର ଚକ ଚକ କରୁଥାଏ । ଦୁଆରେ ଟଙ୍ଗା ହୋଇଥିବା ପର୍ଦ୍ଦାର ବାହାରେ କନେଷ୍ଟବଳ ଦ୍ଵୟଙ୍କର ଦୁଇଯୋଡ଼ା କଲା ରଙ୍ଗର ବୁଟ ପରିଷ୍କାର ଭାବେ ଭିତରକୁ ଦେଖାଯାଉ ଥାଏ ।

 

ଆପଣଙ୍କୁ ଗିରଫ କରିବା ପାଇଁ....

 

ମୁଁ ଜାଣେ, ବଳରାମ ବାବୁ ! ଚାଲନ୍ତୁ.....ଅଭୟ ଉଠି ଠିଆ ହେଲେ । ପୁଞ୍ଜିଭୂତ ଘୃଣା ଉପୁଚି ଉଠିଲା ତାଙ୍କର ମନରେ । ଛି, ଛି,ଅଶୋକା,ଏତେ ତଳକୁ ଖସି ଯାଇଛି । ଆଜି ରାତିଟା ମାତ୍ର ସେ ଧୈର୍ଯ୍ୟଧରି ରହିପାରିଲା ନାହିଁ–

 

ନା ନା ନା...ଅଶୋକା ଦୌଡ଼ି ଆସିଲେ । ଶରୀରର ସମସ୍ତ ଶକ୍ତି ପ୍ରୟୋଗକରି ସେ ଅଭୟଙ୍କର ବାଁ ହାତଟିକୁ ଶକ୍ତଭାବେ ଧରିଲେ ।

 

ଏହି ଅଭିନୟ ଟିକକ ନା କରିଥିଲେ ମଧ୍ୟ ଚଳନ୍ତା.....ଅଶୋକା, କହି ଅଭୟ ତାର ହାତ ଛାଡ଼ି ନେଇ ଚାହିଁଲେ ଇନସ୍‌ପେକ୍ଟର ଆଡ଼େ ।ତାଙ୍କର ମନେହେଲା, ବହୁଦିନର ପୁଞ୍ଜିଭୂତ ଦୁଃଶ୍ଚିନ୍ତା ମୁଣ୍ଡ ଭିତରେ ଜମି ଜମି ଯେଉଁ ପାହାଡ଼ ସୃଷ୍ଟି କରିଥିଲା, ତାହା ଯେପରି ଆଉ ନାହିଁ । ସେ ଯେପରି ଯଥେଷ୍ଟ ସୁସ୍ଥତା ଅନୁଭବ କରୁଛ । କହିଲେ-ଆଉ ଡେରି କାହିଁକି ଅଫିସର, ଚାଲନ୍ତୁ...

 

ମୋତେ କ୍ଷମା କରିବେ, ଅଶୋକାଦେବୀ–ନମସ୍କାର !

 

ବଳରାମ ମିଶ୍ରଙ୍କ ଅଭୟ ଚାଲିଯିବା ପରେ ଅଶୋକା ଦାରୁଣ କ୍ରନ୍ଦନରେ ମୁହ୍ୟମାନ ହୋଇପଡିଲେ । ଖଣ୍ଡିଏ ଚୌକିରେ ବସିପଡି ଲୁଗାକାନିରେ ମୁଂହ ଘୋଡାଇ କ୍ରନ୍ଦନର ଆବେଗତାରେ ଥର ଥର ହୋଇ ପିଲାଙ୍କପରି ଅଝର-ଝରରେ କାନ୍ଦିବାକୁ ଲାଗିଲେ ।

 

ରାଧାଚରଣ ଅଶୋକାଙ୍କର ନିକଟସ୍ଥ ହୋଇ ମୃଦୁ କଣ୍ଠରେ ଡାକିଲେ–ମା !...

 

ତୁମେ ଯାଅ, ଯାଅ–ବଳରାମ ବାବୁଙ୍କ ସାଙ୍ଗରେ ଦେଖାକର ଯେତେ ଟଙ୍କା ଖର୍ଚ୍ଚ ହେବ, ମୁଁ ଦେବି ତୁମେ ତାଙ୍କୁ ବଞ୍ଚାଅ, ରାଧାଚରଣ.....ଅଶୋକା ରାଧାଚରଣଙ୍କୁ ବିନତି ସ୍ୱରରେ ନିବେଦନ କଲେ । ଅଶ୍ରୁଶିକ୍ତ ଆଖି ଦୁଇଟିରେ କରୁଣ ଆବେଦନ ।

 

କାହିଁକି ତୁମେ ଏ କଥା କହୁଛ ? .....ରାଧାଚରଣ ବିସ୍ମିତ କଣ୍ଠରେ ପଚାରିଲେ ।

ସେ ସବୁ ତୁମେ ବୁଝିପାରିବ ନାହିଁ.....ତୁମେ ଆଗେ ଯାଅ–

 

ବର୍ତ୍ତମାନ ଆଉ ଉପାୟ ନାହିଁ । ଅଭୟ ହାତରୁ ମୁକ୍ତି ପାଇବାଲାଗି ତୁମେତ’ ନିଜେ ରାଜି ହେଇଥିଲ । ବର୍ତ୍ତମାନ.....

 

ନା-ନା, ମୁଁ ମୁକ୍ତି ଚାହେଁନା । ମୁଁ ଭୁଲ କରିଥିଲି| ସେ ଭୁଲର ଶାସ୍ତି ଏପରିଭାବେ ତୁମେ ମାନେ ମୋତେ ଦିଅନା, ରାଧାଚରଣ ।ତୁମେ ଯାଅ ଟଙ୍କାପାଇଁ ତୁମେ ଚିନ୍ତା କରନା|ଯେତେ ତାଙ୍କ ଦରକାର ହେବ ରାଧାଚରଣଙ୍କୁ ନୀରବ ରହିବ ଦେଖି ପୁଣି ସେ କହିଲେ ଯାଅ, ଯାଅ ତୁମେ.....ବୁଝୁଛି, ବୁଝଛି ରାଧାଚରଣ । ତୁମେ ତୁମ ଷଡଯନ୍ତ୍ର କରି ଅଭୟଙ୍କୁ.....ଅଶୋକା ଉନ୍ମାଦିନୀ ପରି ଚିତ୍କାର କରିବାକୁ ଲାଗିଲେ । ତାଙ୍କର ଆଖିରେ ମୁହଁରେ ଫୁଟିଉଠିଲା ପ୍ରତିହିଂସାର ତୀବ୍ର ବହ୍ନି ।

 

ନା-ନା ଅଶୋକାଦେବୀ କାହିଁକି ତୁମେ ମୋତେ ଭୁଲ୍‌ ବୁଝିଛ.....ବିପଦଗ୍ରସ୍ତ ହୋଇ କହିଲେ ରାଧାଚରଣ।

 

ଅଶୋକା ନୁହେଁ, ବୋହୁରାଣୀ ବୋଲି କୁହ । ମନେରଖ, ତୁମେ ମୋର ବେତନଭୋଗୀ ସାମାନ୍ୟ କର୍ମଚାରୀ ମାତ୍ର । ଉଃ, ତୁମକୁ ପ୍ରଶୟଦେଇ ମୁଁ ନିଜେ ନିଜର ସର୍ବନାଶ କରିଛି । ....ଅଶୋକା ଅନୁତାପରେ ଦଗ୍ଧ ହେଉଥାନ୍ତି । କଠିନ କଣ୍ଠରେ କହିଲେ.....ଯଦି ନିଜର ଚାକିରୀ ରଖିବାକୁ ଚାଁହ–

 

ବର୍ତ୍ତମାନ ମୁଁ ଇସ୍ତଫା ପତ୍ର ଲେଖିଦେଉଛି.....ସହଜ କଣ୍ଠରେ କହିଲେ ରାଧାଚରଣ ।

 

ଅଶୋକା ଆହୁରି ଉତ୍ତେଜିତହୋଇ ଉଠିଲେ–କହିଲେ ମୋର ଏହି ବିପଦ ବେଳରେ ତୁମେ ମୋତେ ଛାଡ଼ି ଚାଲିଯିବ ? ମୋ ପାଇଁ କଣ କିଛି ତୁମେ କରିବ ନାହିଁ ?

 

ନିଶ୍ଚୟ କରିବି । କବଳ ଅଭୟ କଥା ବ୍ୟତୀତ–

ତୁମେ ଯାଅ, ଯାଅ... ପ୍ଲିଜ୍ ଲିଭ୍ ମି...ଏଲୋନ୍.....ରାଧାଚରଣ…ପ୍ଲିଜ୍....

 

ରହସ୍ୟମୟ ହସ ଖେଲିଗଲା ରାଧାଚରଣର ଅଧର ପ୍ରାନ୍ତରରେ, ନିଶବ୍ଦରେ ସେ ଚାଲିଗଲା ।

 

ଅଶୋକା ଅଭୟର ବିଛଣା ଉପରେ ପଡ଼ି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ବର୍ଷାର ପ୍ଲାବନ ବହିଗଲା ଅଶ୍ରୁର ସ୍ରୋତରେ । ସେ ବେଶ ବୁଝିପାରିଲେ ରାଧାଚରଣ ଚକ୍ରାନ୍ତ କରି ଅଭୟଙ୍କୁ ବିପଦରେ ପକାଇଛି । ଆଜି ତାର ଛଦ୍ମରୂପ ଦେଖାଯାଇଛି । କେତେ ବଡ଼ ଜଘନ୍ୟ ପ୍ରକୃତି ଏହି ଲୋକଟାର । ସୁନ୍ଦର ଓ ସୁରୁଚି ଭଦ୍ରତାର ଅନ୍ତରାଳରେ ଶୟନନ ଲୁଚି ରହିଥିଲା, ତାହା ସେ ଏ ପର୍ୟନ୍ତ ବୁଝିପାରିନାହିଁ ଏଥର ଏହିଲୋକଟାକୁ ସେ ଦେବତାର ଆସନରେ ବସାଇବାପାଇଁ ମନସ୍ଥ କରିଥିଲା ।

 

ତାର ମନେ ପଡ଼ିଲା ମ୍ୟାନେଜର ଘନଶ୍ୟାମବାବୁ କଥା । ନିର୍ଲୋଭ ସେହି ବୁଦ୍ଧ ମନୁଷ୍ୟଟି । ଅଭୟଙ୍କୁ ସେ କେବଳ ରକ୍ଷା କରିପାରନ୍ତି.....

 

ଅଭୟ ବୃଥା ସନ୍ଦେହ ନେଇ ତା’ ସାମନାରୁ ଚାଲିଗଲେ । ସେ ନିଶ୍ଚୟ ମନେକରିଛନ୍ତି–ଏହି ବିଶାଳ ସମ୍ପତ୍ତିର ଲୋଭରେ ଅଶୋକା ତାକୁ ଫାନ୍ଦରେ ପକାଇଛି ।

 

ବୋହୂ-ମା....ଘନଶ୍ୟାମବାବୁ ଦୁଆର ମୁହଁରେ ଛିଡା ହୋଇ ଅଶୋକାଙ୍କୁ ଡାକିଲେ । ସେ ଡାକ ଶୁଣି ଅଶୋକା ଯେପରି ନଵ ଶକ୍ତି ଲାଭ କଲେ । ଦଉଡ଼ି ଆସିଲେ ଦୁଆର ପାଖକୁ ।

 

ଅଝର-ଝରରେ ଅଶ୍ରୁ ଗାଡ଼ିପଡ଼ିଲା ପଦ୍ମପଲାଶ ନୟନ ଯୁଗଳରୁ ।

 

ଘନଶ୍ୟାମବାବୁଙ୍କ ମ୍ଳାନ ମୁଖରେ ସ୍ନେହର ଅସ୍ପଷ୍ଟରେଖା ଅଶୋକାନକୁ ସାନ୍ତ୍ୱନା ଦେବାଭଳି ଭାଷା ସେ ଖୋଜି ପାଇଲେ ନାହିଁ ।

 

ମେନେଜରବାବୁ.....ଅଶୋକାଙ୍କ ବଧୂଲି ଅଧର ଥରିବାକୁ ଲାଗିଲା ।

ମୁଁ ସବୁ କାରଣ, ବୋହୁ ମା’ ! .....ସେଇଥିପାଇଁ ତ ମୁଁ ଥାନାକୁ ଯାଇଥିଲି–

 

କଣ ହେଲା ? ଅଶୋକା ପିଣ୍ଡରେ ଯେପରି ପ୍ରାଣ ପଶିଲା ଘନଶ୍ୟାମବାବୁଙ୍କ କଥାରେ-

 

ସବୁ ବ୍ୟବସ୍ଥା କରିଆଣିଛି । କିନ୍ତୁ ଅଶୋକାଙ୍କ ବିରୁଦ୍ଧରେ ଯେଉଁ ମାରାତ୍ମକ ପ୍ରମାଣଗୁଡ଼ିକ ସଂଗ୍ରହ ହୋଇଛି, ସେ ସବୁ ନଷ୍ଟ କରିବାକୁ ହେଲେ.....ଘନଶ୍ୟାମବାବୁ ମୁହଁ ତଳକୁ କଲେ ।

 

ଯେତେ ଟଙ୍କା ଦରକାର ହେବ–ମୁଁ ଦେବି । କହନ୍ତୁ....କେତେ ଆପଣଙ୍କର ଦରକାର । ଉଦ୍‌ଗତ ଅଶ୍ରୁରେ ଅଶୋକାଙ୍କର ଚକ୍ଷୁ ଦୁଇଟି ଝାପ୍‌ସା ହୋଇଗଲା ।

 

କେତେବେଳେ କେତେ ଲାଗିବ ତାହାତ’ ଠିକ୍‌ଭାବେ କହିପାରୁନାହିଁ, ବୋହୂମା" ! ମ୍ଳାନ କଣ୍ଠରେ କହିଲେ ଘନଶ୍ୟାମବାବୁ ।

 

ତେବେ ସୁଦ୍ଧା କେତେ ଲାଗିପାରେ କହନ୍ତୁ.....

 

ଏହି ପାୱାର-ଅଫ୍-ଏଟର୍ଣ୍ଣିରେ ଦସ୍ତଖତ କରିଦିଅ, ମା’ ! ପ୍ରୟୋଜନ ଅନୁଯାୟୀ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିଲେ ବାରମ୍ବାର ତୁମକୁ ବିରକ୍ତ କରିବାକୁ ଆସିବି କାହିଁକି ? .....ଆଗରୁ ତିଆରି କରି ଆଣିଥିବା ଦଲିଲ ଖଣ୍ଡିକ ପକେଟରୁ ବାହାରକଲେ ଘନଶ୍ୟାମବାବୁ ।

 

ଅଶୋକା ସଙ୍ଗେ ସଙ୍ଗେ ଦଲିଲ୍ ଖଣ୍ଡିକରେ ଦସ୍ତଖତ କରିଦେଲେ । ସେ ଆଉ ନିଜକୁ ସହ୍ୟ କରି ପାରୁନାହାନ୍ତି । ବର୍ତ୍ତମାନ ସେ ଚାଁହୁଛି ଅଭୟଙ୍କର ମୁଣ୍ଡ । ଯେ କୌଣସି ଉପାୟରେ ହେଉ, ଅଭୟ ଅପରାଧୀ ହେଲେ ମଧ୍ୟ ତାଙ୍କୁ ସେ ବୁଝାଇ ଦେବାକୁ-ଚାହେଁ କୌଣସି ଚକ୍ରାନ୍ତରେ ସେ ଲିପ୍ତ ନୁହେ ।

 

ଅଭୟ ସାଙ୍ଗରେ ଦେଖାକରିବେ, ବୋହୂ-ମା ! ଘନଶ୍ୟାମବାବୁ ପଚାରିଲେ ।

 

ଦେଖାହୋଇପାରିବ ? ସେମାନେ ଅନୁମତି ଦେଵେତ ? .....ଆଶାର ଆଲୋକ ଝଲସି ଉଠିଲା ଅଶୋକାଙ୍କର ନୟନ ସମ୍ମୁଖରେ ।

 

ମୁଁ ସେ ସବୁର ବ୍ୟବସ୍ଥା କରିଦେବି....ସସ୍ନେହରେ ଘନଶ୍ୟାମବାବୁ କହିଲେ ।

ଅଶୋକା ଲୁହ ପୋଛିଲେ । ବଧୂଲି ଅଧରେ ଫୁଟିଲା ହସର ମ୍ଳାନ ମଳିନ ହସ ।

ପ୍ରଦୀପର ଚେତନା ଫେରି ଆସିଲା ।

 

ସର୍ବାଙ୍ଗରେ ଅସହ୍ୟ ବେଦନା । ମନେପଡ଼ିଲା–ଗୋଟିଏ ଅନ୍ଧାରିଆ କୋଠରୀ ଭିତରେ ହାତଗୋଡ଼ ବନ୍ଧାହୋଇଥିବା ଅବସ୍ଥାରେ ସେ ପଡିଛି । ରହେମାନ ସାଙ୍କୁଶ ମାଛର ଚାବୁକରେ ତାକୁ ପିଟିଛି ।

 

ମୁଣ୍ଡ ଉଠାଇବାଲାଗି ଚେଷ୍ଟା କଲେ ସେ, ପାରିଲେ ନାହିଁ । ଆହୁରି ବେଦନା ବୋଧକଲେ ସେ ।

 

ଅନ୍ଧକାରପୂର୍ଣ୍ଣ କକ୍ଷର ଚାରିଆଡ଼େ ଆଉଥରେ ଦୃଷ୍ଟି ବୁଲାଇ ଆଣିଲେ ।

 

ଛାତ ତଳେ ଗୋଟିଏ ଭେଣ୍ଟିଲେଟର୍ । ସାମାନ୍ୟ ଆଲୋକ ସେହି ଭେଣ୍ଟିଲେଟର୍ ବାଟେ ଆସି ଘର ଭିତରର ଅନ୍ଧକାରକୁ କେତକ ପରିମାଣରେ ତରଳ କରି ଦେଇଛି । କଳା ପଥର ବସି ନିଚ୍ଛିଦ୍ର କଠିନ କାନ୍ଥ ତିଆରି ହୋଇଛି ।

 

ଆଖିପତା ପୋଡ଼ିବାକୁ ଲାଗିଛି, ବୋଧହୁଏ ଚାବୁକର ଆଘାତରେ ସ୍ଥାନଟି କଟିଯାଇଛି-। ଏଥର ମନେହେଲା–ଶୋଷରେ ଗଳା ଶୁଖି ଆସୁଛି । ମନେହେଲା–କେତେଦିନ ହେଲା ପେଟରେ ଯେମିତି ଦାନ ପଡ଼ିନାହିଁ ।

 

ଉଃ -ଅସ୍ପଜ ଯନ୍ତ୍ରଣା–କାତର ଶବ୍ଦ ବାହାରିଲା ପ୍ରଦୀପଙ୍କର ମୁହଁରୁ ।

 

ଘରର କାନ୍ଥ ଯେପରି ଦୋହଲି ଗଲା । ସାମାନ୍ୟ ଫାଙ୍କ ହୋଇଗଲା ସାମ୍ନା ପାଖଟି । କିଏ ଆସୁଛି ? ରହେମାନ୍ ? ଏହି ରେହେମାନକୁ ପ୍ରଦୀପ ଦିନେ ଫାଶୀଦଣ୍ଡରୁ ରକ୍ଷା କରିଥିଲେ । ଖୁଣ୍ ମିଥ୍ୟା ଅଭିଯୋଗରୁ ସେ ତାକୁ ରକ୍ଷା କରିଥିଲେ ତା’ପାଇଁ ସେ-କି କମ୍ କଷ୍ଟ ସ୍ୱୀକାର କରିଛନ୍ତି ? ସେହି ରହେମାନ୍ ଆଜି ନିର୍ବିଚାରରେ ତାଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କଲା । ଅକୃତଜ୍ଞ ଘୃଣା ଓ ଦୁଃଖରେ ପ୍ରଦୀପଙ୍କର ଅନ୍ତର ଭାରାକ୍ରାନ୍ତ ହେଲା ।

 

ସରକାରୀ ପୁଅଙ୍କର ତାହାହେଲେ ନିଦ ଭାଙ୍ଗିଲା.....କହୁ କହୁ ରେହେମାନ୍ ପ୍ରଦୀପଙ୍କର ନିକଟସ୍ଥ ହେଲା ।

 

ଟିକିଏ ପାଣିଦିଅ, ରହେମାନ୍ ! .....ଯନ୍ତ୍ରଣା କ୍ଲାନ୍ତ ଶୁଷ୍କ କଣ୍ଠରେ କହିଲେ ପ୍ରଦୀପ ।

 

ପାଣି !-ହାଃ-ହାଃ-ହାଃ.....ଅଦ୍‌ଭୁତ ହସ ହସିଲେ ରହେମାନ୍ । ଏ ସମୟରେ ତୁମେ ହସି ପାରୁଛ ରହେମାନ୍ ।

 

କସୁର ମାଫ୍ କିଜିୟେ, ଗୋୟେନ୍ଦା । ସାହେବ ! .....ବ୍ୟଙ୍ଗପୂର୍ଣ୍ଣଭାବେ କହି କୁର୍ନିଶ କଲା ରହେମାନ୍ ।

 

ପ୍ରଦୀପ ଆଉ କିଛି କହିଲେ ନାହିଁ । ଟୋପାଏ ପାଣି ଯୋଗୁଁ ଗଲା ତାଙ୍କର ଶୁଖି ଆସିଲା ମନେହେଲା, ଦେହର ସମସ୍ତ ରକ୍ତ ଯେପରି ଶୁଖି ଜମାଟ ବାନ୍ଧି ଯାଇଛି । ଛାତିରେ ହାତ ବୁଲାଇଲେ ଟିକିଏ ହୁଏତ ଭଲ ଲାଗିପାରେ । କିନ୍ତୁ ତାହା କଣ ଵର୍ତ୍ତମାନ ସମ୍ଭବ ? ହାତଗୋଡ଼ ତାଙ୍କର ଶକ୍ତଭାବେ ବନ୍ଧା ହୋଇଛି ।

 

କେତେଟା ମୁହୂର୍ତ୍ତ ନିଶବ୍ଦରେ କଟିଗଲା ।

 

ପ୍ରଦୀପ ବୁଝିପାରିଲେ ରହେମାନ୍ ଚାଲିଯାଇଛି । ସେ ବର୍ତ୍ତମାନ ଏକାକୀ ଏହି ଅନ୍ଧକାର ପ୍ରେତକକ୍ଷ ଭିତରେ । ସେ ଯେପହି ଦେଖିପାରୁଛନ୍ତି ଚାରିପାଖରେ କାନ୍ଥ ଗୁଡ଼ାକ ଧୀରେ ଧୀରେ ତାଙ୍କର ପାଖକୁ ଲାଗି ଲାଗି ଆସୁଛି । ଆଉ ଅଳ୍ପ ସମୟ ମଧ୍ୟରେ ସେଗୁଡ଼ାକ ତାଙ୍କୁ ଚାରିପାଖରୁ ଚିପି ମାରିଦେବେ । ଏ’ କଣ ? ମନରେ ଦୁର୍ବଳତା ଆସିବାରୁ ସେ ଭୁଲ ଦେଖୁଛନ୍ତି । କାହିଁ, ଚାରିଆଡ଼େ ତା ତାଙ୍କର କିଛି ନାହିଁ ।

 

ସ୍ପଷ୍ଟ ଵୁଝିପାରିଲେ, ଯେପରିଭାବେ ହାତଗୋଡ଼ ତାଙ୍କର ବନ୍ଧା ହୋଇଛି, ଅନାହାର ଓ ଚାବୁକର ଆଘାତରେ ସେ ଯେପରି ଦୁର୍ବଳ ହୋଇପଡ଼ିଛି, ଆଉ ପାଦେ ମାତ୍ର ଯିବାର ତାଙ୍କର ଶକ୍ତି ନାହିଁ । ଗଳା କ୍ରମେ କ୍ରମେ ଶୁଖି ଆସୁଛି….ଟିକିଏ ପାଣି, ଟୋପାଏ ପାଣି ଗଲା ଭିତରକୁ ଆସିଲେ ହୁଏତ’ ସେ ପୂର୍ବବଳ ଫେରିପାଇପାରିବେ । ଦେହରେ ଶକ୍ତିର ସଞ୍ଚାର ହୋଇପାରେ ।

 

ଉଦ୍‌ଭ୍ରାନ୍ତଭାବେ ଚାରିଆଡେ ଆଖି ବୁଲାଇ ଆଣିଲା ପରେ ତାଙ୍କର ମନେହେଲା କାନ୍ଥ ଯେପରି ଦୋହଲି ଉଠିଲା । ଦେଖୁ ଦେଖୁ ଟିକିଏ ଫାଙ୍କା ମଧ୍ୟ ହେଲା । କିଏ ଜଣେ କୃଷ୍ଣକାୟ ମୂର୍ତ୍ତି ଘର ଭିତରେ ପ୍ରବେଶ କଲା । କିଏ ? ବାସନ୍ତୀ ରଙ୍ଗର ଶାଢ଼ୀ ପରିହିତା ଜଣେ ନାରୀ ! ମୃଦୁ ଚଞ୍ଚଳ ପଦକ୍ଷେପରେ ଆଗେଇ ଆସୁଛି ତାଙ୍କରି ଆଡ଼କୁ । ହାତରେ ତାର କଣ ଗୋଟାଏ ଚକ୍ ଚକ୍ କରୁଛି ! ଗ୍ଳାସ ! ହଁ, କାଚଗ୍ଲାସ ! କିଏ ଏହି ରହସ୍ୟାବୃତା ! ଶାଢ଼ୀର ଅଞ୍ଚଳ ନାଶିକାକୁ ଆବୃତ କରି ରହିଛି । କେବଳ ଆଖି ଦୁଇଟି ଜଳ ଜଳ ଦିଶୁଛି ବାହାରକୁ ।

ସେହି ନାରୀ ପ୍ରଦୀପର ନିକଟସ୍ଥ ହୋଇ ମୃଦୁ ସ୍ୱରରେ ଡାକିଲେ–ପ୍ରଦୀପ ବାବୁ !

କିଏ ? ତଡ଼ିତ ଘାତରେ ଯେପରି ଚମକି ପଡ଼ିଲେ ପ୍ରଦୀପ । କହିଲେ–ଯଶୋଦା ? ତୁମେ !

ପାଣି ଆଗେ ପିଅନ୍ତୁ, ପ୍ରଦୀପ ବାବୁ ! .....ଯଶୋଦା ପ୍ରଦୀପର ମୁଣ୍ଡଟିକୁ ଉଠାଇ ମୁହଁ ପାଖକୁ ପାଣି ଗ୍ଲାସଟିକୁ ନେଇ ଆସିଲା । ପ୍ରଦୀପ ପିଇଲେ । ଜୀବନ ଶାନ୍ତ ହେଲା । ଅବାକ୍‍ ବିସ୍ମୟରେ ଦେଖିଲେ ଯଶୋଦାକୁ–

ଆଜି ରାତିରେ ଆପଣଙ୍କୁ ଗୁଳି କରି ହତ୍ୟା କରାଯିବ, ପ୍ରଦୀପବାବୁ ! …ଅତି ସହଜ କଣ୍ଠରେ କହିଲା ଯଶୋଦା ।

ଆଖି ଦୁଇଟି ପ୍ରଦୀପଙ୍କର ବେଶ୍‌ ବଡ଼ ବଡ଼ ଦେଖାଗଲା । ମାନେ ମାନେ ଶିହରୀ ଉଠିଲେ ସେ ।

ଆପଣଙ୍କ ମୃତଦେହ କିଛି ଦିନ ପରେ ପୁଲିଶ୍ ଅବଶ୍ୟ ନଦୀ ବକ୍ଷରୁ ଉଦ୍ଧାର କରିବ । ସେତେବେଳେ ଆପଣ ସମ୍ପୂର୍ଣ୍ଣଭାବେ ପଚି ଫୁଲି ଯାଇଥିବେ । ସମ୍ପୂର୍ଣ୍ଣ ସାଦା ହୋଇଯାଇଥିବ ଦେହର ରଙ୍ଗ ଆଉ କୁକୁର ମଧ୍ୟ ସ୍ଥଳରେ ଥିବ ଗୋଟିଏ ଗର୍ତ୍ତ । ସେହି ଗର୍ତ୍ତଟି ହେଉଛି ଗୁଳି ଆଘାତର ଚିହ୍ନ ।

 

ତୁମେ ଚୁପ୍‌ କର ଯଶୋଦା–ଚୁପ କର । ଆତଙ୍କିତ ହୋଇ କହିଲେ ଏ ପ୍ରଦୀପ ।

ଆପଣ ଏଠାରୁ ପଳାଇ ଯିବାକୁ ଚାହାନ୍ତି ? .....ଯଶୋଦାର ଆଖିରେ ଇଙ୍ଗିତର ଆଭାସ ।

 

ମୋତେ ତୁମେ.....ପ୍ରଦୀପ ବିଶ୍ୱାସ କରିପାରୁନଥିଲେ । ସେ ପୁଣି କୌଣସି ନୂଆ ରହସ୍ୟ ଜଳରେ ଆବଦ୍ଧ ହେଉନାହାଁନ୍ତି ତ ?

 

ଆପଣ ଯେତେ ଶୀଘ୍ର ପାରନ୍ତି ଏଠାରୁ ଚାଲିଯାଆନ୍ତୁ । ତା ନହେଲେ ସେମାନେ ଆପଣାକୁ ଖୁନ୍ କରିବେ । ଯଶୋଦା ସଙ୍ଗେ ସଙ୍ଗେ ପ୍ରଦୀପର ବନ୍ଧନ ଖୋଲି ଦେବାକୁ ଲାଗିଲା ।

 

ପ୍ରଦୀପ ଉଠି ଠିଆ ହେଲେ । ଆଉ ଡ଼େରି କରିବାର ନୁହେଁ । ଦେଖିଲେଏ–ଯଶୋଦା ଅଶ୍ରୁ ନୟନରେ ଚାହିଁଛି ତାଙ୍କୁ ।

 

ଆଉ ତୁମେ ଯଶୋଦା ବାଈ ! ତୁମେ ଏଠାକୁ କିପରି–

ମୁଁ ବାଈଜି, ମୋର ଭୟ ! .....ଯଶୋଦାର କଣ୍ଠରେ ମୃତ୍ୟୁର ଆଭାସ ।

 

ଏ’ ରହସ୍ୟ ସମାଧାନ ହେଲେ ମୁଁ ତୁମକୁ ନୂତନ ଜୀବନରେ ପ୍ରତିଷ୍ଠା କରାଇବି, ଯଶୋଦା.....କୃତଜ୍ଞତା ଝରି ପଡ଼ିଲା ପ୍ରଦୀପଙ୍କ କଣ୍ଠରୁ । ସେ ଆଉ ଯଶୋଦାକୁ ବାଈ ବୋଲି ଆଉ ସମ୍ବୋଧନ କରି ପାରିଲେ ନାହିଁ ।

 

ନା-ନା, ଯଶୋଦାର ଦୁଇ ଚକ୍ଷୁରେ ଲୋତକର ଧାରା । ଟିକିଏ ନିରବ ରହି ସେ କହିଲା–ଆପଣ ଆଗେ ଏଠାରୁ ଚାଲି ଯାଆନ୍ତୁ, ପ୍ରଦୀପବାବୁ ! ରେହେମାନ ହୁଏତ’ ବର୍ତ୍ତମାନ ଆସିଯାଏ ପରେ । ଏଇ ବାଟ ଦେଇ ଯାଆନ୍ତୁ । ସାମ୍ନାରେ ସିଡ଼ି ଅଛି । କାନ୍ଥରେ ଥିବା ସୁଇଚଇଟିକୁ ଟିପିବେ–ସାଙ୍ଗେ ସାଙ୍ଗେ ଦ୍ୱାର ଖୋଲିଯିବ । ସାମ୍ନାରେ ଆପଣ ଦେଖିପାରିବେ ଗୋଟିଏ ଗଳିରାସ୍ତା । ସେଇ ରାସ୍ତାଦେଇ ଗଲେ ଆପଣ ବଡ଼ରାସ୍ତା ଉପରକୁ ବାହାରିବେ । ଯାଆନ୍ତୁ–

 

ପ୍ରଦୀପ ଆଉ ଡେରି କଲେ ନାହିଁ ।

 

ଯଶୋଦା କାନ୍ଦିବାକୁ ଲାଗିଲା । ଏଥର ଓସ୍ତାଦଙ୍କର ବେଳ ଶେଷ ହେବ । ବାସୁ ଆଜକୁ ଚିର ଦିନ ହେଲା କେଉଁଆଡେ ପଳାଇ ଯାଇଛି । ସୁଯୋଗ ପାଇଲେ ସେ ସବୁ କଥା ଥାନାରେ କହି ଆସିବ । ପ୍ରଦୀପ ମଧ୍ୟ ସବୁକଥା ଜାଣିପାରିଛି ।

 

ଯଶୋଦା ବାଈ !

 

କର୍କଶ କଣ୍ଠସ୍ୱର ଶୁଣି ଚମକି ପଡ଼ିଲା ଯଶୋଦା । ଭୀତ ଦୃଷ୍ଟିରେ ଚାହିଁଲା ସେ । ରହେମାନ୍ ପାଖରେ ମୁଖୋସ୍‌ଧାରୀ ଓସ୍ତାଦ୍ ଛିଡା ହୋଇଛନ୍ତି । ମୁଖୋର ଅନ୍ତରାଳରେ ଓସ୍ତାତ୍‌ ଆଖିର ଚାହାଣି ଠିକ୍ ଶ୍ଵପାଦର ଚାହାଁଣିପାରି ହିଂସ୍ର-କେଡ଼େ ତୀବ୍ର ସେହି ଦୃଷ୍ଟି ।

 

ଏହି କାଳ ନାଗିନୀକୁ ବନ୍ଦୀ କରି ରଖି, ରହେମାନ୍ ! ମୁଁ ତେଣେ ଦେଖୁଛି....ଓସ୍ତାତ୍‍ ଦ୍ରୁତପାଦରେ ଘରୁ ବାହାରିଗଲେ ।

 

ରହେମାନ୍‍ର ମୁଖମଣ୍ଡଳ କଠିନ ହୋଇଆସିଲା । ଖୁଣ୍‍ର ନିଶା ଯେପରି ତାରି ମୁଣ୍ଡରେ ଚାପିଛି । ଆଗେଇ ଆସିଲା ଯଶୋଦା ପାଖକୁ ।

 

ଯଶୋଦା ଭୟରେ ଆର୍ତ୍ତନାଦ କରି ଉଠିଲା ।

 

ଅଭୟ ମୁହଁ ପୋତି ବସିଥାଏ । ହାତ ଦୁଇଟି ନିର୍ଜୀଵ ପଡି ପଡ଼ିଥାଏ ଟେବୁଲୁ ଉପରେ-

 

ବଳରାମ ମିଶ୍ର ସେତେବେଳେ ଜେରା କରିବାରେ ବ୍ୟସ୍ତ । ସହକାରୀ ମହେନ୍ଦ୍ର ଦାସ ଜମାନବନ୍ଦୀ ଗୁଡ଼ିକ ଲେଖି ନେଉଥାନ୍ତି ।

 

କିଛି ଲୁଚାଇ ଲାଭ ନାହିଁ, ଅଭୟବାବୁ ଆମେ ସବୁ କଥା ଜାଣିପାରିଛୁ....

 

ଅଭୟ ଅସହାୟ ଦୃଷ୍ଟିରେ ଚାହିଁଲେ । କହିଲେ ମୁଁ କିନ୍ତୁ କିଛି ଜାଣେନା ବଳରାମବାବୁ !

 

ବୃଥା ଆପଣ ଅସ୍ୱୀକାର କରୁଛନ୍ତି । ଏହା ଦ୍ୱାରା ଆପଣଙ୍କର.....ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ଗମ୍ଭୀର ସ୍ୱରରେ କହିଲେ ଇନିସ୍‌ପେକ୍ଟର.....ଆପଣ କଣ ଜାଣନ୍ତି ନାହିଁ, କଥା ବାହାର କରିବା ଲାଗି ଆମକୁ–

 

ଅତ୍ୟାଚାରର ଆଶଙ୍କାରେ ଶିହରି ଉଠିଲେ ଅଭୟ ।

କହନ୍ତୁ ବିନୟ ବାବୁଙ୍କୁ ହତ୍ୟା କରିବା ଲାଗି କାହାକୁ ନିଯୁକ୍ତି କରିଥିଲେ ?

ମୁଁ ସେସବୁ କିଛି ଜାଣେନା.....ପାଗଳଙ୍କ ପରି ଚିତ୍କାର କରି କହିଲେ ଅଭୟ ।

 

ଜାଣେନା ବୋଲି କହିଲେ ଚଳିବ କିପରି ? ଛିଃ, ଛିଃ..... ବଂଶ ମର୍ଯ୍ୟାଦା ଏ’ ଆପଣ କଣ କରିଛନ୍ତି….

 

ଅଭୟ ସଙ୍କୁଚିତ ହେଲେ । ସମସ୍ତ ମନ ଅସହ୍ୟ ବେଦନାରେ ଭାରି ହେଲା ଯେପରି ।

ରାଜୁକୁ ଆପଣ ଗୁଳି କରି ହତ୍ୟା କରିଛନ୍ତି ?

ମୁଁ ଠିକ୍ ବୁଝି ପାରୁନାହିଁ, ମୃଦୁ କଣ୍ଠରେ ଉତ୍ତର ଦେଲେ ଅଭୟ ।

ବୁଝିପାରୁ ନାହାନ୍ତି ?

ମୁଁ ଗୁଳି କରି ପାରିଥାଏ.....ଉଦ୍‌ଭ୍ରାନ୍ତଙ୍କପରି ଚାହିଁଲେ ସେ ।

 

ବଳାରାମବାବୁ ହସିଲେ–ନିଶବ୍ଦ ହସ । ମନେ ମନେ କହିଲେ ଏଥର ସିଧା ବାହାରେ ଆସ...ବିଜୟୀ ଦୃଷ୍ଟିରେ ସେ ଚାହିଁଲେ ଅଭୟ ଆଡ଼େ । ପଛରୁ ପାଦଶବ୍ଦ ଶୁଣି ସେ ଫେରି ଚାହିଁଲେ-

 

ରାଧାଚରଣ ଆସୁଛନ୍ତି । ହାତରେ ଧରିଛନ୍ତି ଟିଫିନ୍ କେରିୟର୍ । ବଳରାମବାବୁକୁ ଦେଖି ମୃଦୁ ହସି କହିଲେ–ମୁଁ ଅଭୟବାବୁଙ୍କ ପାଇଁ ଖାଇବାର ଆଣିଛି ।

 

ଆସନ୍ତୁ, ଏସ.ପି.ଙ୍କର ଫୋନ୍‌ରୁ ଜାଣିପାରିଛି ଯେ–ଆପଣ ତାଙ୍କ ପାଇଁ ଖାଇବାର ନେଇଆସୁଛନ୍ତି । ବସାନ୍ତୁ-ଖାଦ୍ୟଗୁଡ଼ିକ ପରୀକ୍ଷା କରିବା ପରେ ଅଭୟବାବୁଙ୍କୁ ଦିଆଯିବ ।

 

ରାଧାଚରଣ ଟେବୁଲ ଉପରେ ଟିଫିନ୍ କେରିୟାର୍ ରଖିଲେ ।

 

ଏହି ସମୟରେ ବାହାରେ ଗୁଳିର ଶବ୍ଦ ଶୁଣାଗଲା । ଭୀଷଣ ଗୋଳମାଳ ମଧ୍ୟ ଶୁଣାଗଲା ।

 

ବଳାରାମବାବୁ ଆଶ୍ଚର୍ଯ୍ୟ ହେଲେ । ଥାନା ସାମ୍ନାରେ ଏତେ ଗୋଳମାଳ ହେବାର କାରଣ କଣ ? ଦୁଆର ପାଖକୁ ଆସି ବାହାର ଆଡ଼େ ଚାହିଁଲେ ।

 

ରାସ୍ତାର ଆରପାଖରେ ବହୁଦିନର ଗୋଟିଏ ଝଙ୍କାଳିଆ ଆମ୍ବଗଛ । ଲୋକମାନେ ସେଠାରେ ଛିଡ଼ାହୋଇ ଚିତ୍କାର କରୁଛନ୍ତି ।

 

କନେଷ୍ଟବଲ୍ ବଳିୟାର ସିଂ ସାମରିକ ପ୍ରଥାରେ ଅଭିବାଦନ କରି କହିଲା–ଏକଠେ ଖୁନ୍ ହୋଗୟା ହଜୁର....

 

ଖୁନ୍... ଚମକି ପଡ଼ିଲେ ବଳରାମବାବୁ ! ସହକାରୀ ଆଡ଼େ ଚାହିଁ କହିଲେ ଦେଖି ଆସନ୍ତୁତ’, କାହିଁକି ସେଠାରେ ଲୋକମାନେ ଏମିତି ଗୋଳମାଳ କରୁଛନ୍ତି.....

 

କନେଷ୍ଟବଲ୍ ବଳିଆର ସିଂ ସହିତ ସହକାରୀ ଅଫିସର ଚାଲିଗଲେ ।

 

ବଳରାମବାବୁ ରାଧାଚରଣ ଆଡ଼େ ଚାହିଁଲେ । ଦେଖିଲେ ସେ ମଧ୍ୟ ବିସ୍ମିତ ଦୃଷ୍ଟିରେ ବାହାର ଆଡ଼େ ଚାହିଁ ରହିଛନ୍ତି ।

 

ଦ୍ରୁତପାଦରେ ଘରଭିତରେ ପ୍ରବେଶ କଲେ ପ୍ରଦୀପ । ରାଧାଚରଣକୁ ଦେଖି ଭ୍ରୁ ଦୁଇଟି ତାଙ୍କର କୁଞ୍ଚିତ ହୋଇ ଆସିଲା ।

 

ଆପଣ ? .....ବଳରାମବାବୁ ଦେଖିଲେ, ପ୍ରଦୀପଙ୍କର ଲଲାଟରେ ଆଘାତର ଚିହ୍ନ ।

 

ଆପଣ ଆଗେ ହସ୍ପିଟାଲକୁ ଫୋନ୍ କରି ଖଣ୍ଡିଏ ଆମ୍ବୁଲାନ୍ସ ଅଣାଇବାର ବ୍ୟବସ୍ଥା କରନ୍ତୁ । .....ପ୍ରଦୀପ ପୁଣି ଗମ୍ଭୀରାଭବେ ଚାହିଁଲେ ରାଧାଚରଣ ଆଡ଼େ।

 

କଣ ହୋଇଛି ? ଆମ୍ବୁଲାନ୍ସ.....ବିସ୍ମିତ ଭାବେ ପ୍ରଶ୍ନ କଲେ ବଳରାମବାବୁ ।

 

ବାସୁ ବୋଲି ଗୋଟିଏ ଲୋକକୁ କିଏ ଗୁଳି କରିଛି ବୋଲି ଶୁଣିଲି । ଅବଶ୍ୟ ଆଘାତ ସେପରି ମାରାତ୍ମକ ନୁହେଁ । କାନ୍ଧ ଉପରେ ଆଘାତ ଲାଗିଛି । ବଳିଆର ସିଂ ଓ ମହେନ୍ଦ୍ରାବାବୁ ତାକୁ ନେଇ ଆସୁଛନ୍ତି । ଆପଣ ଚଞ୍ଚଳ ହାସପାତାଳରୁ ଆମ୍ବୁଲାନ୍ସ ମାଗନ୍ତୁ । ...ଏଥର ପ୍ରଦୀପ ରାଧାଚରଙ୍କ ପାଖକୁ ଆସିଲେ ।

 

ରାଧାଚରଣର ମୁଖମଣ୍ଡଳ ବିବର୍ଣ୍ଣ ଦେଖାଗଲା । ଶରୀରରେ ମୃଦୁ କମ୍ପନ ଅନୁଭବ କଲା ସେ–

 

ସ୍ମଗଲର ବାସୁ କଥା ଆପଣ କହୁଛନ୍ତି ? ତାକୁ କେହି ଗୁଳି କରିଛି ? .....ହସପିଟାଲକୁ ଫୋନ୍ କରିବାଲାଗି ବଳରାମବାବୁ ଅଫିସ ଭିତରକୁ ଆସିଲେ ।

 

ପ୍ରଦୀପ ବୁଝିପାରିଲେ–ବାସୁ ଥାନାକୁ ଆସିଥିଲା ଆତ୍ମସମର୍ପଣ କରିବା ଉଦ୍ଦ୍ୟେଶରେ । ସେଥିଯୋଗୁଁ ଦଳୀୟ ଲୋକମାନେ ତାକୁ ହତ୍ୟା କରିବାକୁ ବସିଥିଲେ । କ୍ଲାନ୍ତ ଦୃଷ୍ଟିରେ ସେ ଅଭୟଆଡ଼େ ଚାହିଁଲେ ।

 

ଅଭୟ ଟେବୁଲ ପାଖରେ ମୁହଁ ତଳକୁ କରି ବସିଥାଏ ।

 

ରାଧାଚରଣବାବୁ ଅସୁବିଧା ଭୋଗ କରୁଛନ୍ତି ବୋଲି ମନେ ହେଉଛି.....ପ୍ରଦୀପ ମୃଦୁ ହସି କହିଲେ ।

 

ନା-ନା..…କୃତିମ ହସ ହସିବା ଲାଗି ଚେଷ୍ଟା କଲେ ରାଧାଚରଣ ।

ବଳରାମବାବୁ ଚିନ୍ତିତ ମନରେ ଆସି ଉପସ୍ଥିତ ହେଲେ ।

କିଛି ସନ୍ଧାନ ପାଇଲେ କି ବଳରାମବାବୁ ପଚାରିଲେ.....ପ୍ରଦୀପ ।

 

ରାଜୁକୁ ହତ୍ୟା କରିବା କଥା ସେ ସ୍ୱୀକାର କରିଛନ୍ତି..…ବିଜୟ ଗର୍ଵକରି କହିଲେ ବଳରାମବାବୁ ।

 

ସ୍ୱୀକାର କରିଛନ୍ତି କହି.....ଅଭୟଙ୍କର ନିକଟସ୍ଥ ହୋଇ ପ୍ରଦୀପ କହିଲେ–ଇସ୍‌ ଚେହେରା କଣ ହୋଇଛି । କେତେଦିନହେଲା ଖାଇବାକୁ ଦେଇନାହାନ୍ତି ବଳରାମବାବୁ–

ନା । କୌଣସି ପ୍ରକାର କଷ୍ଟ ତାଙ୍କୁ ଦିଆହୋଇନାହିଁ.....ବିରସ ମୁଖରେ କହିଲେ ବଳରାମବାବୁ !

ଆପଣ କୁଶଳରେ ଅଛନ୍ତି ତ ରାଧାଚରଣବାବୁ ! ପ୍ରଦୀପ ମୃଦୁ ହସିଲେ ।

ଭୀତ ଦୃଷ୍ଟିରେ ଚାହିଁଲେ ରାଧାଚରଣ । ବୁକୁ ଭିତରେ ମହାସାଗରର ଢେଉ ସେତେବେଳେ ଉଠୁଥାଏ । ଆତଙ୍କରେ ମୁହଁ ତାଙ୍କର ସାଦ ଦେଖାଯାଉଥାଏ ।

ସେ ଅଭୟବାବୁଙ୍କର ଖାଇବାର ନେଇ ଆସିଛନ୍ତି....କହିଲେ ବଳରାମବାବୁ ।

ଇଜ୍ଇଟ୍ ! ଅଭୟବାବୁଙ୍କୁ ତାହାହେଲେ ଖାଈବାବୁ ଦିଅନ୍ତୁ ।

ପରୀକ୍ଷା ନା କରି ଦେବି ?

ଦରକାର କଣ ? ସେ କଣ ଅଭୟକୁ ବିଷାକ୍ତ ଜିନିଷ କିଛି ଖାଇବାକୁ ଦେବେ ବୋଲି ମନେ କରୁଛନ୍ତି ? କଣ କହୁଛନ୍ତି ରାଧାଚରଣବାବୁ ! –ପ୍ରଦୀପ ପୁଣି ମୃଦୁ ହସିଲେ ।

ରାଧାଚରଣ ମ୍ଳାନ ହସ ହସି ଟିଫିନ୍ କେରିୟାର ଖୋଲି ସାମ୍ନାରେ ଛିଡ଼ା ହେଲେ ।

ଅଭୟ ଆହୁରି ଗଭୀର ବେଦନାରେ ମ୍ରିୟମାଣ ହେଲାପରି ମନେହେଲା । ପୂର୍ବପରି ମୁହଁ ତଳକୁ କରି ବସିଲେ ଟେବୁଲ ପାଖରେ–

ଆପଣଙ୍କ ପାଇଁ ବୋହୂରାଣୀ ସବୁ ତିଆରି କରି ଦେଇଛନ୍ତି.....ରାଧାଚରଣ ରହି ରହି କଥା ଗୁଡ଼ିକ କହିଲେ ।

 

ଅଶୋକା ! ବାଷ୍ପାୟିତ କଣ୍ଠ ଅଭୟଙ୍କର । ବେଦନା ତୁମ୍ଭ–ଦୃଷ୍ଟିରେ ଚାହିଁଲେ ରାଧାଚରଣ ଆଡ଼େ ।

 

ଅପେକ୍ଷା କରନ୍ତୁ ରାଧାଚରଣ ବାବୁ ! .....କଠିନ କଣ୍ଠରେ କହିଲେ ପ୍ରଦୀପ ।

 

ରାଧାଚରଣ ଚମକି ପଡ଼ିଲେ । ତାଙ୍କର ହାତରୁ ଟିଫିନ୍ କେରିୟାରର ବାଟିଗୁଡ଼ାକ ସଶବ୍ଦରେ ଖସିପଡ଼ିଲା ।

 

ସାମାନ୍ୟ ଭୁଲ କରିଛନ୍ତି ରାଧାଚରଣ ବାବୁ ! ମୋତେ ଦେଖି ସୁଦ୍ଧା ମିଥ୍ୟା କଥା କହିବାକୁ ଆପଣଙ୍କ ଜିହ୍ଵା ସଙ୍କୁଚିତ ହେଲାନାହିଁ ? ଏହି ଖାଦ୍ୟ ଗୁଡ଼ାକରେ ବିଷ ମିଶା ହୋଇଛି..…ଗମ୍ଭୀର କଣ୍ଠରେ କହିଲେ ପ୍ରଦୀପ ।

 

ବିଷ ! ବଳାରାମବାବୁ ମଧ୍ୟ ଚମକି ପଡ଼ିଲେ ।

 

ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ । ରାଧାଚରଣକୁ ଲକ୍ଅପ୍’ରେ ରଖି ପୋଲିସ ଫୋର୍ସ ନେଇ ଚଞ୍ଚଳ ମୋ ସାଙ୍ଗରେ ଯଶୋଦାଵାଈର ଘରକୁ ଚାଲନ୍ତୁ । ଯେପରି ଭାବେ ନରହତ୍ୟାର ବୀଭତ୍ସ ତାଣ୍ଡବ ଲୀଳା, ଆରମ୍ଭ ହୋଇଛି, ଆଉ ମୁହୂର୍ତ୍ତେ ଡେରି କଲେ ଅକାରଣରେ ଦୁଇଟି ଜୀବନ ନଷ୍ଟ ହେବ…..ପ୍ରଦୀପ ଦ୍ରୁତପଦରେ ଘରୁ ବାହାରିଗଲେ ।

 

ପ୍ରେତପୁରୀ ପରି ସମସ୍ତ ଘର ଅନ୍ଧକାରମୟ ।

 

ଅଶୋକାଙ୍କର ଅନ୍ଧକାର ସହ୍ୟ ହୋଇଯାଇଛି । ରୋଷାୟିତ ଚକ୍ଷୁରେ ପୁଣି ସେ ଠାରେ ଚାହିଁଲେ କଳା ଆଲେଖ ଲ୍‌ଲାରେ ଆଦୃତ ପ୍ରେତାତ୍ମା ପରି ଲୋକଟିଆଡ଼େ ।

 

ବୋହୂରାଣୀଙ୍କର ବିଶେଷ କଷ୍ଟ ହେଉଥିବ, ଜାଣେ–କଣ ଆଉ କରିବେ । ଧୈର୍ଯ୍ୟଧରି ମୋ କଥା ଆପଣକଙ୍କୁ ଶୁଣିବାକୁ ପଡ଼ିବ । ....ସେହି ପ୍ରେତ ମନୁଷ୍ୟଟି ହସିଲା ।

 

ଉଃ ! –ଆପଣ, ଏତେ ବଡ଼ ଶୟତାନ ! .....ଅଶୋକାଙ୍କର ଆଖି ଦୁଇଟିରୁ ଦୁଇଧାର ଲୁହ ଗଡ଼ି ଆସିଲା ।

 

ପୁଣି ଆକର୍ଣ୍ଣ ବିସ୍ତୃତ ହସର ଶବ୍ଦ ଶୁଣାଗଲା ।

କେତୋଟି ମୁହୂର୍ତ୍ତ ସ୍ତବ୍ଧତାରେ ଭରିଗଲା ।

 

ସ୍ତବ୍‌ଧତା ଭଙ୍ଗ କରି ସେହି ପ୍ରତିମୂର୍ତ୍ତ ଆରମ୍ଭ କଲା–ଅନେକ କଥା ଆପଣଙ୍କୁ କହିଛି, ବହୁରାଣୀ ! କିନ୍ତୁ ସେହି କାହାଣୀର ପ୍ରଥମ ଆଉ ଶେଷ ଅଂଶଟିକୁ କହିବାର ସମୟ ପାଇନାହିଁ । ଆଜି କହୁଛି । ଆପଣ ମୋତେ ବହୁଥର ଦୁଇଟି ନିଷ୍ପାପ ହୃଦୟର ପରିଚୟ କଥା ପଚାରିଛନ୍ତି । ଆଶା-ପଥର ଅପେକ୍ଷାରେ ମୁଁ ତାହା ଏପର୍ଯ୍ୟନ୍ତ କହିନାହିଁ । ଆଜି କିନ୍ତୁ କହୁଛି–

 

ପୁଣି ଥରେ ସ୍ତବ୍‌ଧତା ନଇଁ ଆସିଲା ।

 

ମୁହୂର୍ତ୍ତେ ମାତ୍ର । ମୁହୂର୍ତ୍ତକପରେ ଶୁଣାଗଲା ଛାୟାମୃର୍ତ୍ତିର କଣ୍ଠସ୍ୱର । .....ସେହି ନାରୀ ତା’ର ଶିଶୁ ପୁତ୍ରକୁ ବୁକୁରେ ଧରି ନଈ ବାଟେ ଆସୁଥାଏ ତାର ଭାଇ ପାଖକୁ । ସାଙ୍ଗରେ ଥାଏ ଭୃତ୍ୟ ଅନାଦି । ପବନ ଖୁବ୍‌ ଜୋରରେ ବହିବାକୁ ଲାଗିଲା । ଛୋଟ ଛୋଟ ଢେଉ ଦେଖାଗଲା ନଦୀର ବୁକୁରେ । ବୃଷ୍ଟି ମଧ୍ୟ ଆରମ୍ଭ ହେଲା । ନଦୀର ବୁକୁର ଢେଉ ଛୋଟରୁ ବଡ଼ ଦେଖାଗଲା । ଛୋଟ ନୌକା ଖଣ୍ଡିକକୁ ଡୁବାଇଦେବାଲାଗି ଏଥର ଚେଷ୍ଟାକଲା ଅଣଞ୍ଚାଶ ପବନ ।

 

ତା’ ପରେ ?

 

ଶୁଣନ୍ତୁ, ବୋହୂରାଣୀ ! ସେହି ନାରୀ ଭୟରେ ଶିହରି ଉଠିଲା । ଶିଶୁ ପୁତ୍ରକୁ କୋଳରେ ଜାକି ନିଜ ଶରୀରର କ୍ରନ୍ଦନ ବନ୍ଦ କରିବାଲାଗି ଚେଷ୍ଟା କଲା । ମନେ ମନେ ନିଜର ଇଷ୍ଟଦେବତାକୁ ସ୍ମରଣ କରିବାକୁ ଲାଗିଲା ସେହି ନାରୀ ।

 

ସ୍ତବ୍ଧତା.....

 

ଭୃତ୍ୟ ଅନାଦି ମଧ୍ୟ ଯଥେଷ୍ଟ ଭୟ ପାଇଥିଲା । ନୌକା ରକ୍ଷା ପାଇବାର ଉପାୟ ନାହିଁ, ତଥାପି ସେହି ନାରୀକୁ ଆଶ୍ୱାସନା ଦେଲା । ସାନ୍ତ୍ୱନା କଣ୍ଠରେ କହିଲା–ଭୟ ନାହିଁ ମା, ଆମର କୌଣସି କ୍ଷତି ହେବ ନାହିଁ ।

 

ଅଶୋକା ଏକାନ୍ତ ଚିତ୍ତରେ ଶୁଣୁଥାଏ ।

 

ପ୍ରେତମୂର୍ତ୍ତି କହୁଥାଏ–ଠିକ୍ ଏତିକି ବେଳେ ପବନର ବେଗ ଆହୁରି ବଢ଼ିଲା । ଓଲଟି ପଡ଼ିଲା ଛୋଟ ନୌକାଖଣ୍ଡିକ । ଚହଲି ଉଠିଲା ନଈ ପାଣି । ତିନ୍ତିଗଲା ନାରୀ, ତିନ୍ତିଗଲା ଶିଶୁପୁତ୍ର-। ଅନାଦି ଭାବିଲା–ଏ ଯାତ୍ରାରୁ ସେମାନେ ରକ୍ଷା ପାଇଲେ ।

 

କିନ୍ତୁ ରକ୍ଷା ମିଳିଲା ନାହିଁ । ଝଡ଼ ଦୃଷ୍ଟି ଦୁର୍ଯୋଗ ଭିତରେ ଜମିଦାର ଅବନିକାନ୍ତଙ୍କର ନୌକା ସେମାନଙ୍କର ନିକଟସ୍ତ ହୋଇ ନାରୀ ଓ ଶିଶୁପୁତ୍ରକୁ ନୌକା ଉପରକୁ ଉଠାଇନେଲା । ଅନାଦି ଉଠିପାରିଲା ନାହିଁ । ସେ ଯେଉଁ ନୌକାରେ ବସିଥିଲା ସେହି ନୌକା ସହ ସେ ପାଣିରେ ଡୁବିଗଲା । ଝଡ଼ ବତାସରେ ଡୁବିଲାକି ତାକୁ ଦୁବାଇ ଦିଆଗଲା କିଛି ଜଣା ପଡ଼ିଲା ନାହିଁ ।

 

ନୌକା ଉଦ୍ୟାନ ନିକଟସ୍ଥ ଘାଟ ପାଖରେ ଆସି ପହଁଞ୍ଚିଲା ।

 

ତାପରେ ପ୍ରେତ ମାନବ ଟିଏ ନିରବ ରହି ପୁନର୍ବାର ଆରମ୍ଭକଲା–ତାପରେ ଯାହା ଘଟିଲା ଆପଣଙ୍କୁ କହୁଛି, ବହୁ ରାଣୀର ମୃତ ଶରୀର ଦୁଇଟିକୁ ଉଦ୍ୟାନ ଭିତରେ କବର ଦିଆଗଲା-। ମାଟି ଖୋଲି ଦେଖିଲେ ଆପଣ ବୁଝି ପରିବେ–ଅନ୍ୟ ସବୁ କବର ସହିତ ସେମାନଙ୍କର ଅସ୍ଥି କଙ୍କାଳ ।

 

ଏହି ନାରୀ ମୋର ଆଦରର ଭଉଣୀ, ତାର ନାମ ବିନତା–ପିଶାଚଙ୍କ ପରି ହସିଲା ସେହି ପ୍ରେତ ମାନବ–

 

ମୁଁ ଶୟତାନ ନୁହେଁ ବୋହୂରାଣୀ ! ସେଦିନ ସନ୍ଧ୍ୟାବେଳେ ବଉଳଗଛର ଅସ୍ପଷ୍ଟ ଅନ୍ଧକାର ଭିତରୁ ଯାହାକୁ ଟାଣି ଟାଣି ନିର୍ବିଚାରରେ ସାଙ୍କୁଶ ମାଛର ଚାବୁକରେ ଯାହାକୁ କ୍ଷତ ବିକ୍ଷତ କରାଗଲା, କି ଅପରାଧ ଥିଲା ତାର ? ଜମିଦାର ବଂଶର ଝିଅ ରେବାକୁ ସେ ଭଲ ପାଇଥିଲା–ଏଇହେଲା ତାର ଅପରାଧ ! ଜମିଦାର ଅବନୀକାନ୍ତଙ୍କର ଭଉଣୀକୁ ସେ ଭଲ ପାଇଥିଲା ।ସେହି ସ୍ଵର୍ଣ୍ଣ ପ୍ରତିମା ରେବା ଶେଷରେ ଆତ୍ମଘାତିନୀ ହେଲା । ଆଉ ତାର ପ୍ରଣୟ--ପିୟାସୀର କି ଅବସ୍ଥା ହୋଇଥିଲା ଜାଣନ୍ତି କି, ବୋହୂରାଣୀ ! ତାକୁ ଜମିଦାର ଅବନୀକାନ୍ତ ନଦୀରେ ଡୁବାଇ ଦେଇଥିଲେ । କିନ୍ତୁ ସେ ମରିନାହିଁ । ଆଜି ପର୍ଯ୍ୟନ୍ତ ସେ ବଞ୍ଚିଛି । ମୁଁ ସେହି ହତଭାଗ୍ୟ । ମୋର ବୁକୁ ଓ ପିଠିରେ ଆଜି ଯାଏଁ ସାଙ୍କୁଶ ମାଛ ଚାବୁକ ଆଘାତର ଚିହ୍ନ ରହିଛି । ଦାଗ ଗୁଡ଼ାକ ଆଜି ପର୍ଯ୍ୟନ୍ତ ଯନ୍ତ୍ରଣାରେ ଜଳୁଛି, ଦିବା ରାତ୍ରି ମୁଁ ସେହି ଯନ୍ତ୍ରଣାରେ ଛଟପଟ ହେଉଛି ବୋହୂରାଣୀ–

 

ଦୀର୍ଘ ବାଇଶି ବର୍ଷ ଭିତରେ ମୁଁ ଦିନେହେଲେ ଶାନ୍ତି ପାଇନାହିଁ । ରାତ୍ରି ଅନିଦ୍ରା ହୋଇ ପ୍ରତିଶୋଧ ନେବା ଆଶାରେ ନିଶାଚର ପରି ମୁଁ ଘୁରି ବୁଲୁଛି । ତେବେ ସୁଦ୍ଧା ଜମିଦାର ଅବନୀକାନ୍ତଙ୍କର ଜୀବିତାବସ୍ଥାରେ ପ୍ରତିଶୋଧ ନେବାର ସୁଯୋଗ ମୁଁ ପାଇନାହିଁ । ଏହି ଦୁଃଖ ମରିଗଲେ ସୁଦ୍ଧା ମୋର ଯିବ ନାହିଁ, ବୋହୂରାଣୀ–

 

ମୋର ଚକ୍ରାନ୍ତରେ ଏହି ବଂଶ ଆଜି ନିଶ୍ଚିହ୍ନ ହେବାକୁ ଯାଉଛି । ସବୁ ଶେଷ କରି ସାରିଛି ମୁଁ । ଅଭୟକାନ୍ତ ଏଥର ଫାଶୀ ଖୁଣ୍ଟ ରେ ଝୁଲିବ । ଫାଶୀ ନହେଲେ ସୁଦ୍ଧା ମୁକ୍ତିର ଆଶା ନାହିଁ । ରାଧାଚରଣ ହାତରେ ବିଷାକ୍ତ ଖାଦ୍ୟ ପଠାଇଛି । ନିଶ୍ଚିତ ମୃତ୍ୟୁ ତା’ ଭାଗ୍ୟରେ । ଆଉ ମଧ୍ୟ ରାଧାଚରଣ ଯେ ରକ୍ଷା ପାଇବ ଏହା ସମ୍ଭବ ନୁହେଁ । ବିଚାରା ଜାଣେନା, ଖାଦ୍ୟ ଭିତରେ ବିଷ ମିଶାଇ ମୁଁ ପଠାଇଛି । ଅଭୟ ଯଦି ନଖାଏ’ ତଥାପି ସେ ଧାରା ପଡ଼ିବ ।

 

କେବଳ ଆପଣ ବୋହୂରାଣୀ ! ନା ନା, ଅଭୟକାନ୍ତ ପରି ମୁଁ ବଦ୍ଧ ମାତାଲ ନୁହେଁ । ଏତେ ତଳକୁ ମୁଁ ଗତି କରି ନାହିଁ । ତେବେ ସୁଦ୍ଧା ମୁଁ ଆପଣଙ୍କୁ ମୁକ୍ତି ଦେବି–ଏହି ପ୍ରାଣହୀନା ପୃଥିବୀର ବ୍ୟଥା ବେଦନା କବଳରୁ ଆପଣ ଶାନ୍ତି ପାଇବେ ।

 

ଅଶୋକା ଆର୍ତ୍ତନାଦ କରି ଉଠିଲେ ନା-ନା....

ପୁଣି ପାଗଳ ପରି ହସି ଉଠିଲା ପ୍ରେତ–ମନୁଷ୍ୟ ।

ଆପଣ ଏଡ଼େ ବଡ଼ ଶୟତାନ.....ଅଶୋକା ଦୁଇ ହାତରେ ମୁଁ ଲୁଚାଇଲେ ।

 

ମୋର ଆଦେଶରେ ରହେମାନ୍ ବିନୟବାବୁଙ୍କୁ ଖୁଣ୍ କରିଛି, ହରପାର୍ବତୀ ମୂର୍ତ୍ତି ଚୋରି କରିଛି । ମୋରି ଇଙ୍ଗିତରେ ସେ ଗୁଳି କରିଛି ରାଜୁକୁ ।

 

ତାହା ହେଲେ ଅଭୟବାବୁ.....ଅଶୋକା ତଳୁ ମୁହଁ ଉଠାଇ କହିଲେ ନା, ଅଭୟ ନୁହେଁ । ରହେମାନ୍ । ପୁଲିଶ ଅଭୟ ବିରୁଦ୍ଧରେ ଯେଉଁ ପ୍ରମାଣ ସଂଗ୍ରହ କରିଛି, ସେ ଗୁଡ଼ିକ ମୁଁ ଯୋଗାଇ ଦେଇଛି... । ରାଧାଚରଣ କାହିଁକି ତାକୁ ମୃତ୍ୟୁ ମୁଖକୁ ଠେଲି ଦେଲି ଜାଣନ୍ତି, ବୋହୂରାଣୀ ! ସେ ଅଭିନୟ କରିବାକୁ ଯାଇ ପ୍ରକୃତରେ ଆପଣଙ୍କୁ ଦେଖି ମୁଗ୍ଧ ହେଇଥିଲା । ଭଲ ପାଇବା ମହାନ ଅପରାଧ । ମୁଁ ଏସବୁ ସହ୍ୟ କରିପାରେନା । ଏପରିକି ସ୍ତ୍ରୀ-ପ୍ରତି ସ୍ୱାମୀର ସ୍ନେହକୁ ସୁଦ୍ଧା ମୁଁ ଭଲ ପାଏନା । ସେଥି ଯୋଗୁଁ ପ୍ରଲୋଭନ ଦେଖାଇ ଅଭୟକୁ ମୁଁ ଆପଣଙ୍କ ପାଖରୁ ଦୂରେଇ ରଖିଥିଲି । ଅଭୟ ମଧ୍ୟ ରକ୍ତ ପ୍ରଲୋଭନର ଜାଲରେ ଆବଦ୍ଧ ହେବାଲାଗି ଆପଣଙ୍କ ପରି ସ୍ତ୍ରୀ ରତ୍ନକୁ ଅବହେଳା ଦୃଷ୍ଟିରେ ଦେଖୁଥିଲା ।

 

ମୋର ହତଭାଗିନୀ ଭଉଣୀ ବିନତାର ସ୍ଵପ୍ନିଳ ପ୍ରାଣ ଝଡ଼ି ପଡିଛି । ମୋର ବୁକୁଭରା ସ୍ନେହ ଆଜି ଉପେକ୍ଷିତ । ଆମର କରୁଣ ଆକୁଳ ଏହି ପୃଥିବୀର କଠିନ ପ୍ରାଣରେ ସୁଦ୍ଧା କରୁଣାବାରି ସିଞ୍ଚିତ କରିପାରି ନାହିଁ ବୋହୂରାଣୀ !

 

ଆଲୋକ ଓ ଅନ୍ଧକାର ଭିତରେ ଆଉ ଗୋଟିଏ ମୂର୍ତ୍ତିର ଆବିର୍ଭାଵ ଘଟିଲା ।

 

ରାଧାଚରଣ ଖବର କଣ, ରହେମାନ । ଆଲଖାଲା ପରିହିତ ଲୋକଟି ଫେରୀଚାହିଁ ଆଗନ୍ତୁକଙ୍କୁ ପଚାରିଲା ।

 

ସେ ଧାରା ପଡ଼ିଛି । ବାସୁକୁ ମୁଁ ଶେଷ କରିଦେଇଛି ଓସ୍ତାତ୍‌-ରହେମାନ୍ ମୃଦୁ ସ୍ୱରରେ କହିଲା ।

 

ରାଧାଚରଣ ଧରାପଡିବ. ମୁଁ ଜାଣେ । କିନ୍ତୁ ବାସୁ ଯଦି ଗୁଳିର ଆଘାତରେ ନ ମରେ...-? ମନେହେଲା–ପ୍ରେତ-ମନୁଷ୍ୟ ଅତିମାତ୍ରାରେ ଚଞ୍ଚଳ ହୋଇଉଠିଲା । କହିଲା–ଉଡ଼ାଜାହାଜରେ ସିଟର ବନ୍ଦୋବସ୍ତ କରିଛ ତ ?

 

ହଁ, ଓସ୍ତାତ୍‌…..

ହର-ପାର୍ବତୀ ମୂର୍ତ୍ତି ବିକ୍ରୟର ଟଙ୍କାତକ–

ବ୍ୟାଗ ଭିତରେ ରଖି ଦେଇଛି ।

ବୋହୂରାଣୀଙ୍କର ବ୍ୟାଙ୍କରେ ଗଚ୍ଛିତ ଥିବା ଟଙ୍କାରୁ କେତେ ଉଠାଇଛ ?

ପାଞ୍ଚ ଲକ୍ଷ । ସବୁ ବ୍ୟାଗ୍‌ ଭିତରେ ସାଇତି ରଖିଛ ।

ଆଉ ଅଳ୍ପ ସମୟ, ବୋହୂରାଣୀ ! ତାଙ୍କର–

ଓସ୍ତାତ, ତୁମେ କଣ ସକାଳ ଜାହାଜରେ ଉଠିବ ?

 

ହଁ, ରହେମାନ୍ ! ସକାଳ ୫ଟା ଭିତରେ ମୁଁ ଜାହାଜରେ ଚଢ଼ିବି । ମୋର ଟିକେଟ୍ କେଉଁଠି ରଖିଛ ?

 

ବ୍ୟାଗ ଭିତରେ । ..…ଶୁଷ୍କ କଣ୍ଠରେ କହିଲେ ରହେମାନ୍ ।

 

ସମୟ ଖୁବ ନଷ୍ଟ ହେଉଛି । ହିସାବରେ ଟିକିଏ ଗୋଳମାଳ ହେଲେ ପ୍ରଦୀପ ଗୋୟେନ୍ଦା ହାତରେ ଧରା ପଡ଼ିବି । ଗୁଳି କରି ଆପଣାକୁ ଆପଣଙ୍କୁ ହତ୍ୟା କରିବି ନାହିଁ, ବୋହୂରାଣୀ ! ଯଶୋଦା ମଧ୍ୟ ନୁହେଁ । ଯିବାବେଳେ ଇଲେକ୍‌ଟ୍ରିକ କନେକ୍‌ଶନ୍‌ କାଟି ଦେଇ ଯିବି । ଏ ଘରର ପ୍ରବେଶ ଦ୍ଵାର ଚିରଦିନ ପାଇଁ ବନ୍ଦ ହୋଇଯିବ । କେହି କିଛି ସନ୍ଧାନ ପାଇବେ ନାହିଁ ।

 

ଯଶୋଦା ଯଦି ବିଶ୍ୱାସ ଘାତକତା ନ କରିଥାନ୍ତା, ତାହା ହେଲେ ମୋତେ ଆଜି ମୁଣ୍ଡ ତଳକୁ କରି ଯିବାକୁ ପଡ଼ନ୍ତା ନାହିଁ । ଭାବିଥିଲି–ଆପଣ, ପ୍ରଦୀପବାବୁ, ଯଶୋଦା ଓ ରାଧାଚରଣ ପ୍ରତ୍ୟେକଙ୍କୁ ଏହି ଘର ଭିତରେ ଗୁଳି କରି ମୋର ପାପ କାର୍ଯ୍ୟର ସବୁ ପ୍ରମାଣ ନଷ୍ଟ କରିଥାନ୍ତି । କେହି କେବେ ହେଲେ ଜାଣି ପାରନ୍ତେ ନାହିଁ, ପାତାଳ ଘର ଭିତରେ ଏତେ ଗୁଡ଼ାଏ ମୃତ ଦେହ ପଡ଼ି ରହିଛି ବୋଲି । ସମସ୍ତେ ଜାଣନ୍ତେ ରାଧାଚରଣ ଅଶୋକାଙ୍କୁ ନେଇ କେଉଁଆଡେ ପଳାଇ ଯାଇଛି । ଯଶୋଦା ହୁଏତ ନାମ ବଦଳାଇ ନୂଆ ନଗରର ହାଟରେ ବସି ରୂପର ପସରା ମେଲାଇ ଦେଇଛି । ଗୋୟେନ୍ଦା ପ୍ରଦୀପ କୌଣସି ଅଦୃଶ୍ୟ ଆତତାୟୀର ନିକ୍ଷିପ୍ତ ସୀସା ଗୁଳିରେ ମରଣ ଶଯ୍ୟା ରଚନା କରିଛି । ରହସ୍ୟ ଓ ଛାୟା–କୁହେଲୀର ଅସ୍ପଷ୍ଟ କ୍ଳେଦ ସମସ୍ତନଙ୍କର ମନରେ ଖେଳି ବୁଲନ୍ତା । କିନ୍ତୁ ତାହା ହେଲା ନାହିଁ, ମୋର ଆଶା ଧୂଳିସାତ ହୋଇଗଲା ।

 

ପୁଣି ଫେରି ଚାହିଁଲା ପ୍ରେତ–ମାନବ । କହିଲା–ତୁମର ରିଭଲ୍‌ଭରରେ ଆଉ କେତେଟା ଗୁଳି ଅଛି ରେହେମାନ୍ !

 

ଗୁଳି ଆଉ ନାହିଁ ଓସ୍ତାତ୍ । ବାସୁ ପାଇଁ ସବୁ ଖର୍ଚ୍ଚ ହୋଇଛି । ରହେମାନ୍ ପକେଟରୁ ରିଭଲ୍‌ଭର୍ ବାହାର କଲା ।

 

ତୁମର ଛୁରୀ ମୋତେ ଦିଅ.....ଲୋମଶ ହାତଟିକୁ ବଢ଼ାଇଲା

ଓସ୍ତାତ୍ । ରହେମାନ୍ ଛୁରୀ ହାତକୁ ଦେଇ ପଚାରିଲା–

 

ଯଶୋଦାକୁ.....ହଁ, ରହେମାନ୍-ତାଙ୍କୁ ଏଠାକୁ ନେଇ ଆସ । ମରିବା ପୂର୍ବରୁ ବୋହୁରାଣୀ ଓ ସେ କିଛି କଥାବାର୍ତ୍ତା ହୁଅନ୍ତୁ ।

 

ରହେମାନ୍ ଅନ୍ଧକାରରେ ମିଳାଇଗଲା ।

ପୁଣି ନିସ୍ତବତା ।

ପ୍ରେତ ମାନବ ବିଜାତୀୟ ଆକ୍ରୋଶରେ ସାପ ପରି ହସ୍‌ହସ୍ ଶବ୍ଦ କରୁଥାଏ ।

ରହେମାନ୍ ଯଶୋଦାକୁ ସାଙ୍ଗରେ ନେଇ ପ୍ରବେଶ କଲା ।

 

ଅଶୋକା ଝାପସା ଦୃଷ୍ଟିରେ ତାଙ୍କୁ ଦେଖିଲେ । ଯଶୋଦାର ରୂପ ଆଉ ସେ ରୂପ ନାହିଁ-। ଜୀବନ୍ତ ରୂପର ଅଗ୍ନି ନିଜେ ନିଜେ ପୋଡ଼ି ବିବର୍ଣ୍ଣ ହୋଇଯାଇଛି ଯେପରି ।

 

ଓସ୍ତାତ୍‌.....ରହେମାନ ପ୍ରେତ ମୂର୍ତ୍ତିଆଡେ ଚାହିଁଲା ।

ମୋତେ କିଛି କହିବ, ରହେମାନ୍‌ !

 

ମୋତେ ମଧ୍ୟ ତୁମ ସାଙ୍ଗରେ ନେଇଯାଅ ଓସ୍ତାତ୍‌ ! ତାହା ନହେଲେ ଗୋୟେନ୍ଦା ପ୍ରଦୀପ ହାତରୁ ମୁଁ ଆଉ ରକ୍ଷା ପାଇବି ନାହିଁ ।

 

ତୁମେ ବଞ୍ଚି ରହିବାକୁ ଚାହଁ, ରହେମାନ !

ହଁ, ଓସ୍ତାତ....ମୁଁ ବଞ୍ଚିରହିବାକୁ ଚାହେଁ । .....ରେହେମାନ୍‌ର ଗଳାର ସ୍ୱର ଥରୁ ଥାଏ ।

 

ନା, ତୁମର ବଂଚିବାର ପ୍ରୟୋଜନ ନାହିଁ । କାରଣ, ତୁମେ.....ତୁମେ ଏକମାତ୍ର ଶେଷ ଜୀବିତ ପ୍ରମାଣ । ତେଣୁ ତୁମକୁ ମଧ୍ୟ–

 

ତୁମେ ମୋତେ ହତ୍ୟା କରିବ ? .....ଆର୍ତ୍ତ ଚିତ୍କାର କଲା ରହେମାନ୍‌ ।

 

ଭୟ କରୁଛ ରହେମାନ୍‌ ! ତୁମ ହାତର ଛୁରୀ ଯେତେବେଳେ ବିନୟବାବୁଙ୍କର କଣ୍ଠନଳୀ ଛିଣ୍ତାଇ ଦେଇଥିଲା, ଯେତେବେଳେ ତୁମର ଅଵ୍ୟର୍ଥ ଲକ୍ଷ୍ୟରେ ରାଜୁର ରକ୍ତାକ୍ତ ଦେହ ଭୂଇଁରେ ଲୋଟି ପଡ଼ିଥିଲା–ସେତେବେଳେ କଣ ସେମାନେ ଏହିପରି ଆର୍ତ୍ତ ଚିତ୍କାର କରିଥିଲେ, ରହେମାନ୍‌ ! ପ୍ରେତ–ମାନବ ହାତରେ ଧରିଥିବା ରିଭଲ୍‌ଭରଟିକୁ ରହେମାନ୍‌ ଆଡ଼େ ବାଗେଇ ଧରିଲା ।

 

ଗୁଳିର ଶବ୍ଦ ଦୁଇ ତିନି ଥର ଶୁଣାଗଲା ।

 

ଅନ୍ଧକାର ଭିତରେ ନୀଳ ଆଲୋକ ଦୁଇ-ତିନିଥର ଦେଖା ଗଲା । ପୋଡ଼ା ବାରୂଦର ଗନ୍ଧରେ ଘରର ବାୟୁ ବିଷାକ୍ତ ହୋଇ ଉଠିଲା ।

 

ଅଶୋକା ଭୟରେ ଥରିବାକୁ ଲାଗିଲା । ଯଶୋଦା ମଧ୍ୟ ।

 

ମୁଖୋଶଧାରା ପ୍ରେତ ମାନବ ତଳେ ପଡ଼ି ଛଟପଟ ହେବାକୁ ଲାଗିଲା । ରେହେମାନ୍ ବିସ୍ପୋରିତ ଚକ୍ଷୁରେ ଦେଖିଲା–ପ୍ରଦୀପ କେତେଜଣ ପୁଲିଶ୍ ଅଫିସର ଓ କନେଷ୍ଟବଳ ସହିତ ଘର ଭିତରକୁ ଆସୁଛି ।

 

ବଳରାମ ମିଶ୍ର ଦୌଡ଼ି ଆସିଲେ ପ୍ରେତ ମାନବ ନିକଟକୁ । ରକ୍ତର ହୋରି ଘର ଭିତରେ ଖେଳିଯାଇଥାଏ । ବଁ ହାତ ମୁହଁରୁ କଳା ପର୍ଦାଟିକୁ ଆଡ଼େଇଦେବା ମାତ୍ରେ ବଳରାମ ବିସ୍ମିତ ହୋଇ ପଡ଼ିଲେ ।

 

ପ୍ରଦୀପ ହସି ହସି କହିଲେ–ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ଇନିସ୍‌ପେକ୍ଟର । ସେ ହେଉଛନ୍ତି ଘନଶ୍ୟାମବାବୁ ।

 

ଅଶୋକା ପ୍ରଦୀପ ଆଡ଼େ ଚାହିଁଲେ । ଆନନ୍ଦାଶ୍ରୁ ଗଡ଼ି ପଡ଼ୁଥାଏ ଆଖି ଦୁଇଟିରୁ ।

ଯଶୋଦାର ରକ୍ତିମ ମୁଖରେ ଅପରିସୀମା ଆନନ୍ଦ ।

ପ୍ରଦୀପ ଦେଖୁଥାନ୍ତି ଉଭୟଙ୍କୁ....

Image